Latest Odisha News

BREAKING NEWS

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ ବିଷାଦର ଶିକାର ହୋଇଥିଲି ଓ ତାହା କେତେ ମାତ୍ରାରେ ମତେ ପ୍ରଭାବିତ କରିଥିଲା, ସେ ସଂପର୍କରେ କହିବାକୁ ଆରମ୍ଭ କଲି । ଆମେ କ୍ୟାଣ୍ଟିନରେ ବସି କଫି ପିଉଛୁ । ପାଞ୍ଚ/ଦଶ ମିନିଟ ପରେ ମତେ ଲାଗିଲା, ସେ ଆଉ ଶୁଣିବାକୁ ଚାହୁଁନି । ବୋର୍‍ ହେଲାଣି । ତଥାପି ମୁଁ କହୁଥାଏ । ଶେଷକୁ ଆଉ କେଇ ମିନିଟ ପରେ ସେ କହିଲା- ଆସେ ଆସେ, ବୁଲିଦେବା ଶୀଘ୍ର । ନ ହେଲେ ସିକ୍ୟୁରିଟି ଆମକୁ ଆଉ ଛାଡ଼ିବନି । ସେକଥା ସେଇଠି ରହିଲା । ମୋର ଦୁଃଖର ସମୟର କାହାଣୀ ତା’ ଆଗରେ ମୁଁ କହି ପାରିଲିନି କି ଆଜିଯାକେ ବି ଆଉ କରିବାକୁ ଇଚ୍ଛା ହୋଇନି ।

୨୦୧୭ରେ ମୁଁ ଯୋଉଠି ଚାକିରି କରୁଥିଲି, ସେଇଠି କିଛି ସମସ୍ୟା ଆରମ୍ଭ ହେଲା । ତା’ପରେ ଏହା ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବାକୁ ଆରମ୍ଭ କଲା । ସଂଜ ବେଳେ ନିଇତି ଭୁବନେଶ୍ୱରରେ ମୁଁ ଓ ମୋ ସାଙ୍ଗ ସଂଜୟ ଦେଖାହେଉ । ଚାହା ପିଉ । ପଚାଶ କଥା ଗପୁ । ଯେବେ ମତେ ଲାଗିଲା, ସସମ୍ୟା ବଢୁଛି ଓ ଏହା ମତେ ଭାରାକ୍ରାନ୍ତ କରୁଛି- ମୁଁ ସଂଜୟକୁ କହିବା ପାଇଁ ଚାହିଁଥିଲି । କିନ୍ତୁ ସେ ଶୁଣିନଥିଲା । ଫଳରେ ଏହା ବଢି ଶୀର୍ଷରେ ପହଞ୍ଚି ଯାଇଥିଲା । ସେ ଚାକିରିରୁ ମୁଁ ଇସ୍ତଫା ଦେଇଦେଲି କିନ୍ତୁ ବିଷାଦ କମି ନଥିଲା । ରଂ ମତେ କବଳିତ କରି ପକେଇ ଥିଲା ।

ପୁଣି ପାର୍ଥ କଥାକୁ ଲେଉଟିଛି । ୨୦୧୯ ମଝିଆ ମଝି ବେଳକୁ ପାର୍ଥ ବ୍ୟବହାର ଟିକେ ବଦଳି ଗଲା । ସେ ମୋ ସାଙ୍ଗେ ପୂର୍ବରୁ ଲମ୍ବା ସମୟ ଧରି ଫୋନରେ କଥା ହୁଏ । ସମୟ ଯେତେ ଗଡ଼ିଲା, ତା ବ୍ୟବହାର ସେତେ ବଦଳିଲା । ଆଉ ସେ ସ୍ୱାଧୀନତା, ନିଜ ଜୀବନ ପରି ଅନେକ କଥା ଜୋରଦେଇ କହିବାକୁ ଆରମ୍ଭ କଲା । ମୁଁ ଜାଣିଲି- ସେ କୋଉଠି କୋଉ ଝିଅ ସାଙ୍ଗେ ନିଶ୍ଚେ ଜଡ଼ିତ ଅଛି । ବା ପ୍ରେମ କରୁଛି । କ୍ରମଶଃ ତା’ ଫୋନ ବ୍ୟସ୍ତ ଆସିଲା । ସକାଳେ, ଉପରବେଳା, ସଂଜ, ରାତି, ଡେରି ରାତି ସବୁବେଳେ । ୨୦୨୦ ଆରମ୍ଭ ବେଳକୁ ସେ ଆଉ ଫୋନରେ କଥା ହେଲାନି ଦୀର୍ଘଦିନ ଧରି । ଏସବୁ କଥା ଯେବେ ମତେ ପ୍ରଭାବିତ କଲା- ଆଉ ମୁଁ ତାକୁ କହିବାକୁ ଚାହିଁଲି, ସେ ଆଦୌ ଶୁଣିଲା ନାହିଁ । ବରଂ ହଜାରେ ବାହାନା ଆରମ୍ଭ କଲା । ପରେ ଅବଶ୍ୟ ତା ସହିତ ଅନ୍ୟ ପ୍ରକାର ଘଟଣାଟିଏ ଦୁର୍ଭାଗ୍ୟବଶତଃ ଘଟିଲା ବୋଲି ସେ ପୁଣି କଥା ହେବାକୁ ଆରମ୍ଭ କଲା । କିନ୍ତୁ ତା ପୂର୍ବ ତିନି ମାସ ସମୟର ନିର୍ଜନତା, ବିଷାଦ ପରି କିଛି ବହୁ ଭାବେ ପ୍ରଭାବିତ କରିଥିଲା । ସେ କ୍ଷୋଭ ମୋ ଭିତରୁ ଯେତେ ଚେଷ୍ଟା କଲେ ବି କେବେ ଯାଏନାହିଁ ।

