ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଶାସ୍ତ୍ରଜ୍ଞଙ୍କ ମତରେ ଏହି ପବିତ୍ର ତିଥି ଉଦୟା ପୂର୍ଣ୍ଣିମା ବା ଉଦୟବ୍ୟାପିନୀ ପୂର୍ଣ୍ଣିମା ଭାବେ ବି ପରିଚିତ । ତେବେ ଲୋକାଚାରରେ ଏବଂ ଧର୍ମାଚାରରେ ଏହି ପାବନ ଦିନଟି ଦେବସ୍ନାନ ପୂର୍ଣ୍ଣିମା ରୂପେ ଅତି ପ୍ରଚଳିତ । ଏହି ତିଥିଟି ଦେବତାମାନଙ୍କ ସ୍ନାନ ନିମନ୍ତେ ଅଧିକ ପ୍ରକୃଷ୍ଟ ବୋଲି ଶାସ୍ତ୍ରଜ୍ଞମାନେ ମତବ୍ୟକ୍ତ କରନ୍ତି । ନୀଳାଚଳବିହାରୀ, ନୀଳକନ୍ଦର ଚୂଡ଼ାମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାବିଗ୍ରହ ଏହି ପବିତ୍ର ଜ୍ୟେଷ୍ଠପୂର୍ଣ୍ଣିମା ତିଥିରେ ପ୍ରକଟିତ ବା ଆବିର୍ଭୂତ ହୋଇଥିବାରୁ ଏହାକୁ ଶ୍ରୀବିଗ୍ରହମାନଙ୍କ ଜନ୍ମଦିନ ରୂପେ ଗ୍ରହଣ କରାଯାଏ । ସାଧାରଣତଃ ପରିବାରମାନଙ୍କରେ ନବଜାତକୁ ଯେଭଳି ଭାବେ ସ୍ନାନ କରାଯାଇଥାଏ, ଠିକ୍ ସେମିତି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମା ତିଥିରେ ସ୍ନାନ କରାଯିବାର ପରଂପରା ରହିଛି ।
ନୀଳିଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ,
“ଦୀନବନ୍ଧୋ ଦୟାସିନ୍ଧୋ ନୀଳାଚଳପତେ ହରେ ।
ଅଦ୍ୟ ଜନ୍ମଦିନଂ ନାଥ ପାବନଂ ଜାୟତେ ତବ ।।”
ବର୍ଷ ତମାମ୍ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ମହାପ୍ରଭୁ ପତିତଜନଙ୍କ ଉଦ୍ଧାର ପାଇଁ ବାଧ୍ୟ ହୋଇ ସେ ନୀଳକନ୍ଦରରୁ ବାହାରକୁ ଆସନ୍ତି, ଭକ୍ତଜନଙ୍କୁ ଦର୍ଶନ ଦିଅନ୍ତି ଏବଂ ପତିତ ଉଦ୍ଧାର କରି ପତିତପାବନ ନାମକୁ ଚରିତାର୍ଥ କରନ୍ତି । ସେଥିପାଇଁ ତ ଏ ମାଟିର କବିକୁଳ ଶିରୋମଣି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ କାବ୍ୟରେ ବର୍ଣ୍ଣନା କରିଛନ୍ତି,
“ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂଳୀଳା ଯାର ।
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।।”
