ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, ବାରାକ୍ ଏବଂ ଜେନିଫିରଙ୍କୁ ନେଇ ଉଠିଥିବା ଗୁଜବ ହେତୁ ଓବାମା ଦମ୍ପତିଙ୍କୁ ସମ୍ପର୍କରେ ସମନ୍ୱୟ ରକ୍ଷା କରିବା କଷ୍ଟକର ହୋଇପଡୁଛି । ସୋସିଆଲ ମିଡିଆରେ ଚାଲିଥିବା ଏହି ଗୁଜବ ପରେ ମିଶେଲ ଓବାମା ଗୁରୁତ୍ୱପୂର୍ଣ୍ଣ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଥିଲେ।
ବାରାକ୍ ଏବଂ ଜେନିଫିରଙ୍କୁ ନେଇ ‘ଇନ୍ ଟଚ୍ ମ୍ୟାଗେଜିନ’ ଏକ କଭର୍ ଷ୍ଟୋରୀ କରିଥିଲା । ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଓବାମା ଦମ୍ପତିଙ୍କ ସମ୍ପର୍କ ମଧ୍ୟରେ ଫାଟ ଦେଖାଦେଇଛି । ଏହି ଗୁଜବ ପରେ ମିଶେଲ ଓବାମା ଗତ ୨୦ ଜାନୁୟାରୀ ୨୦୨୫ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ଯୋଗ ଦେଇନଥିଲେ। ସେପଟେ ସୋସିଆଲ ମିଡିଆରେ ଏହା ମଧ୍ୟ କୁହାଯାଇଛି ଯେ ଟ୍ରମ୍ପଙ୍କ ଜିତିବା ମିଶେଲ ପସନ୍ଦ ହୋଇନାହିଁ । ସେପଟେ ଅନ୍ୟ ଏକ ମିଡିଆ ରିପୋର୍ଟ ଅନୁସାରେ, ବିଶେଷ ସୁତ୍ରରୁ ଖବର ମିଳିଛି ଯେ ଏହି ପରିବାର ଏବେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛି । ଏବେ ସେ କେବଳ ଜଣେ ଭଲ ବନ୍ଧୁ ହିସାବରେ ରହୁଛନ୍ତି ।
ଗତ କିଛି ବର୍ଷ ମଧ୍ୟରେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁନି । ଯେଉଁଥିରୁ ଏହା ଅନୁମାନ କରାଯାଉଛି ଯେ ସେମାନଙ୍କ ମଧ୍ୟରେ ସମ୍ପର୍କ ଏବେ ଆଗ ପରି ନାହିଁ । ସେପଟେ କିଛି ମିଡିଆ ରିପୋର୍ଟ ଅନୁସାରେ, ବାରାକ୍ ଏବଂ ଜେନିଫିରଙ୍କ ମଧ୍ୟରେ କିଛି ଗୁପ୍ତ ସମ୍ପର୍କ ଅଛି । କିନ୍ତୁ ଜେନିଫିର୍ ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗତ ଅକ୍ଟୋବରରେ, ଜିମି କିମେଲ ଶୋ’ରେ ତାଙ୍କୁ ଏହି ଗୁଜବ ବିଷୟରେ ପଚରାଯାଇଥିଲା ଏବଂ ସେ ଉତ୍ତର ଦେଇଥିଲେ, “ମୁଁ ତାଙ୍କୁ (ଓବାମା) ଥରେ ମାତ୍ର ଭେଟିଛି। ମୁଁ ତାଙ୍କଠାରୁ ମିଶେଲଙ୍କୁ ଭଲ ଭାବରେ ଜାଣିଛି।” ତେବେ କହିରଖୁଛୁ ଯେ, ୨୦୦୭ରେ ଜେନିଫିର ଏବଂ ବାରାକ ଥରେ ହଲିଉଡ ଗାଲାରେ ସାକ୍ଷାତ ହୋଇଥିଲେ।
ଅନ୍ୟପଟେ ଏହି ଛାଡପତ୍ର ଗୁଜବ ଭିତରେ ମିଶେଲଙ୍କ ଜନ୍ମଦିନରେ ଓବାମା ତାଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ “ମୋ ଜୀବନର ପ୍ରେମ ମିଶେଲ ଓବାମାଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମେ ହୃଦୟର ପ୍ରତ୍ୟେକ କୋଠରୀକୁ ଉଷ୍ମତା, ପ୍ରେମ, ଜ୍ଞାନ ଏବଂ ଅନୁଗ୍ରହରେ ପରିପୂର୍ଣ୍ଣ କରିଛ। ତୁମେ ଏପରି କରି ଖୁବ ସୁନ୍ଦର ଦେଖାଯାଉଛ। ମୁଁ ତୁମ ସହିତ ଜୀବନର ଯାତ୍ରାରେ ରହିଥିବାରୁ ନିଜକୁ ବହୁତ ଭାଗ୍ୟବାନ ମନେକରୁଛି। ମୋ ତରଫରୁ ତୁମକୁ ଅଜସ୍ର ଭଲପାଇବା” ବୋଲି ସେ ଲେଖିଥିଲେ।
ସୂଚନାଥାଉକି, ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲଙ୍କ ୧୯୮୯ ମସିହାରେ ଏକ ଲ ଫାର୍ମରେ ସାକ୍ଷାତ ହୋଇଥିଲା। ଏହି ଠାରୁ ଉଭୟ ଡେଟିଂ ଆରମ୍ଭ କରିଥିଲେ ଏବଂ ୧୯୯୨ ମସିହାରେ ବିବାହ କରିଥିଲେ। ବାରାକ ଏବଂ ମିଶେଲଙ୍କ ଦୁଇଟି ଝିଅ, ମଲିହା ଏବଂ ସାଶା ଓବାମା ଅଛନ୍ତି।
Comments are closed.