ଏବେ ସୁଶାନ୍ତ ସିଂହ ରାଜପୁତଙ୍କ କଥାକୁ ଫେରୁଛି । ମୋର ପସନ୍ଦିଆ ଅଭିନେତାଙ୍କ ଭିତରୁ ସେ ଜଣେ । ଧୋନୀ ସିନେମାରେ ତାଙ୍କ ଅଭିନୟକୁ ନେଇ ମୁଁ ତାଙ୍କର ପ୍ରଶଂସକ ପାଲଟି ଯାଇଥିଲି । ଯେବେ ତାଙ୍କ ଅଚାନକ ଆତ୍ମହତ୍ୟା ଖବର ଆସିଲା, କୋଟି କୋଟି ଭାରତୀୟଙ୍କ ପରି ମୁଁ ବି ସ୍ତବ୍ଧ ହୋଇଯାଇଥିଲି । ଆତ୍ମହତ୍ୟା କାପୁରଷତାର ଲକ୍ଷଣ ବୋଲି ଅନେକ କହିଲେ । ତାଙ୍କୁ ଗାଳି ଦେଲେ । କିନ୍ତୁ- ଜଣେ ନିଜେ ନିଜର ଜୀବନ ନେବା ପାଇଁ ସବୁଠାରୁ ଅଧିକ ସାହସ ଦରକାର । ଏକଥା ଲୋକେ ଭୁଲିଗଲେ ।

ଦ୍ୱିତୀୟ ପ୍ରସଙ୍ଗ- ଗଣମାଧ୍ୟମରେ ମୁଁ ଏ ପ୍ରସଙ୍ଗକୁ ଲଗାତାର ଫଲୋ କରି ଆସିଛି । କରନ ଜୋହର କଣ କଲେ, କଙ୍ଗନା ରୌନତ କଣ କହିଲେ ଇତ୍ୟାଦି ଇତ୍ୟାଦି । କିନ୍ତୁ ସେ ବଞ୍ଚିଥିବା ବେଳେ କେହି ତାଙ୍କ କଥା ଶୁଣିଲେ ନାହିଁ । ଏପରିକି ସେ ଏ ଦୁନିଆରୁ ଶେଷ ବିଦାୟ ନେବା ପୂର୍ବରୁ ଯେଉଁ ଦୁଇ ଜଣଙ୍କୁ ଫୋନ କରିଥିଲେ, ସେମାନେ ତାହା ଉଠାଇ ନଥିଲେ ।