ଅନ୍ୟ ଏକ ଦର୍ଶନ କହେ ଯେ, ଗ୍ରୀଷ୍ମେ ବୈଶାଖ, ଜ୍ୟେଷ୍ଠ ମାସ .. ପ୍ରଚଣ୍ଡ ରୌଦ୍ର ପରକାଶ । .. ସେହି ପ୍ରଚଣ୍ଡ ରୌଦ୍ରତାପରୁ ନିସ୍ତାର ପାଇବା ପାଇଁ ପ୍ରଭୁ ଦୀର୍ଘ ଦିନ ଧରି ବିଭିନ୍ନ ଉପାୟ ଅବଲମ୍ବନ କରିଆସୁଥିଲେ । ଅକ୍ଷୟ ତୃତୀୟାଠାରୁ ଚନ୍ଦନଯାତ୍ରା କରିବା ସହ ନରେନ୍ଦ୍ରରେ ଚାପ ଖେଳୁଥିଲେ । ତଥାପି ସେ ଅସହ୍ୟ ଗ୍ରୀଷ୍ମଦାଉରୁ ନିସ୍ତାର ନଥିଲା । ତେଣୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ମନଭରି ସ୍ନାନକରନ୍ତି ଏ ମନୁଆ ଠାକୁର । ଆଉ ଅଖିଳବ୍ରହ୍ମାଣ୍ଡ ପତି ଯେତେବେଳେ ସମସ୍ତଙ୍କ ସମ୍ମୁଖରେ ସ୍ନାନବେଦୀରେ ସର୍ବତୀର୍ଥର ସୁବାସିତ ଜଳରେ ସ୍ନାନ କରିବେ, ସେ ମନୋରମ ଦୃଶ୍ୟକୁ ନିଜ ଅନ୍ତରାତ୍ମାରେ ସବୁଦିନ ପାଇଁ ସାଇତି ରଖିବା ପାଇଁ କାହିଁକି ବା କେହି ଦୌଡ଼ି ନଆସିବ? ହଁ .. ଏ ଅନୁପମ ଦୃଶ୍ୟର ଅବଲୋକନ ପାଇଁ ଚଉଦ ଭୁବନରୁ ଓହ୍ଲାଇ ଆସନ୍ତି ଦେବତା, ଦାନବ, ମାନବ, ଯକ୍ଷ, କିନ୍ନର, ଜଙ୍ଗମଙ୍କ ସମେତ ସଚରାଚର ପୃଥ୍ୱୀର ଦିବଙ୍ଗତ ଆତ୍ମାମାନେ ।
ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରତ୍ୟୁଷରୁ ହିଁ ଶ୍ରୀବିଗ୍ରହମାନଙ୍କୁ ସ୍ନାନବେଦୀକୁ ଯାତ୍ରା କରାଇବା ପାଇଁ ପ୍ରସ୍ତୁତି ଚାଲେ । ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା ପୂର୍ବରୁ ସ୍ୱର୍ଣ୍ଣକୂପକୁ ସଂସ୍କାର କରାଯାଇଥାଏ । ଏହାସହ ସ୍ନାନବେଦୀକୁ ସମ୍ପୂର୍ଣ୍ଣ ସଂସ୍କାର କରାଯାଇ ଅତ୍ୟନ୍ତ ମନୋରମ ଭାବେ ସଜ୍ଜିତ କରାଯାଇଥାଏ । ଶ୍ରୀମନ୍ଦିରରୁ ସ୍ନାନବେଦୀକୁ ପହଣ୍ଡିରେ ଆସିଲା ବେଳେ ପ୍ରଥମେ ଶ୍ରୀସୁଦର୍ଶନ, ତାପରେ ଶ୍ରୀବଳଭଦ୍ର ଓ ପଛକୁ ପଛ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରନ୍ତି । ଧାଡ଼ି ପହଣ୍ଡିରେ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନବେଦୀକୁ ବିଜେ କଲାବେଳେ ଜଗମୋହନରୁ ସାତ ପାହାଚ ଆସିବା ପରେ ଶ୍ରୀବିଗ୍ରହଙ୍କୁ ଟାହିଆ ଓ ଚୂଳଲାଗି କରାଯାଏ । ଘଣ୍ଟ ଘଣ୍ଟା କାହାଳୀର ଶବ୍ଦରେ ପ୍ରକଂପିତ ହେଉଥାଏ ଚାରିଦିଗ । ମନେ ହେଉଥାଏ ସତେ ଯେମିତି ଧରାବକ୍ଷକୁ ଓହ୍ଲାଇ ଆସୁଛନ୍ତି