ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଭିଜ୍ଞ ଲେଗ୍ ସ୍ପିନର୍ ଅମିତ ମିଶ୍ରା ବିରାଟ କୋହଲିଙ୍କୁ ନେଇ ଏକ ଆଶ୍ଚର୍ୟ୍ୟଜନକ ଖୁଲାସା କରିଛନ୍ତି । ଏକ ଅମିତ କହିଛନ୍ତି ଯେ କୋହଲି ତାଙ୍କୁ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବାର ଭରସା ଦେଇଥିଲେ, କିନ୍ତୁ ପରେ ତାଙ୍କ ଫୋନ୍ର କୌଣସି ଉତ୍ତର ଦେଇ ନ ଥିଲେ । ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ସମୟରେ ତାଙ୍କ ଗୋଡ଼ରେ ଏକ ଗୁରୁତର ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ କ୍ରିକେଟ୍ ପଡ଼ିଆରୁ ଦୂରେଇ ଯାଇଥିଲେ । ସେହି ସମୟରେ କୋଚ୍ ଅନିଲ କୁମ୍ବଲେ ତାଙ୍କୁ ସାହସ ଦେଇ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଫିଟ୍ ହେବା ମାତ୍ରେ ଟିମ୍କୁ ଫେରିବେ । କୋହଲି ଅଧିନାୟକ ହେବା ପରେ ଅମିତ ତାଙ୍କ ସହ ଯୋଗାଯୋଗ କରିଥିଲେ ।
ମିଶ୍ରାଙ୍କ ଅନୁଯାୟୀ, କୋହଲି ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଫିଟ୍ ହେବା ପରେ ଟିମ୍ରେ ତାଙ୍କ ସ୍ଥାନ ସୁରକ୍ଷିତ ଅଛି । ଏହାପରେ ମିଶ୍ରା ଘରୋଇ କ୍ରିକେଟ୍ ଏବଂ ଆଇପିଏଲ୍ରେ ନିଜର ଫିଟ୍ନେସ୍ ପ୍ରମାଣ ମଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ, ଆଇପିଏଲ୍ ମ୍ୟାଚ୍ ସମୟରେ ଯେତେବେଳେ ସେ ବିରାଟ କୋହଲିଙ୍କୁ ଭେଟି ଆଲୋଚନା କରିବାକୁ ଚାହିଁଥିଲେ, ସେତେବେଳେ କୋହଲି ତାଙ୍କୁ ୧୦ ଦିନ ଭିତରେ ସ୍ଥିତି ସ୍ପଷ୍ଟ କରିବାକୁ କହିଥିଲେ । ମାତ୍ର ଏହାପରେ କୋହଲି ଆଉ ଫୋନ୍ ଉଠାଇ ନ ଥିଲେ ଏବଂ କୌଣସି ଜବାବ ଦେଇ ନ ଥିଲେ । ଜଣେ ବରିଷ୍ଠ ଖେଳାଳିଙ୍କ ସହ ଏଭଳି ବ୍ୟବହାର ତାଙ୍କୁ ଗଭୀର ନିରାଶ କରିଥିଲା ବୋଲି ଅମିତ ପ୍ରକାଶ କରିଛନ୍ତି ।