ମୁଖ୍ୟ ପ୍ରସଙ୍ଗ ହେଉଛି- ଆଜି ବି ଆମେ ବ୍ୟକ୍ତିଗତ ସମସ୍ୟା କଥା ହେଉନା । ଆଜି ବି ଆମେ ୨୦୨୦ ମସିହାରେ ପହଞ୍ଚିଲେ ବି ବ୍ୟକ୍ତିଗତ ଦୁଃଖ କଥା କାହାରି ଶୁଣୁନା । ଆମେ ଖୁସି କଥା ହେଉ । ଭୋଜିଭାତରେ ମିଶୁ, ବୁଲିବାକୁ ବାହାରକୁ ଯାଉ । ମୋଟ ଉପରେ କହିଲେ ସୁଖ ବାଣ୍ଟୁ । ବା କାହାରି ସୁଖରେ ଭାଗୀଦାର ହେଉ । କିନ୍ତୁ ଦୁଃଖରେ ଭାଗୀଦାର ହେଉନା । ଦୁଃଖ ବାଣ୍ଟିବାକୁ ଆମ ପାଖେ ସମୟ ନାହିଁ । ଏମିତିରେ ଆମେ ନିମ୍ନ ମଧ୍ୟବିତ୍ତମାନେ ଭାରି ଇମୋସନାଲ୍‍ । ଓ ଆମେ ଆମର କଥା କହିବାକୁ ପଛାଉ । ଆଉ ଯଦି କେବେ କିଏ ସାହସ କରି କହିଲା- ଆରେ, ଏଇ କଥାକୁ ନେଇ ମୁଁ ବହୁତ ଦୁଃଖି ଅଛି । ମତେ ଭଲ ଲାଗୁନି । ତୁ ଟିକେ ଶୁଣୁ ତ ମୋ କଥା ।’ ସେତେବେଳେ ଆମେ ଶୁଣୁନା । ଆମେ କାହାରି ଦୁଃଖ ଶୁଣୁନା । କିଏ ଦୁଃଖି ଥିଲେ ଆମେ ତାକୁ ସାହାଯ୍ୟର ହାତ ଆଦୌ ବଢାଉନା । ମୁଁ ମାନସିକ ଭାବେ ଦୁଃଖି କଥା କହୁଛି । କାରଣ- ସେଥିପାଇଁ ଲମ୍ବା ସମୟ ଶୁଣିବାର ଆବଶ୍ୟକତା ଅଛି । ତାକୁ ସମୟ ଦେବା ଦରକାର ଅଛି । ଏଥିପାଇଁ ସମୟ ଲାଗେ । ଧୈର୍ଯ୍ୟ ଦରକାର । ଆଉ ଆଜିକାଲିର ଡିଜିଟାଲ୍‍ ଦୁନିଆରେ ଆମେ ସେ ସମୟ ଦେବାକୁ ଆଦୌ ପ୍ରସ୍ତୁତ ନୋହୁଁ । ସେଇ କାରଣରୁ ତ ଡିଜିଟାଲ୍‍ ଦୁନିଆରେ ଆମ ପାଖରେ ମଣିଷ ନଥିଲେ ବି ଆମ ଉପରେ ଆଦୌ ପ୍ରଭାବ ପଡ଼ୁନି । କିନ୍ତୁ ଫୋନ ନଥିଲେ ଆମେ ବିଚଳିତ ହୋଇ ଯାଉଛୁ ।

ଆମେ ବଞ୍ଚୁଥିବା ଭର୍ଚୁଆଲ୍‍ ଦୁନିଆରେ- ଆମର ଅନେକ ସାଙ୍ଗସାଥୀ ଅଛନ୍ତି । କଲ ଦର ଶସ୍ତା ବା ମାଗଣା ହୋଇଗଲା ପରେ ଆମେ ଲମ୍ବା ସମୟ ଧରି ଗପନ୍ତି । କିନ୍ତୁ ଯେଉଁ ଲୋକଟି ଆମକୁ ଦରକାର କରେ, ବା ଯାହା ସହ ଆମେ କଥା ହେବା ଦରକାର ଆମେ ତାକୁ ସମୟ ଦେଉନା । ଫଳରେ ତା ଭିତରେ ଜମିଥିବା ଦୁଃଖ କ୍ରମଶଃ ଜମାଟ ବାନ୍ଧେ । ଆହୁରି ବହଳିଆ ହୁଏ । ଯାହା ଆଉ ବୋହି ପାରେନା । ଯଦି କେବେ ପରେ କିଏ ଶୁଣିବାକୁ ବି ଚାହିଁଲା, ତା ଭିତର ଦୁଃଖ ଏତେ ବହଳିଆ ହୋଇଯାଇଥାଏ ଯେ, ତାହା ଆଉ ତରଳି ପାରେନା । ତାର ଶେଷ ପରିଣତି ଆମେ ସୁଶାନ୍ତ ରାଜପୁତଙ୍କ କଥାରେ ଦେଖିଲେ ।

ଏ ବିଷୟରେ ମୁଁ ମୋ ସହଯୋଗୀ ପଦ୍ମଲୋଚନଙ୍କ ସହ କେଇ ଥର କଥା ହୋଇଛି । ପଦ୍ମଙ୍କ କହିବା ଅନୁସାରେ- ମଣିଷର କାମନା ରହୁଛି ବୋଲି ଦୁଃଖ ବଢୁଛି । ତେଣୁ ସେସବୁ କମାଇ ଦେଉ । ଦୁଃଖ ରହିବ ବା କାହିଁକି? ମତେ କିନ୍ତୁ ବଦଳରେ ଲାଗିଥିଲା- ଏଇ କାମନାରେ ବିନାଶରେ ଦୁଃଖର ବିନାଶ ପଦକ ସାରା ଦୁନିଆକୁ କହିବାକୁ ବୁଦ୍ଧଙ୍କୁ କେତେ ବର୍ଷ ଲାଗିଥିଲା? କେତେ କାଳ ସେ ତପସ୍ୟା କରିଥିଲେ? ସେ ପରା ରାଜ ପରିବାର, ଘର, ପିଲାଛୁଆ, ସଂସାର, ସମସ୍ତ ସୁଖ ଛାଡ଼ି ତପସ୍ୟା କଲା ପରେ ଯାଇ ସାରା ଦୁନିଆକୁ ଏ ମହତ ବାଣୀ ଶୁଣାଇ ଥିଲେ । ଆମଦ୍ୱାରା କଣ ଏସବୁ ସତରେ ସଂଭବ?

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Leave A Reply

Your email address will not be published.