Latest Odisha News

ସେବକ ବୀର ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉପଲକ୍ଷେ

ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ।  ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନରେ ପ୍ରବଳ ପରାକ୍ରମ ସହ ଇଂରେଜ ସରକାର ବିରୋଧରେ ଯୁଦ୍ଧ କରିଥିଲେ। ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବକ ଭାବରେ କାଟି ଦେଇଥିଲେ। ଦେଶପ୍ରେମ ଓ ପ୍ରଭୁପ୍ରେମର ଅପୂର୍ବ ସମନ୍ଵୟର ବ୍ୟକ୍ତିତ୍ୱ ହେଉଛନ୍ତି ପୁରୀର ଚନ୍ଦନ ହଜୁରୀ ଅର୍ଥାତ ଚାଖି ଖୁଣ୍ଟିଆ।

୧୮୨୭ ମସିହା ଜାନୁଆରୀ ୨୦ ତାରିଖ ଶାମ୍ବ ଦଶମୀ ତିଥିରେ ପୁରୀର ହରଚଣ୍ଡୀ ସାହିରେ ଚାଖି ଖୁଣ୍ଟିଆ ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ରଘୁନାଥ ଖୁଣ୍ଟିଆ ଓ (ଭୀମସେନ ହଜୁରୀ) ମାତାଙ୍କ କମଳାବତୀ ଦେବୀ ଥିଲା। ରଘୁନାଥ ଶ୍ରୀଜଗନ୍ନାଥଙ୍କର ଅଙ୍ଗଲାଗି ସେବକ ଥିଲେ । ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରିବା ସମୟରେ ପୁଅ ଜନ୍ମ ହୋଇଥିବାରୁ ତାର ନାମ ଚନ୍ଦନ ରଖିଥିଲେ। ବାଲ୍ୟକାଳରେ ଚନ୍ଦନ ପ୍ରବଳ ତୀକ୍ଷ୍ମ ଓ ଦୁଷ୍ଟ ସ୍ୱଭାବର ହୋଇଥିବାରୁ କିଛି ଲୋକ ତାଙ୍କୁ ଛାଖୁ ବା ଚାଖି ବୋଲି ସମ୍ବୋଧନ କରୁଥିଲେ। ସେହି ଅନୁସାରେ ପରବର୍ତ୍ତୀ ସମୟରେ ତାଙ୍କ ନାମ ଚାଖି ଖୁଣ୍ଟିଆ ହେଲା।

