Latest Odisha News

BREAKING NEWS

ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ

ସାନ୍‍ଫ୍ରାନ୍‍ସିସ୍‍କୋ: ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ ।  ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋ ସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭାରତୀୟ ତଥା ବିଦେଶୀ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି ।
ନୃତ୍ୟାରମ୍ଭ ପୂର୍ବରୁ ପାରମ୍ପରିକ ପ୍ରଥା ଅନୁଯାୟୀ ସଂସ୍କୃତି ତାଙ୍କର ଗୁରୁ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଜ୍ୟୋତି ରାଉତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀମତୀ ରାଉତ ତାଙ୍କୁ ଶୁଭକାମନା ଜଣାଇବା ସାଙ୍ଗକୁ ତାଙ୍କର ପାଦରେ ଘୁଙ୍ଗୁର ବାନ୍ଧି ଦେଇଥିଲେ ।  କାର୍ଯ୍ୟକ୍ରମ ଆରମ୍ଭରେ ଆବାହନୀ ନୃତ୍ୟ ମଙ୍ଗଳାଚରଣ ଭାବରେ ସରସ୍ୱତୀ ବନ୍ଦନା, ଶୁଦ୍ଧ ନୃତ୍ୟ ମୁଦ୍ରା ପଲ୍ଲବୀ, ଅଭିନୟ ସଂରଚନା ଗୀତା ସାର ଓ ନବରସ ତଥା ସବା ଶେଷରେ ଆତ୍ମା ସହିତ ପରମାତ୍ମାର ମିଳନ ପର୍ବ ମୋକ୍ଷ ପ୍ରଦର୍ଶନ ହୋଇଥିଲା ।
ଜ୍ୟୋତି କଳା ମନ୍ଦିରର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ସେ ସାନ୍‍ଫ୍ରାନ୍‍ସିସ୍‍କୋର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବହୁବାର ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏହା ସାଙ୍ଗକୁ ୨୦୧୭ ମସିହାରେ ଭୁବନେଶ୍ୱରଠାରେ ସଂସ୍କୃତି, ସମ୍ମାନସ୍ପଦ ଆନ୍ତର୍ଜାତିକ ଓଡ଼ିଶୀ ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।
ସେ ଏବେ ବୋଷ୍ଟନ୍‍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଡିଗ୍ରୀ ଶିକ୍ଷାର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଦୀର୍ଘ ୪ଘଣ୍ଟା ଧରି ଚାଲିଥିବା ‘ରଙ୍ଗ ପୂଜା’ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ ଓ ସମ୍ପନ୍ନ କରିବାରେ ସଂସ୍କୃତିଙ୍କର ପିତା ଧୀରେନ ମୋହନ ବେବର୍ତ୍ତା, ମାତା ମୋନାଲିସା ବେବର୍ତ୍ତା, ଭାଇ ସାତ୍ତ୍ୱିକ ବେବର୍ତ୍ତା ଏବଂ ମାଉସୀ ଶ୍ରୀଜା ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।
Leave A Reply

Your email address will not be published.