ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି ପାରନ୍ତି ଏ କଣ ନୂଆ କଥା କି ? ଏଥିରେ ଖବର କଣ ? କି ନୂଆ କଥା ଇଏ କହୁଛି?
ଖବର ହେଉଛି- କିଛି ସମୟ ପରେ କୁକୁରମାନେ ଆସି କ୍ଷୀର ଚାଟିବାକୁ ଆରମ୍ଭ କଲେ । ତା’ପରେ ଘଟିଲା ମର୍ମାନ୍ତକ ଦୃଶ୍ୟ । ଜଣେ ବୁଲା ମଣିଷ ଆସି ହାତ ପାପୁଲିରେ ରାସ୍ତା ଉପରୁ କ୍ଷୀର ଉଠେଇ ପିଇବାକୁ ଚେଷ୍ଟା କଲା । ତା’ପରେ ନିଜ ଜିଭ ଲଗେଇ ଚାଟିବାକୁ ଆରମ୍ଭ କଲା । ଆଗ୍ରାର ରାସ୍ତା ଉପରେ ଢାଳି ହୋଇ ଯାଇଥିବା କ୍ଷୀରକୁ ଉଭୟ ମଣିଷ ଓ କୁକୁର ଏକାସାଙ୍ଗରେ ପିଇଲେ । ଚାଟିଲେ ।
ଦେଶରେ ଚାଲିଥିବା ଚାଳିଶ ଦିନିଆ ଲକଡାଉନ ସମୟର ଦୃଶ୍ୟ ଇଏ ।
ଗୁଜୁରାଓର ସୁରଟରେ ୧୦ ଲକ୍ଷରୁ ଅଧିକ ଲୋକ କପଡ଼ା କି ହୀରା ଶିଳ୍ପରେ କାମ କରନ୍ତି । ସେମାନେ ସମସ୍ତେ ଦାଦନ । ବାହାର ରାଜ୍ୟର ଲୋକ । ବାରବାର ସେମାନେ ରାସ୍ତା ଉପରକୁ ଓହ୍ଲାଇ ଆସୁଛନ୍ତି । ପ୍ରଥମେ ପ୍ରଥମେ ଦାବି ଥିଲା- ଖାଇବାକୁ ଦିଅ । ଖାଇବାକୁ ନାହିଁ । ପରେ ବୋଧହୁଏ ପ୍ରଶାସନ ହସ୍ତକ୍ଷେପ କରିବା ପରେ ଖାଇବାକୁ ମିଳିଛି । ଏବେ ସେମାନେ ଦାବି କରୁଛନ୍ତି- ନିଜ ଇଲାକାକୁ ଫେରିଯିବୁ । ଏଥିପାଇଁ ବ୍ୟବସ୍ଥା କର । ଏଥିପାଇଁ ହଜାର ହଜାର ଲୋକ କଟକଣାର ଉଲ୍ଲଂଘନ କରି ରାସ୍ତା ଉପରେ ଆସି ଏକାଠି ହେଉଛନ୍ତି । ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଆମ ଓଡ଼ିଶାର ଶ୍ରମିକମାନେ ବି ଏଇ ଭାବେ କେଇ ଦିନ ତଳେ ବିକ୍ଷୋଭ କରିଥିଲେ । ସେମାନେ ପୁଲିସଠୁ ମାଡ଼ ଖାଇଲେ । ୮୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ । ଯଦିଓ ଓଡିଶା ସରକାର ବାରବାର କହି ଆସୁଛନ୍ତି ଯେ- ଏଥିପାଇଁ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏବଂ ସେମାନଙ୍କ ନମ୍ବର ସାଧାରଣରେ ଦିଆଯାଇଛି । କିନ୍ତୁ ଗତକାଲି ଫେସବୁକରେ ଜଣେ ସାମ୍ବାଦିକ କିଷନ ବାରାଇ କରିଥିବା ପୋଷ୍ଟ ଅନୁସାରେ- ସେଇ ସବୁ ନମ୍ବର ଲାଗୁନି । ଲାଗିଲେ କେହି ଉଠାଉ ନାହାନ୍ତି । ଏମିତିକି ଗୋଟିଏ ନମ୍ବରରେ ଇନକମିଂ କଲ ସୁବିଧା ବି ନାହିଁ । ଯଦି ଏହା ସତ ହୋଇଥାଏ, କେମିତିକା ବିଶ୍ୱାସଘାତକତା ଇଏ କହିଲେ?
