Latest Odisha News

BREAKING NEWS

ଗୋବିନ୍ଦା-ସୁନୀତାଙ୍କ ବିବାଦରେ ନୂଆ ମୋଡ଼: ସ୍ୱାମୀଙ୍କ ବିରୋଧରେ କରିଥିବା ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ପତ୍ନୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା କଳ୍ପନାଜଳ୍ପନାର ଶେଷ ହୋଇଛି। ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ଦାଏର କରିଥିବା ଛାଡ଼ପତ୍ର ମାମଲାକୁ ଶେଷରେ ପ୍ରତ୍ୟାହାର କରିନେଇଛନ୍ତି ପତ୍ନୀ ସୁନୀତା। ବୁଧବାର ଦିନ ସୁନୀତା ନିଜ ପୁଅ ୟଶବର୍ଦ୍ଧନଙ୍କ ସହ ମୁମ୍ବାଇର ବାନ୍ଦ୍ରା ପରିବାର ଅଦାଲତ ଠାରେ ପହଞ୍ଚିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଥିଲା। ପରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ଏହି ଖବରକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମ୍ୟାନେଜର ଶଶି ସିହ୍ନା କହିଛନ୍ତି ଯେ, ସୁନୀତା ଆଇନଗତ ଭାବେ ତାଙ୍କ ପିଟିସନ୍ ଫେରାଇ ନେଇଛନ୍ତି ଏବଂ ବର୍ତ୍ତମାନ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ଏହାକୁ ଏକ ‘ଖୁସି ଖବର’ ବୋଲି ବର୍ଣ୍ଣନା କରିବା ସହ ସେ କହିଛନ୍ତି ଯେ, ପାରିବାରିକ କଳହ ଚାରିକାନ୍ଥ ଭିତରେ ରହିବା ଉଚିତ ଥିଲା। ସମସ୍ତଙ୍କ ସାମ୍ନାରେ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଭଳି ପରିସ୍ଥିତି ଉପୁଜିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୨୪ ମସିହା ଡିସେମ୍ବର ୫ ତାରିଖରେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ସୁନୀତା ବାନ୍ଦ୍ରା କୋର୍ଟରେ ଗୋବିନ୍ଦାଙ୍କଠାରୁ ଛାଡ଼ପତ୍ର ଦାବି କରି ଆବେଦନ କରିଥିଲେ। ଅଭିନେତାଙ୍କ ନାଁରେ ପରକୀୟା ପ୍ରୀତି, ନିର୍ଯାତନା ଏବଂ ଅଣଦେଖା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ସୁନୀତା। ବିଶେଷକରି ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ‘ରୂପା’ର ସହ-ଅଭିନେତ୍ରୀ ତଥା ଝିଅ ବୟସର କୋମଲ ରାନୀ ସ୍ୱର୍ଣ୍ଣକାରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସୁନୀତା ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଗଣମାଧ୍ୟମ ଆଗରେ ନିଜ ସ୍ୱାମୀଙ୍କୁ ସେ ‘ସୁଗାର ଡ୍ୟାଡି’ ବୋଲି ଆକ୍ଷେପ କରିବା ପରେ ବିବାଦ ଉଗ୍ର ରୂପ ନେଇଥିଲା। ଏହାର କଡ଼ା ଜବାବ ଦେଇ ଗୋବିନ୍ଦା ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ଏବଂ ପତ୍ନୀଙ୍କୁ ନିଜ ସୀମାରେ ରହିବା ସହ ତାଙ୍କ ଛବି ମଳିନ ନକରିବାକୁ ଚେତାବନୀ ଦେଇଥିଲେ ।

୧୯୮୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଗୋବିନ୍ଦା ଓ ସୁନୀତାଙ୍କର ଗୋଟିଏ ଝିଅ ଟିନା ଓ ପୁଅ ୟଶବର୍ଦ୍ଧନ ଅଛନ୍ତି । ଦୀର୍ଘ ୪୦ ବର୍ଷ ଧରି ଏକାଠି ଥିବା ଏହି ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ସମାଧାନ ଆଡ଼କୁ ମୁହାଁଇଛି।

Leave A Reply

Your email address will not be published.