Latest Odisha News

BREAKING NEWS

ବଢ଼ୁଛି କରୋନା ସଂକ୍ରମଣ, ୬ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଗତ କିଛି ମାସ ମଧ୍ୟରେ କରୋନା ସଂକ୍ରମଣ କମିଥିଲା, କିନ୍ତୁ ଗତ  ଏକ ସପ୍ତାହରୁ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବଢ଼ିବାରେ ଲାଗିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍। ରାଜ୍ୟ ସରକାର ପରୀକ୍ଷା, ଚିକିତ୍ସା, ଟ୍ରାକ୍, ଟିକାକରଣ ରଣନୀତି ଅନୁସରଣ କରିବା ଉଚିତ୍।

ଦେଶରେ ଏବେ ଗୋଟିଏ ଦିନରେ ୭୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୨,୭୧୦କୁ ବୃଦ୍ଧି ପାଇଛି। ପ୍ରାୟ ଚାରିମାସ ପରେ ଦେଶରେ ଗୋଟିଏ ଦିନରେ ୭୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାପରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪ ହଜାର ୬୨୩କୁ ବୃଦ୍ଧି ପାଇଛି।

ଗତ ବର୍ଷ ନଭେମ୍ବର ୧୨ରେ ଗୋଟିଏ ଦିନରେ ଦେଶରେ ୭୩୪ ସଂକ୍ରମିତଙ୍କ ସଂଖ୍ୟା ରିପୋର୍ଟ ହୋଇଥିଲା। ଗୁରୁବାର କର୍ଣ୍ଣାଟକରେ ସଂକ୍ରମଣ ହେତୁ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୦,୭୯୦ କୁ ବୃଦ୍ଧି ପାଇଛି।

ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ ୪,୪୧,୫୭,୨୯୭ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଦେଶରେ ସାରା ଦେଶରେ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୪ କୋଟି କରୋନା ଟିକା ନେଇଛନ୍ତି।

Leave A Reply

Your email address will not be published.