Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତର ପରିଚାଳନା ସମୀକ୍ଷା ଆଜି କୃଷି ଭବନ ସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟ କାର୍ଯ୍ୟାଳୟରେ ନିଶ୍ଚିତ ଭାବେ ଉପସ୍ଥିତ ରହି ଏହି ଦୁର୍ଦ୍ଦିନରେ ଚାଷୀମାନଙ୍କ ପାଖରେ ଠିଆ ହେବାକୁ ପରାମର୍ଶ ଦେଇଛନ୍ତି। ଏବେ ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଭୟଭୀତ ନ ହୋଇ ନିକଟସ୍ଥ କୃଷି ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ ଏବଂ ନିଜ ଫସଲର ସୁରକ୍ଷା କରନ୍ତୁ ବୋଲି କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକୀୟ ପ୍ରସ୍ତୁତି ମଧ୍ୟ ଜାରି ରହିଛି। ସମସ୍ତ କୃଷି ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନ ଯିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ଛୁଟି ଆସନ୍ତା ୨୫ ଅକ୍ଟୋବର ଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନ ଓ ସମସ୍ୟାର ସମାଧାନ ପାଇଁ କୃଷି ବିଭାଗ ତରଫରୁ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ୧୫୫୩୩୩ ବ୍ୟବସ୍ଥା କରାଯାଇଛି। ଏହି ନମ୍ବର ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ରହିବ। ଚାଷୀମାନେ ଫସଲ ସମ୍ବନ୍ଧୀୟ ଆବଶ୍ୟକ ପରାମର୍ଶ ସକାଳ ୮ ଠାରୁ ସନ୍ଧ୍ୟା ୮ ଟା ମଧ୍ୟରେ ଉପରୋକ୍ତ ନମ୍ବରରେ କଲ୍ କରି ଜାଣିପାରିବେ। ବାତ୍ୟା ତଥା ଅବପାତ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କୃଷି ଅଧିକାରୀ ମାନେ ତୁରନ୍ତ ସହାୟତା କରିବାକୁ ପରାମର୍ଶ ଦିଆଯାଇଛି।

ସମସ୍ତ ଅଧିକାରୀଙ୍କୁ ପରିସ୍ଥିତି ପ୍ରତି ସତର୍କ ରହିବାକୁ, କୃଷି-ପରାମର୍ଶର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଏବଂ ବିଭାଗ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ କୃଷି ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ସ୍ଥିତି ଅନୁସାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ମଧ୍ୟରେ ସୀମିତ ରହିବ।

କୁଳପତି, ଓୟୁଏଟି, ପ୍ରବଳ ବର୍ଷା ଏବଂ ପବନର ପ୍ରତିକୂଳ ପ୍ରଭାବରୁ ଧାନ ଏବଂ ଅଣ-ଧାନ ଫସଲକୁ ସୁରକ୍ଷା ଦେବା ପାଇଁ କୃଷି-ପରାମର୍ଶ ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।

ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଫସଲର ସୁରକ୍ଷା, କ୍ଷୟକ୍ଷତି ଜନିତ ପରିଚାଳନା ପାଇଁ ରାଜ୍ୟ ସରକାର ସର୍ବଦା ଜନସାଧାରଣଙ୍କ ସହ ଅଛନ୍ତି। ତେଣୁ ଚାଷୀ ମାନେ ଭୟଭୀତ ନ ହୋଇ ନିଜେ ସୁରକ୍ଷିତ ରହିବା ସହ ଫସଲ ଓ ଗୃହପାଳିତ ପଶୁଙ୍କର ସୁରକ୍ଷା କରନ୍ତୁ।

ଏହି ସମୀକ୍ଷା ବୈଠକରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧଭ, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଭାରତୀୟ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାନ୍ତି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଯୋଗଦେଇଥିଲେ। ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ଏବଂ ମୃତ୍ତିକା ସଂରକ୍ଷଣ ଅଧିକାରୀ ଆଭାସି ମାଧ୍ୟମରେ ଯୋଗଦେଇଥିଲେ।

Leave A Reply

Your email address will not be published.