ଓ୍ବାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟରେ ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କନ ହନୁମାନଙ୍କ ବିଷୟରେ ଏକ ବୟାନ ଦେଇ ବିବାଦରେ ଫଶିଛନ୍ତି । ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି । ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ ଏବଂ ଇଣ୍ଟରନେଟ୍ ୟୁଜରମାନେ କଡ଼ା ସମାଲୋଚନା କରିଛନ୍ତି ।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟେକ୍ସାସରେ ଥିବା ହନୁମାନଙ୍କ ୯୦ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତିର ଭିଡିଓକୁ ସେୟାର କରିଥିଲେ । ପ୍ରତିମୂର୍ତ୍ତିର ଏକ ଭିଡିଓ ସେୟାର କରି ଏକ ପୋଷ୍ଟରେ ଲେଖିଛନ୍ତି, “ଆମେ ଟେକ୍ସାସରେ ଏକ ମିଛ ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କାହିଁକି ଅନୁମତି ଦେଉଛୁ? ଆମେ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର!” ଆଲେକଜାଣ୍ଡାର ଡଙ୍କନ ରିପବ୍ଲିକାନ ପାର୍ଟିର ନେତା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ । ସେ ଆମେରିକାକୁ ଏକ ଖ୍ରୀଷ୍ଟିଆନ ବହୁଳ ଦେଶ ଭାବରେ ଦେଖିବାକୁ ଚାହାଁନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୪ ମସିହାରେ ଟେକ୍ସାସର ସୁଗର ଲ୍ୟାଣ୍ଡରେ ହନୁମାନଙ୍କ ଏକ ୯୦ ଫୁଟ ଉଚ୍ଚ ପ୍ରତିମା ଉନ୍ମୋଚିତ ହୋଇଥିଲା । ଏହାକୁ ‘ଷ୍ଟାଚ୍ୟୁ ଅଫ୍ ଦି ୟୁନିଅନ୍’ ନାମ ଦିଆଯାଇଛି । ଏହି କାଂସ୍ୟ ପ୍ରତିମା ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିରରେ ସ୍ଥାପିତ ହୋଇଛି । ଏହାକୁ ଆମେରିକାର ତୃତୀୟ ଉଚ୍ଚ ପ୍ରତିମା ଭାବରେ ବିବେଚନା କରାଯାଏ ।
ଏହି ପ୍ରତିମାଟିର ପରିକଳ୍ପନା ପ୍ରଖ୍ୟାତ ଆଧ୍ୟାତ୍ମିକ ନେତା ଶ୍ରୀ ଚିନ୍ନା ଜୀୟାର ସ୍ୱାମୀଜୀ କରିଥିଲେ । ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ (HAF) ଡଙ୍କନଙ୍କ ମନ୍ତବ୍ୟକୁ ନିନ୍ଦା କରି ଏହାକୁ ହିନ୍ଦୁ ବିରୋଧୀ ଏବଂ ଉତ୍ତେଜକ ବୋଲି କହିଛି । HAF ଡଙ୍କନଙ୍କ ମନ୍ତବ୍ୟକୁ ରିପବ୍ଲିକାନ୍ ପାର୍ଟିକୁ ରିପୋର୍ଟ କରିଛି ଏବଂ ଘଟଣାର ଆଭ୍ୟନ୍ତରୀଣ ସମୀକ୍ଷା ପାଇଁ ଆହ୍ୱାନ କରିଛି ।
Comments are closed.