ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ । ଫିଲ୍ମ “ଛାବା” ୧୪ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ ଥିବା ବେଳେ ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଗତ ୨ ଦିନ ତଳେ ଫିଲ୍ମଟିର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରରେ ଜବରଦସ୍ତ ଆକ୍ସନ ସହ ଡ୍ରାମା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଚଳଚ୍ଚିତ୍ରରେ ମରାଠା ଇତିହାସର ଏକ ବିଶେଷ ଅଧ୍ୟାୟ ଦେଖିବାକୁ ମିଳିବ । ତେବେ ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ବିବାଦର ସାମ୍ନା କରିଛି “ଛାବା” ।
ରାଜ୍ୟସଭାର ପୂର୍ବତନ ସଦସ୍ୟ ସମ୍ବାଜିରାଜେ ଛତ୍ରପତି ଗତକାଲି ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମର ତଥ୍ୟର ସଠିକତାକୁ ନିଶ୍ଚିତ କରିବା ପାଇଁ ରିଲିଜ୍ ପୂର୍ବରୁ ଫିଲ୍ମକୁ ଐତିହାସିକମାନଙ୍କୁ ଦେଖାଇବା ଉଚିତ୍। ସେପଟେ ମରାଠା ସଂସ୍ଥାନ ଶମ୍ଭାଜୀ ବ୍ରିଗେଡ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି । ନିକଟରେ ରିଲିଜ ହୋଇଥିବା ଟ୍ରେଲରର ଏକ ଗୀତରେ ମହାରାଷ୍ଟ୍ରର ସାଂସ୍କୃତିକ ଐତିହ୍ୟ ସହିତ ଜଡିତ ପାରମ୍ପାରିକ ବାଦ୍ୟଯନ୍ତ୍ର’ ଲେଜିମ୍ ‘ସହିତ ତାଳ ମିଳାଇ ଭିକି ଓ ରଶ୍ମିକା ନୃତ୍ୟ କରିଥିବା ନଜର ଆସିଛନ୍ତି । ତେବେ ଶମ୍ଭାଜୀ ରାଓ ରାଜେ ମରାଠା ଇତିହାସର ଜଣେ କିମ୍ବଦନ୍ତୀ ପୁରୁଷ ହୋଇଥିବା ବେଳେ ତାଙ୍କୁ ଫିଲ୍ମରେ ଏପରି ନଚାଇବାକୁ ସେମାନେ ନାପସନ୍ଦ କରିଛନ୍ତି ବୋଲି କହିଛନ୍ତି ଉକ୍ତ ମରାଠା ସଂସ୍ଥାନ ।
ତେବେ ଏନେଇ ସମ୍ବାଜିରାଜେ କହିଛନ୍ତି ଯେ, ଛତ୍ରପତି ଶମ୍ୱାଜୀ ମହାରାଜଙ୍କ ଜୀବନ ଏବଂ ସାହସିକତାକୁ ଚିତ୍ରଣ କରିବା ପାଇଁ ଏହି ଚଳଚ୍ଚିତ୍ର ଏକ ପ୍ରଶଂସନୀୟ ପ୍ରୟାସ। କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକର ଏବଂ ତାଙ୍କ ପୁରା ଟିମ୍କୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଐତିହାସିକ ମାନଙ୍କୁ ପୁରା ଫିଲ୍ମଟି ଦେଖାଇବାକୁ ସେ ଦାବି କରିଛନ୍ତି । ତାଙ୍କ କହିବା କଥା ଯେ, ଛତ୍ରପତି ଶମ୍ବାଜୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ କାହାଣୀକୁ ସମଗ୍ର ବିଶ୍ୱରେ ସ୍ୱତଃ ପ୍ରବୃତ୍ତ ଭାବରେ ଦର୍ଶାଇବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚ୍ଚିତ୍ର ନିର୍ମାତାମାନେ ଐତିହାସିକଙ୍କ ସହ ଯୋଗାଯୋଗ କରିନାହାଁନ୍ତି। ତେବେ ‘ଲାଜିମ’ ମହାରାଷ୍ଟ୍ରର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ଏହିପରି ଦୃଶ୍ୟ ଦେଖାଯିବା ଉଚିତ କି ନୁହେଁ ତାହା ଉପରେ ଆଲୋଚନା କରିବା ଜରୁରୀ ଅଟେ ବୋଲି କହିଛନ୍ତି ସମ୍ବାଜିରାଜେ।
କହିରଖୁଛୁ ଯେ, “ଛାବା” ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର । ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ସେହିପରି ଔରଙ୍ଗଜେବ ଭୂମିକାରେ ନଜର ଆସିବେ ଅକ୍ଷୟ ଖାନ୍ନା । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ।
Comments are closed.