ଶ୍ରୀମନ୍ଦିରରେ ସେବା ଛଡ଼ା ସେ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ରଘୁନାଥ ଜଗନ୍ନାଥ ଦର୍ଶନ ଓ ରହିବାର ବନ୍ଦୋବସ୍ତ କରୁଥିଲେ ।  ବିଭିନ୍ନ ସମୟରେ ଯାତ୍ରୀ ବ୍ୟବସାୟରେ ସେ ଭାରତର ଅନେକ ଅଞ୍ଚଳ ଯାଉଥିଲେ । ବଡ଼ ହେବା ପରେ ଚାଖି ମଧ୍ଯ ବାପାଙ୍କ ସହ ଯାଉଥିଲେ। ତାଙ୍କ ସମୟରେ “ବିଠୁର” (ବର୍ତ୍ତମାନର ଉତ୍ତର ପ୍ରଦେଶ) ମଧ୍ୟ ଥିଲା ତାଙ୍କ ଯିବା ଆସିବା ଅଞ୍ଚଳ । ତାଙ୍କର ଗସ୍ତ ସମୟରେ ସେ ବାଜିରାଓଙ୍କ ଭଳି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ପରିଚିତ ଥିଲେ। ବିଠୁରରେ ରହୁଥିବା ପେଶଓ୍ଵା ବାଜିରାଓଙ୍କ ମୁଖ୍ୟ ସେନାପତି ମୋରେପନ୍ତ ତାମ୍ବେ ଥିଲେ ରଘୁନାଥ ହଜୁରୀଙ୍କର ଘନିଷ୍ଠ ଯଜମାନ। ସେମାନେ ପୁରୀ ଆସି ତାଙ୍କ ଘରେ ଅତିଥି ହୋଇଥିଲେ। ତାଙ୍କ ଝିଅ ମନୁ ଅର୍ଥାତ୍ ରାଣୀ ଲକ୍ଷ୍ମୀବାଇଙ୍କ ଖୁଣ୍ଟିଆ ପରିବାରର ସମ୍ପର୍କ ରହିଥିଲା। ବଡ଼ ହେବା ପରେ ଚାଖି ରାଣୀଙ୍କ ତୀର୍ଥ ଗୁରୁ ତଥା ପରାମର୍ଶଦାତା ହେଲେ । ତୀର୍ଥଗୁରୁ ହେଲେ ମଧ୍ୟ ରାଣୀ ଲକ୍ଷ୍ମୀବାଇଙ୍କୁ ସେ ନିଜର ଭଉଣୀ ପରି ମାନୁଥିଲେ । ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହେଲା ପରେ, ଭଉଣୀଙ୍କ ଡାକରାରେ ସେଠାରେ ପହଞ୍ଚି ରାଣୀ ଲକ୍ଷ୍ମୀ ବାଇଙ୍କ ସହ ମିଶି ଇଂରେଜ ବିରୁଦ୍ଧରେ ଯୁଦ୍ଧ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ରାଣୀ ଲକ୍ଷ୍ମୀବାଇଙ୍କ ମୃତ୍ୟୁ ହେଲା । ରାଣୀଙ୍କ ମୃତ୍ୟୁ ପରେ ସେ ନିଖୋଜ ହୋଇଯାଇଥିଲେ । ବହୁଦିନ ଧରି ଚାଖି ଘରକୁ ନଫେରିବାରୁ ଘର ଲୋକେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଧରିନେଇଥିଲେ । କିନ୍ତୁ ପ୍ରକୃତରେ ସେ କୌଶଳ କରି ନେପାଳ ଚାଲିଯାଇ ଜୀବନ ବଞ୍ଚାଇଥିଲେ । ବହୁ ଦିନ ପରେ ନିଜର ଜନ୍ମଭୂମି ପୁରୀକୁ ଫେରି ଆସି ତାଙ୍କର ଅବଶିଷ୍ଟ ଜୀବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ଅତିବାହିତ କରିଥିଲେ। ଜଗନ୍ନାଥଙ୍କ ଭକ୍ତିରେ ସେ ଅନେକ ଜଣାଣ ମଧ୍ଯ ରଚନା କରିଥିଲେ। ୧୮୮୧ ମସିହାରେ ସେ ମୃତ୍ୟୁ ବରଣ କରିଥିଲେ।

ଜନଶ୍ରୁତିରେ ଚାଖିଙ୍କର ଉଚ୍ଚତା ନଅ ଫୁଟ ଥିଲା। ତାଙ୍କ ଉଚ୍ଚତା ଅନୁସାରେ ସେ ଶୋଉଥିବା ଖଟର ଛଅ ଗୋଡ଼ ବିଶିଷ୍ଟ ଥିଲା। ଏବେ ମଧ୍ଯ ପୁରୀ ସହରରେ ତାଙ୍କ ଘରେ ତାଙ୍କର ଖଣ୍ଡା, ମୁଦ୍ଗର ଏବଂ ତାଙ୍କ ଦ୍ୱାରା ବ୍ୟବହୃତ ଅନେକ ଜିନିଷ ତାଙ୍କ ପରିବାରର ଦାୟାଦଙ୍କ ପାଖରେ ସୁରକ୍ଷିତ ରହିଛି। ଯୁଦ୍ଧ କ୍ଷେତ୍ରରେ ବୀରତ୍ୱ ଓ ଭକ୍ତିଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଉଭୟ ଚାଖି ଖୁଣ୍ଟିଆଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା।

ଯୁଦ୍ଧ କ୍ଷେତ୍ରରେ ବୀରତ୍ୱ ଓ ଭକ୍ତିଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଉଭୟ ଚାଖି ଖୁଣ୍ଟିଆଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ତାଙ୍କ ଜୀବନୀ ଆମକୁ ଜନ୍ମଭୂମି ପ୍ରତି କର୍ତ୍ତବ୍ୟ ପାଳନ ଏବଂ କର୍ମମୟ ଜୀବନ ପ୍ରତି ସମର୍ପଣର ଶିକ୍ଷା ଦିଏ।

 

Comments are closed.