ଦେବତା, ନିଜ ଦଳବଳ ଅନୁଚର ଅନୁଗତଙ୍କୁ ନେଇ । ସଂସାର ଭାରା ଲାଘବ କରିବା ପାଇଁ ସତେ ଯେମିତି ନିଶ୍ଚିତ କରି ଆସିଛନ୍ତି ପ୍ରଭୁ । ଉର୍ଦ୍ଧ୍ୱବାହୁ ହୋଇ ବଡ଼ଦାଣ୍ଡରେ ସ୍ନାନବେଦୀ ସମ୍ମୁଖରେ ଅନାଇ ରହିଥାଏ ଭକ୍ତ । ନିଷ୍ପଲକ ନୟନରେ ସ୍ନାନମଣ୍ଡପ ଉପରେ ପ୍ରଭୁଙ୍କ ଦର୍ଶନ ପାଇଁ ।
ଗୋଟିଏ ପଟେ ସ୍ନାନମଣ୍ଡପରେ ବିରାଜମାନ କରୁଥାନ୍ତି ଶ୍ରୀଜିଉମାନେ, ଅନ୍ୟ ପଟେ ଶୀତଳା ଦେବୀଙ୍କ ସମ୍ମୁଖରେ ପୂର୍ବରୁ ଶୁଦ୍ଧପୂତ ହୋଇ ରଖାଯାଇଥିବା ସ୍ୱର୍ଣ୍ଣକୂପର ଅଷ୍ଟୋତ୍ତରଶତ ଜଳ କୁମ୍ଭ ବା ୧୦୮ ଗରା ଜଳକୁ ଅଧିବାସ ଘରକୁ ଅଣାଯାଇଥାଏ । ବର୍ଷତମାମ ଏହି କୂପର ଜଳ ବ୍ୟବହାର ହୁଏ ନାହିଁ । କେବଳ ଦେବସ୍ନାନ ପାଇଁ ବ୍ୟବହୃତ ହୁଏ ଏହି ଜଳ । କାଳକାଳାନ୍ତରରୁ ଏହି ବିଶ୍ୱାସ ରହିଛି ଯେ, ଦେବସ୍ନାନ ଉଦ୍ଦେଶ୍ୟରେ ଏହି କୂପରେ ବିଶ୍ୱର ସମସ୍ତ ପବିତ୍ର ତୀର୍ଥକ୍ଷେତ୍ରର ଜଳ ଆସି ଏକତ୍ର ହୋଇଥାନ୍ତି । କୁସୁମ ପରଶେ ପଟ ନିସ୍ତରେ ନ୍ୟାୟରେ ଏହି ତୀର୍ଥଜଳମାନେ ଅପେକ୍ଷା କରି ରହିଥାନ୍ତି ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ସ୍ନାନ ସେବା ଦେଇ ନିଜେ ପବିତ୍ର ହେବା ପାଇଁ ।
ଏହି ଅଷ୍ଟୋତ୍ତରଶତ କୁମ୍ଭ ଜଳରୁ ପଂଚତିରିଶ କୁମ୍ଭ ଶ୍ରୀଜଗନ୍ନାଥଙ୍କ ପାଇଁ, ଶ୍ରୀବଳଭଦ୍ରଙ୍କ ନିମନ୍ତେ ତେତିଶ କୁମ୍ଭ, ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ବାଇଶ କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କ ପାଇଁ ଅଠର କୁମ୍ଭ ଜଳ ସ୍ନାନ ନିମନ୍ତେ ବିନିଯୋଗ କରାଯାଏ । ପ୍ରତ୍ୟୁଷରୁ ଶ୍ରୀବିଗ୍ରହମାନଙ୍କୁ ରତ୍ନସିଂହାସନରୁ ସ୍ନାନବେଦୀକୁ ଅଣାଯାଇଥିବାରୁ ଠାକୁରଙ୍କ ସମସ୍ତ ଦୈନନ୍ଦିନ ନୀତି ସ୍ନାନବେଦୀ ଉପରେ ହିଁ ସଂପାଦିତ ହୋଇଥାଏ । ମଙ୍ଗଳ ଆଳତି, ମଇଲମ ଏବଂ ତଡ଼ପଲାଗି ନୀତି ବେଦୀ ଉପରେ ହିଁ ହୁଏ । ବଡ଼ ବିଚିତ୍ର ଏ ଲୀଳାମୟଙ୍କ ଲୀଳା । ସବୁକାମ ମଣିଷ ଭଳି । ସେଥିପାଇଁ ତ ସେ ମାନବ ଦେବତା । ପହଣ୍ଡିବେଳେ ପ୍ରଭୁ କାଳେ ହାଲିଆ ହୋଇଯାଇଥିବେ, ତେଣୁ ତାଙ୍କ ଘର୍ମକ୍ଳାନ୍ତିକୁ ଦୂର କରିବା ପାଇଁ ସ୍ନାନମଣ୍ଡପ ଉପରେ ହିଁ ସୁବାସିତ କର୍ପୂର ଜଳରେ ଶ୍ରୀମୁଖ ଧୋପଖାଳ କରାଯାଏ ।
