Latest Odisha News

BREAKING NEWS

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରବିବାର ସଂଧ୍ୟା ସାଢ଼େ ଆଠଟା ସମୟରେ ମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ୱରରେ ପହଞ୍ଚିବେ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଓଡ଼ିଶା ବିଜେପି ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି ।

ସୋମବାର ସକାଳ ୮ଟାରେ ଅମିତ ପୁରୁଣା ଭୁବନେଶ୍ୱର ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ଶ୍ରାବଣ ମାସର ଏହା ହେଉଛି ଶେଷ ସୋମବାର । ଲକ୍ଷ ଲକ୍ଷ କାଉଡ଼ିଆ ପାଣି ଅର୍ପଣ କରିବାକୁ ଥିବା ବେଳେ ଅମିତ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରାର୍ଥନା କରିବାକୁ ଯିବେ ।

ଏହା ପରେ ସେ କଟକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ସ୍ଥାନ ସଂଗ୍ରହାଳୟ ବୁଲିବାକୁ ଯିବେ । ଭୁବନେଶ୍ୱରରୁ କଟକ ଯିବା ରାସ୍ତାରେ ତାଙ୍କୁ ନଖରା, ଲିଙ୍କ ରୋଡ, ପାଲା ମଣ୍ଡପ, ବାଦାମବାଡ଼ି, ଦୋଳ ମୁଣ୍ଡାଇ, ହରିପୁର, ସେମିନାର ଛକ ଏବଂ ଦର୍ଘା ବଜାରରେ ବିଶେଷ ଶୋଭାଯାତ୍ରାରେ ତାଙ୍କୁ ସ୍ୱାଗତ କରାଯିବ ବୋଲି ବିଜେପି ପ୍ରେସ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଏହା ପରେ ଅମିତ ତିନି କୋଣିଆ ବଜାର, ବକ୍ସି ବଜାର, ଚଣ୍ଡି ମନ୍ଦିର ଛକ ଏବଂ ବାରବାଟୀ ଦୁର୍ଗ ଦେଇ ଜଓ୍ୱହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଯିବେ ।

ତେଣେ ପୁଣି ଶୋଭାଯାତ୍ରା ନୂଆପାଟଣା, ମଙ୍ଗଳାବାଗ, କଲେଜ ଛକ ଆଉ ଓଏମପି ଛକ ଦେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟକୁ ଫେରିବେ । ସେଠାରେ ‘ହର ଘର ତ୍ରିରଙ୍ଗ’ ଅଭିଯାନ ଆରମ୍ଭ ହେବ ।

ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ସାଢ଼େ ୪ଟାରେ ମେ ଫେୟାର କନଭେନସନ ଠାରେ ‘Modi@20: Dreams Meet Delivery’ ଓଡ଼ିଶା ପର୍ଯ୍ୟାୟ ପାଇଁ ପୁସ୍ତକ ଉନ୍ମୋଚନ ହେବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.