Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ଆମେରିକାର ସ୍ୱୀକୃତି, ଚୀନ-ପାକିସ୍ତାନକୁ ଶକ୍ତ ଝଟକା

ଶ୍ରୀନଗର/ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ କରିଛନ୍ତି। ଭାରତରେ ନିଯୁକ୍ତ ଆମେରିକାର ନୂଆ ରାଷ୍ଟ୍ରଦୂତ ତଥା ଦକ୍ଷିଣ-ମଧ୍ୟ ଏସିଆ ପାଇଁ ସ୍ୱତନ୍ତ୍ର ଦୂତ ସର୍ଜିଓ ଗୋର୍ ଅଗଷ୍ଟ ୧୯ ରେ ଜମ୍ମୁ-କାଶ୍ମୀର ଗସ୍ତ କରି ଏକ ଐତିହାସିକ ବୟାନ ଦେଇଛନ୍ତି ।

ଶ୍ରୀନଗରରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା ପରେ ସେ ସ୍ପଷ୍ଟ କରିଛନ୍ତି ଯେ, “ଜମ୍ମୁ-କାଶ୍ମୀର ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।” ବିଗତ ତିନି ଦଶନ୍ଧି ଧରି ଆମେରିକା କାଶ୍ମୀର ପ୍ରସଙ୍ଗରେ ନିଜକୁ ‘ମଧ୍ୟସ୍ଥି’ ବା ‘ନିରପେକ୍ଷ’ ଦର୍ଶାଇ ଆସୁଥିଲା । ଏପରିକି ଏହାକୁ ଏକ ‘ବିବାଦୀୟ କ୍ଷେତ୍ର’ ବୋଲି ବିବେଚନା କରୁଥିଲା। କିନ୍ତୁ ଗୋର୍‌ଙ୍କ ଏହି ସ୍ପଷ୍ଟୋକ୍ତି ପ୍ରମାଣ କରୁଛି ଯେ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଆସିଥିବା ଶାନ୍ତି ଓ ବିକାଶକୁ ୱାଶିଂଟନ୍ ସ୍ୱୀକୃତି ପ୍ରଦାନ କରିଛି।

ଏହାବ୍ୟତୀତ ସେ ଆମେରିକୀୟ ନାଗରିକଙ୍କ ପାଇଁ ଲାଗୁ ହୋଇଥିବା ‘ଲେଭେଲ-୪ ଟ୍ରାଭେଲ ଆଡଭାଇଜରୀ’ (ଯାତ୍ରା କଟକଣା) କୁ ହ୍ରାସ କରିବା ନେଇ ମଧ୍ୟ ସକାରାତ୍ମକ ସଙ୍କେତ ଦେଇଛନ୍ତି, ଯାହାକି କାଶ୍ମୀରର ପର୍ଯ୍ୟଟନ ଓ ନିବେଶ କ୍ଷେତ୍ରକୁ ସଞ୍ଜୀବନୀ ଦେବ ।

ଏହି ବୟାନ ଏମିତି ଏକ ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଉତ୍ତେଜନା ତୀବ୍ର ରୂପ ନେଇଛି। ବିଜୁଳି, ବେକାରୀ ଏବଂ ମୌଳିକ ଅଧିକାର ଦାବିରେ ଆନ୍ଦୋଳନ କରୁଥିବା ପିଓକେ ବାସିନ୍ଦାଙ୍କ ଉପରେ ପାକ୍ ସେନା ଗୁଳିଚାଳନା କରି ୯୦ରୁ ଅଧିକ ନିରୀହ ନାଗରିକଙ୍କ ଜୀବନ ନେଇସାରିଲାଣି। ଏହିଭଳି ଏକ ସମ୍ବେଦନଶୀଳ ସମୟରେ, ଗୋର୍‌ଙ୍କ କାଶ୍ମୀର ଗସ୍ତ ଏବଂ ତାଙ୍କ ବୟାନ ପାକିସ୍ତାନର ମିଥ୍ୟା ଦାବିକୁ ଅନ୍ତର୍ଜାତୀୟ ସ୍ତରରେ ପଦାରେ ପକାଇଦେଇଛି ।

ଆନ୍ତର୍ଜାତିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ, ଆମେରିକାର ଏହି ଆଭିମୁଖ୍ୟ କେବଳ ପାକିସ୍ତାନ ଉପରେ କୂଟନୈତିକ ଚାପ ସୃଷ୍ଟି କରିବ ନାହିଁ, ବରଂ ‘ସିପେକ୍’ ମାଧ୍ୟମରେ ସମ୍ପର୍କ ବଢ଼ାଉଥିବା ଚୀନ-ପାକ୍ ମେଣ୍ଟକୁ ମଧ୍ୟ ଏକ କଡ଼ା ବାର୍ତ୍ତା ଦେବ। ଭାରତର ବୃଦ୍ଧି ପାଉଥିବା ବୈଶ୍ୱିକ କ୍ଷମତାକୁ ଆମେରିକା ଏବେ ସମ୍ମାନ ଦେଉଛି, ଯାହା ଭାରତ-ଆମେରିକା ରଣନୈତିକ ଭାଗିଦାରୀର ଏକ ନୂଆ ଅଧ୍ୟାୟ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.