ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଓ୍ୱାକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ସରକାର ଓ ବିରୋଧୀ ସାଂସଦମାନଙ୍କ ମଧ୍ୟରେ ମାହୋଲ ଗରମ ଦେଖାଦେଇଥିଲା। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ମଧ୍ୟରେ ମଜାଳିଆ କଥାବାର୍ତ୍ତା ସଦନର ମାହୋଲକୁ ହାଲୁକା କରିଦେଇଥିଲା।
ଅଖିଳେଶ ମଜା କରି କହିଥିଲେ, “ବିଜେପି ନିଜକୁ ବିଶ୍ୱର ସବୁଠାରୁ ବଡ଼ ଦଳ କହୁଛି, କିନ୍ତୁ ଏ ପର୍ଯ୍ୟନ୍ତ ସେମାନେ ନିଜ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିପାରିନାହାନ୍ତି।” ତାଙ୍କ ଏହି କଥା ଶୁଣି ବିରୋଧୀ ସାଂସଦମାନେ ଜୋରରେ ହସିଥିଲେ। ଏହାର ଜବାବରେ ଅମିତ ଶାହ ଉଠି ହସି ହସି କହିଥିଲେ, “ଅଖିଳେଶ ମଜାରେ କହିଛନ୍ତି, ତେଣୁ ମୁଁ ମଧ୍ୟ ସେହି ଅନ୍ଦାଜରେ ଉତ୍ତର ଦେଉଛି। ବିରୋଧୀଙ୍କର ଅଧିକାଂଶ ଦଳ ନିଜ ଅଧ୍ୟକ୍ଷଙ୍କୁ ପରିବାରର ପାଞ୍ଚ ସଦସ୍ୟଙ୍କ ମଧ୍ୟରୁ ବାଛନ୍ତି। କିନ୍ତୁ ବିଜେପିରେ ୧୨-୧୩ କୋଟି କର୍ମୀ ଏକ ପ୍ରକ୍ରିୟା ଜରିଆରେ ଅଧ୍ୟକ୍ଷ ଚୟନ କରନ୍ତି, ତେଣୁ ଏଥିପାଇଁ ସମୟ ଲାଗେ। ଚିନ୍ତା କରନ୍ତୁ ନାହିଁ, ଆପଣ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ନିଜ ଦଳର ଅଧ୍ୟକ୍ଷ ହିଁ ରହିବେ।” ଶାହଙ୍କ ଏହି କଥାରେ ସମସ୍ତ ସାଂସଦଙ୍କ ମୁହଁରେ ହସି ଦେଇଥିଲା।
ବିଜେପିର ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରାୟ ଛଅ ବର୍ଷ ଧରି ଏହି ପଦବୀରେ ଅଛନ୍ତି। କିନ୍ତୁ ଦଳର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସର୍ବାଧିକ ତିନି ବର୍ଷ ହୋଇଥାଏ। ନଡ୍ଡାଙ୍କ କାର୍ଯ୍ୟକାଳ ଏହାରି ଭିତରେ ଅନେକ ଥର ବୃଦ୍ଧି ପାଇଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତିମ ଥର ପାଇଁ ବୃଦ୍ଧି ପାଇଥିଲା। ବରିଷ୍ଠ ନେତାମାନେ ଜଣାଇଛନ୍ତି ଯେ ଏପ୍ରିଲ ଶେଷ ସୁଦ୍ଧା ଦଳ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବ। ଏହା ପୂର୍ବରୁ ସମସ୍ତ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ୧୩ଟି ରାଜ୍ୟରେ ନିର୍ବାଚନ ସରି ନୂଆ ସଭାପତିଙ୍କ ନାମ ଘୋଷଣା ହୋଇସାରିଛି। ଏବେ ବାକି ୧୯ଟି ରାଜ୍ୟରେ ନିର୍ବାଚନ ହେବ, ତା’ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ।
ବିଜେପି ସମ୍ବିଧାନ ଅନୁସାରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପାଇଁ ଅତି କମରେ ଅଧା ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ସରିବା ଜରୁରୀ। ଯେଉଁ ରାଜ୍ୟଗୁଡ଼ିକରେ ଏପର୍ଯ୍ୟନ୍ତ ନୂଆ ସଭାପତିଙ୍କ ନାମ ଘୋଷଣା ହୋଇନାହିଁ, ସେଗୁଡ଼ିକ ହେଲା ଓଡ଼ିଶା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗ। ତାମିଲନାଡୁରେ ଏହି ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୨୦୨୫ରେ ମତଦାନ ହେବ।
Comments are closed.