ପ୍ରସେନଜିତ ସେଠୀ
କାଳିଆ ତୁ
ଶ୍ରୀକ୍ଷେତ୍ରେ ବିରାଜି
ବୋଲାଉ ଜଗତ ଈଶ୍ଵର
ତୋ ଇଙ୍ଗିତେ ଏ ସାରା ସଂସାର
ପ୍ରତି କ୍ଷଣ ହୁଅଇ ତତ୍ପର
ତୁ ଦେଖୁଥାଉ ତୋ ଲୀଳା ସମ୍ଭାର
ତୋର ରତ୍ନ ସିଂହାସନେ
ରହି ସ୍ଥିର!!
ସଭିଏଁ ତୋର କ୍ଷେତ୍ରେ ଯାଇ
ତୋ ପାଶେ ପଶନ୍ତି ଶରଣ
ନିଜ ଦୁଃଖ ଦୁର୍ଦ୍ଦଶା ବଖାଣି
ତୋ ପାଦେ କରନ୍ତି ଜଣାଣ
କେତେ ସେମାନଙ୍କ ସ୍ବପ୍ନ
ତୁ କରୁ ପୂରଣ
ତାହା ତୋତେ ଜ୍ଞାନ
ତୋ ବିଶ୍ୱାସ, ଭକତି ଡୋରିରେ
ସବୁ ଏଠି ମୁହ୍ୟମାନ!!
ତୋ ଆନନ୍ଦ ବଜାରେ ଯାଇଣ
ବ୍ରାହ୍ମଣଙ୍କୁ କଲେ ଅନ୍ନଦାନ
ତୁ ହେଉ ପ୍ରସନ୍ନ
ସର୍ବ ମନୋବଞ୍ଚା କରୁ ପୂର୍ଣ୍ଣ
କେତେ ସତ୍ୟ, କେତେ ମିଥ୍ୟା ତାହା
କେବଳ ତୋତେ ଥିବ ଜ୍ଞାନ!!
ତୋ ମନ୍ଦିର ବାଇଶି ପାହାଚେ
କଲେ ପିଣ୍ଡଦାନ
ପୂର୍ବଜଙ୍କୁ କରିଣ ସ୍ମରଣ
ସେମାନଙ୍କ ଆତ୍ମା ଶାନ୍ତି ହୁଏ
ବିଶ୍ୱାସ ଏ ଅଟଇ ମହାନ୍।
ସୀମିତ ଏ ଲେଖନୀ କାଳିରେ
କି କରିବି ତୋତେ ମୁଁ ବଖାଣ
ଯୁଗ ବ୍ୟାପି ତୋତେ ଲେଖିଲେ ବି
ତାହା ହେବ ଗୌଣ
ସ୍ୱର୍ଗକୁ ନିଶୁଣି ସମାନ!!
କାଳିଆରେ, ତୁ ଆଜି ଯାଏଁ
ଶୁଣିଚୁ ସଭିଙ୍କ ଜଣାଣ
ଅଳ୍ପ କି ପୂର୍ଣ୍ଣ ଭାବେ ହେଉ
ମନୋବାଞ୍ଚା କରିଛୁ ପୂରଣ
ହେଲେ ଆଜି ତୋ ଏହି ସଂସାର
ଅତି ଶୁନଶାନ
କରୋନାର ବିକଟାଳ କାୟା
ବଢ଼ିଚାଲେ ଘନ ଘନ
ଚାରିଆଡ଼େ ମଢା କୁଢ଼ କୁଢ଼
ଲାଗଇ ସତେ କି ଶ୍ମଶାନ!!
ଏ ସମୟେ ତୋର ଘୋଷ ଯାତ୍ରା
କେମିତି ହେବ ଆୟୋଜନ
ଭକତଙ୍କ ବିନା ତୁ କେମନ୍ତେ
ଗୁଣ୍ଡିଚା କରିବୁ ଗମନ
ତାର କି ବା ପ୍ରୟୋଜନ !
ଜଗତ ଆତୁରେ କାନ୍ଦୁଛି
ତୁ ଆଜି କାହିଁକି ମଉନ
ଏ ଦୁଃଖର କର ଅବସାନ
ଏତିକି ମୋର ନିବେଦନ!!
ବାଲିଆ ଗୋପୀନାଥପୁର ଜଗତସିଂହପୁର