ସେମିତି ଗଲାକାଲା ମୁମ୍ବାଇର ବାନ୍ଦ୍ରାରେ ପୁଲିସ ନିରୀହ ମଣିଷଙ୍କ ଉପରେ ଲାଠିଚାର୍ଜ କଲା । ସେମାନେ ସମସ୍ତେ ଭାବିଥିଲେ ଅପ୍ରେଲ ୧୪ ତାରିଖରେ ଲକଡାଉନ ଉଠିଯିବ । ତେଣୁ ଷ୍ଟେସନ ସେମାନେ ଚାଲି ଆସିଥିଲେ । ଏକାଠି ହୋଇଥିଲେ । ଏକରେ ଭୋକ । ଅର୍ଥାଭାବ । ଦୁଇରେ ଘରକୁ, ଜନ୍ମମାଟିକୁ ଦୁର୍ଦ୍ଦଶା ସମୟରେ ଫେରିବାର ମୋହ । କିନ୍ତୁ କେହି ବୁଝିଲେ କି ସେମାନଙ୍କ ଯନ୍ତ୍ରଣା? ଲାଠି ମାଡ଼ କରି ସେମାନଙ୍କୁ ବିଦା କରି ଦିଆଗଲା ।
ବିଶ୍ୱ ଶ୍ରମିକ ସଂଗଠନ ଆଗରୁ କହି ସାରିଛି- ଏମିତି ଅବସ୍ଥା ଜାରି ରହିଲେ, ୪୦ କୋଟିରୁ ଅଧିକ ଭାରତୀୟ ଗରିବୀ ଭିତରକୁ ପୁଣି ଥରେ ଠେଲି ହୋଇଯିବେ ।
ଏଇଠି ଅନେକ ପ୍ରଶ୍ନ ଉଠେ? ମୁଁ ସାମାଜିକ ଗଣମାଧ୍ୟମରେ ଏକଥା ଲେଖିଲା ବେଳେ ବି ଅନେକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେମାନେ କହୁଛନ୍ତି- ବର୍ଷ ବର୍ଷ ଧରି ସେମାନେ କାମ କରୁଥିଲେ, କଣ ସେମାନଙ୍କ ପାଖରେ ୫-୭ ହଜାର ଟଙ୍କା ନାହିଁ ଯେ, ସେମାନେ ଦେଢ ମାସ ରହି ପାରୁ ନାହାନ୍ତି? ଦେଶକୁ ବିପଦରେ ପକାଉଛନ୍ତି? ଉତ୍ତରରେ ଏତିକି କହି ପାରିବି- ନା, ସେମାନଙ୍କ ପାଖରେ ସେତିକି ଟଙ୍କା ନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ । ଯାହା ପଇସା ଦିନରେ ଖଟି ଆଣିଲେ, ସଂଜରେ ଓ ପରଦିନ ସେଇଥିରେ ଚଳିଲେ । ପୁଣି ଗାଁକୁ ଟଙ୍କା ପଠାଇଲେ । କେତେ ପଇସା ସେମିତି ରୋଜଗାର କରୁଛନ୍ତି କି? ମାସକୁ ଲକ୍ଷ ଲକ୍ଷ ? ସାମାଜିକ ଗଣମାଧ୍ୟମରେ ବସି ଦେଶ କଥା ଭାଷଣ ମାରିବା ସହଜ । ମଣିଷ ସବୁଦିନେ ଦୁର୍ଦ୍ଦଶା ସମୟରେ ନିଜ ଜନ୍ମମାଟିକୁ ଫେରିବାକୁ ଚାହେଁ । ଏହା ତାହାର ପ୍ରବୃତ୍ତି । ଏଠାରେ ମୁଁ ସ୍ପଷ୍ଟ କରିଦିଏ- ସହରୀ ଓ ଆଧୁନିକ ମଣିଷମାନଙ୍କ ପ୍ରବୃତ୍ତି ଏହା ନୁହେଁ । ଗରିବ, ମୂଲିଆ ଯଦି ମରିବ- ନିଜ ଜନ୍ମମାଟିରେ ମରିବ ।
ତେଣୁ କୌଣସି ଉପାୟ କାଢି, ସେମାନଙ୍କୁ ଘରକୁ ଫେରେଇ ଦେବାର ଆବଶ୍ୟକତା ଥିଲା । ଆମେ ପରା ଉହାନ କି ଇରାନରେ ଆମ ମଣିଷମାନଙ୍କୁ ଉଡ଼ାଜାହାଜରେ ଫେରେଇ ଆଣିଛୁ କରୋନା ବ୍ୟାପିବା ସମୟରେ । କାହିଁ ସେମାନେ ଧନୀ ବୋଲି? ଗରିବ ମଣିଷଙ୍କୁ ଫେରେଇ ନେବା ପାଇଁ କିଛି କରିବାର ଆବଶ୍ୟକତା ନାହିଁ । ସୁଖୀ, ଧନୀ ଓ ସହରୀ ମଣିଷମାନଙ୍କ ଆଖିରେ ଏମାନେ ପୋକ, ମାଛି । ଏମାନଙ୍କ କାରଣରୁ ରୋଗ ବ୍ୟାପିବ । ସେମାନେ ଏହାକୁ ବିରୋଧ କରିବେ ।
ଏବେ ତ ସବୁ ବ୍ୟବସ୍ଥା ଅଛି । ସଂଗରୋଧ ଗୃହ ଓ ହଜାର ହଜାର ଟେଷ୍ଟ ହୋଇ ପାରୁଛି । ପ୍ରାୟ ଜିଲ୍ଲାରେ ଡାକ୍ତରଖାନା ଖୋଲି ସାରିଛି । ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାର ଆମର । ଆମ ପ୍ରତିଟି ମଣିଷଙ୍କର । କେବଳ ଧନୀ ମଣିଷଙ୍କର ନୁହେଁ । ତେଣୁ ଆଶା କିଛି ତ ପଦକ୍ଷେପ ସରକାର ନେବେ ।
(ଲେଖକ ସାମ୍ବାଦିକତା ବିଭାଗର ଅଧ୍ୟାପକ)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.