Latest Odisha News

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: କଟକ ଏସ୍‌ସିବିରେ ଚିକିତ୍ସିତ ୧୯୭ ମଧ୍ୟରୁ ୫୨ ଡିସ୍‌ଚାର୍ଜ

କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ମଧ୍ୟରୁ ମୋଟ ୧୯୭ ଜଣ କଟକ ଏସ୍‌ସିବିରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୫୨ ଜଣ ଡିସ୍ଚାର୍ଜ କରାଯାଇ ସାରିଲାଣି। ତେବେ ଆଇସିୟୁରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୧୭ ଜଣ ବିଭିନ୍ନ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ବୋଲି ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡଃ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ଏସ୍ସିବିରେ ଭର୍ତ୍ତି ୧୯୭ ଆହତଙ୍କ ମଧ୍ୟରୁ ପ୍ରଥମେ ୬ ଜଣଙ୍କ ପରିଚୟ ମିଳିପାରି ନଥିଲା। ହେଲେ ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି ବୋଲି ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ କଟକ ବଡ଼ ମେଡ଼ିକାଲରେ ସୁସ୍ଥ ହେଉଥିବା ଆହତଙ୍କୁ ଘରେ ପହଞ୍ଚାଇବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଥିଲେ। ଏଥିସହିତ ସେ ଏସ୍ସିବିରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ଅନ୍ୟପଟେ ନିଖୋଜ ପରିଜନଙ୍କୁ ଖୋଜିବା ପାଇଁ ଦେଶର ବିଭିନ୍ନ ରାଜ୍ୟର ଲୋକେ ଆସି କଟକ ବଡ଼ ମେଡିକାଲ୍‌ରେ ପହଞ୍ଚିଛନ୍ତି।

ବିହାର, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ତାମିଲନାଡୁରୁ ଅନେକ ଲୋକ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ମାତ୍ର ଏବେ ସେମାନଙ୍କର କୌଣସି ଖୋଜଖବର ମିଳୁ ନାହିଁ ଆଧାର କାର୍ଡ, ଫଟୋ ଧରି ଅନେକ ବ୍ୟକ୍ତି କଟକ ବଡ ମେଡିକାଲରେ ପହଞ୍ଚୁଛନ୍ତି। ଡାକ୍ତରଖାନାରେ ସମ୍ପର୍କୀୟଙ୍କ ଭିଡ଼ ଦେଖିବାକୁ ମିଳିଛି।

Comments are closed.