ଶ୍ରୀବିଗ୍ରହମାନଙ୍କୁ ନୂଆ ବସ୍ତ୍ର, ମାଳ, ଚୂଳ ଇତ୍ୟାଦି ଦ୍ୱାରା ଅତି ସୁନ୍ଦର ଭାବେ ସଜାଇ ଦିଆଯାଏ । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଆଦି ନୀତି ସଂପନ୍ନହେବା ପରେ ଘଂଟ, ଘଂଟା, କାହାଳୀ ବାଦ୍ୟର ଗୁରୁଗମ୍ଭୀର ଶବ୍ଦ ମଧ୍ୟରେ ଚାରିବାଡ଼ର ଜଳ କଳସ ବା ଜଳଛେକ ଚାରି ବିଗ୍ରହଙ୍କ ନିକଟରେ ଆଣି ରଖାଯାଏ। ବାଦ୍ୟ ବାଜଣା ଓ ମନ୍ତ୍ର ଧ୍ୱନି ମଧ୍ୟରେ ରୁପା ପିଙ୍ଗଣରେ ଏହି ଆଦିଦେବତାମାନଙ୍କୁ ସ୍ନାନ କରାଯାଏ । ଏହି ସମୟରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକଂପିତ ହୋଇଉଠେ ଚଉଦଭୁବନ । ଶାସ୍ତ୍ରଜ୍ଞମାନେ କହନ୍ତି, ଦେବସ୍ନାନ ପୂର୍ଣ୍ଣିମାରେ ଦେବଲୋକରୁ ଦେବତାମାନେ ଓହ୍ଲାଇ ଆସି ମହାପ୍ରଭୁଙ୍କ ଏ ଦିବ୍ୟସ୍ନାନକୁ ଦର୍ଶନ କରନ୍ତି । ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟିଜନ୍ମର ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୁଏ ରାଜନୀତି । ଗଜପତି ମହାରାଜ ସ୍ନାନବେଦୀକୁ ଆସି ଛେରାପହଁରା ନୀତି ସଂପାଦନ କରନ୍ତି । ସ୍ୱର୍ଣ୍ଣ ଖଡ଼ିକାରେ ଚନ୍ଦନମିଶ୍ରିତ ଜଳକୁ ଶ୍ରୀଜିଉଙ୍କ ସମ୍ମୁଖରେ ଛିଞ୍ଚି ପହଁରା ମାରନ୍ତି । ପ୍ରମାଣିତ କରନ୍ତି, ସେ ଗଜପତି ହୋଇପାରନ୍ତି, କିନ୍ତୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ଦାସାନୁଦାସ । ପ୍ରଭୁଙ୍କ ଆଦ୍ୟସେବକ ।
“ଉତ୍କଳେ ନେତାର ନାହିଁ ପ୍ରୟୋଜନ ।
ଉତ୍କଳର ନେତା ସ୍ୱୟଂ ନାରାୟଣ ।।”
ଏହି କଥାକୁ ବାରମ୍ବାର ପ୍ରମାଣିତ କରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଗଜପତି ମହାରାଜଙ୍କ ଦାସତ୍ୱ । ରାଜନୀତି ସଂପାଦନ ପରେ ଆରମ୍ଭ ହୁଏ ହାତୀବେଶବା ଗଜାନନ ବେଶ ପାଇଁ ପ୍ରକ୍ରିୟା । ରାଘବଦାସ ମଠ ପକ୍ଷରୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପାଇଁ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ବେଳେ ଗୋପାଳତୀର୍ଥ ମଠରୁ ଆସେ ଶ୍ରୀବଳଭଦ୍ର ଓ ଶ୍ରୀସୁଦର୍ଶନଙ୍କ ପାଇଁ ବେଶ ସାମଗ୍ରୀ ।
ଭାବ ବିନୋଦିଆ ହରି ସେ । ଭାବକୁ ନିକଟ ଅଭାବକୁ ଦୂର । ସେଥିପାଇଁ କାହିଁ କେଉଁକାଳରୁ ଦାକ୍ଷିଣାତ୍ୟର ଭକ୍ତ ଗଣପତି ଭଟ୍ଟର ମନୋବାଂଚ୍ଛା ପୂରଣ ପାଇଁ ପ୍ରଭୁ ନିଜେ ଜଗନ୍ନାଥ, ଭକ୍ତର ଆରାଧ୍ୟ ଗଣପତି ବା ଶ୍ରୀଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଆସୁଛନ୍ତି । ସୋଲ, ଜରି, ଜମ୍ବୁରାରେ ପ୍ରସ୍ତୁତ ହାତୀବେଶରେ ସଜେଇ ହୋଇସାରିବା ପରେ ଜଗନ୍ନାଥ ଆଉ ଜଗନ୍ନାଥ ହୋଇରହନ୍ତି ନାହିଁ । କିଛି ମୁହୂର୍ତ୍ତ ପାଇଁ ପ୍ରଭୁ ଲାଗନ୍ତି ଅଗ୍ରପୂଜ୍ୟ ଗଣେଶଙ୍କ ଭଳି । ପ୍ରଭୁ ପରଂବ୍ରହ୍ମ ନିର୍ଗୁଣ ଓ ସଗୁଣର ପ୍ରତୀକ ଭାବେ ପ୍ରତୀୟମାନ ହୁଅନ୍ତି ।
ଗଜାନନ ବେଶ ପରେ ସାହାଣମେଲା ଦର୍ଶନ ହୁଏ । ସର୍ବସାଧାରଣ ଭକ୍ତମଣ୍ଡଳୀ ମହାପ୍ରଭୁଙ୍କ ଏ ଦିବ୍ୟରୂପକୁ ଦର୍ଶନ କରନ୍ତି । ଏହାସହ ଚଉଦ ଭୁବନରୁ ଆସିଥିବା ସମସ୍ତ ଅଦୃଶ୍ୟ ସତ୍ତା ବି ମହାପ୍ରଭୁଙ୍କ ଏ ଦିବ୍ୟଲୀଳା ଦର୍ଶନର ସୌଭାଗ୍ୟ ଅର୍ଜନ କରନ୍ତି । ତା ପରେ ପରେ ଠାକୁରମାନଙ୍କ ଅନ୍ୟାନ୍ୟ ସମସ୍ତ ନୀତି ସଂପାଦିତ ହୋଇ ଫେରନ୍ତା ପହଣ୍ଡି କାର୍ଯ୍ୟ ଆରମ୍ଭ ହୁଏ । ହେଲେ ଠାକୁର ଏଥର କିନ୍ତୁ ରତ୍ନ ସିଂହାସନକୁ ଫେରନ୍ତି ନାହିଁ । ଯାଆନ୍ତି ଅଣସର ପିଣ୍ଡିକୁ । ଆସିଲା ବେଳେ ସିନା ଧାଡ଼ି ପହଣ୍ଡିରେ ଆସିଥାନ୍ତି, କିନ୍ତୁ ଫେରିଲା ବେଳେ ଫେରନ୍ତି ଗୋଟି ପହଣ୍ଡିରେ । ଏକ ଭାବବିହ୍ୱଳ ପରିବେଶରେ ପ୍ରଭୁଙ୍କୁ ମେଲାଣି ଦିଅନ୍ତି ଭକ୍ତ । ହରିବୋଲ ହୁଳହୁଳି ଧ୍ୱନିରେ କଂପୁଥାଏ ଚାରିଦିଗ । ଠାକୁରମାନେ ଅଣସର ପିଣ୍ଡିରେ ପହଞ୍ଚିବା ପରେ ଆରମ୍ଭ ହୁଏ ଅନବସର ନୀତି । ଆଉ ଏହାସହ ଶେଷ ହୁଏ ଦେବଙ୍କ ଗହଣରେ ଦେବସ୍ନାନର ବିଧି । … ###
ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ – ୧୪୦୪୧୩ ଫୋନ୍- ୯୯୩୭୨୫୨୪୬୪
Comments are closed.