ଆନୁଷ୍ଠାନିକ ଶିକ୍ଷା ସବୁ ଯୁଗରେ ଓ ସବୁ ଦେଶରେ ଗୁରୁ-ଶିଷ୍ୟ ବା ଶିକ୍ଷକ-ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ମୁକ୍ତ ପ୍ରାଙ୍ଗଣେର କିମ୍ବା ଶ୍ରେଣୀଗୃହରେ ପାଠ୍ୟକ୍ରମର ସିଧାସଳଖ ବିନିମୟ ମାଧ୍ୟମରେ ସମାହିତ ହୋଇଥାଏ| ଏପରିକି କର୍ମଭିତ୍ତିକ ଶିକ୍ଷା ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶନାରେ ଅଥବା ସହାୟତାରେ ସଞ୍ଚାଳିତ ହୁଏ| ମାତ୍ର ଏବେ ଭୟାବହ କରୋନା ଭୂତାଣୁର ସଂକ୍ରମଣ ଯୋଗୁ ସାରା ବିଶ୍ବର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ପଡ଼ିଛି| ସ୍ପର୍ଶ ଜରିଆରେ ବ୍ୟାପୁଥିବା କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପସ୍ବରୂପ ସାରା ବିଶ୍ବର ପ୍ରଥମେ ପ୍ରଭାବିତ ରାଷ୍ଟ୍ରଗୁଡ଼ିକର ସମସ୍ତ ଶିକ୍ଷାନୁଷ୍ଠାନ ୨୦୨୦ ଜାନୁଆରୀରୁ ବନ୍ଦ ରହିଛି| ତେଣୁ ପାଠପଢ଼ିବା ବୟସର ସବୁ ପିଲା ବର୍ତ୍ତମାନ ଶିକ୍ଷାରୁ ବଞ୍ଚିତ ହୋଇପଡ଼ିଛନ୍ତି| ସ୍କୁଲ, କଲେଜ ତଥା ବିଶ୍ବବିଦ୍ୟାଳୟ ସ୍ତରରେ ରୁଟିନ୍ ର କ୍ରମ ଓ ସମୟ ନିର୍ଘଣ୍ଟ ଅନୁଯାୟୀ ତଥା ସହାୟକ ଉପକରଣର ସାହାଯ୍ୟ ନେଇ ଯେଉଁ ଶିକ୍ଷାପ୍ରଦାନ କରାଯାଉଥିଲା ତାହା ଏବେ ପୁରା ବିପର୍ଯ୍ୟସ୍ତ| ଘରେ ଅଭିଭାବକମାନେ ପିଲାଙ୍କୁ ପାଠ ପଢ଼ାଇବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଟିକୁ ଦୈନିକ କରୁଥିଲେ ମଧ୍ୟ ତାହା ଶ୍ରେଣୀଗୃହରେ ଗୁରୁଙ୍କ ଶିକ୍ଷାଦାନର ଧାରାରେ ସମ୍ପନ୍ନହେବା କଦାପି ସମ୍ଭବ ନୁହେଁ|
ପୁଣି ସ୍କୁଲରେ ଶ୍ରେଣୀର ପଢ଼ାସାଥିଙ୍କ ସହିତ ଯେପରି ପାଠର କିଛି ଅବୁଝା ବିଷୟରେ ପାରସ୍ପରିକ ଆଲୋଚନା ବା ପିଅର୍ ଲର୍ଣ୍ଣିଂର ସୁଯୋଗ ଥାଏ ତହିଁରେ ବାଧା ଉପୁଜିବା ନିଶ୍ଚିତ| ଫଳରେ ଶିକ୍ଷା ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ ବୋଲି ଅଭିଭାବକ ଏବଂ ଶିକ୍ଷାବିତମାନେ ମତ ଦେଇଛନ୍ତି|
ଭାରତରେ କୋଭିଡ-୧୯ ମହାମାରୀର ଉପସ୍ଥିତି ମାର୍ଚ୍ଚ ଶେଷଆଡ଼କୁ ଜଣାପଡ଼ିଥିବା ବେଳେ ଏନେଇ ସଚେତନତାର ସନ୍ଦେଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁରେ ସାରା ଦେଶର ଜନସାଧାରଣ ଅଶଂଗ୍ରହଣ କରିଥିଲେ| ପରେ ୨୪ ତାରିଖରେ ଜାରିହେଲା ଦେଶବ୍ୟାପୀ ଅବରୋଧ| ସାମାଜିକ କାର୍ଯ୍ୟକଳାପ ଉପରେ ଲଗାଗଲା କଟକଣା| ସଙ୍ଗରୋଧ, ସାମାଜିକ ଦୂରତା ରକ୍ଷା ଏବଂ ଗୃହରେ ଏକାନ୍ତବାସ ଭଳି ନୀତି ପାଳନ ଅନିବାର୍ଯ୍ୟ ହୋଇପଡ଼ିବାରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଗଲା| ଅବଶ୍ୟ ଅନେକ ରାଜ୍ୟରେ ମାର୍ଚ୍ଚ ୨୨ ପୂର୍ବରୁ ମଧ୍ୟ ଶିକ୍ଷାନୁଷ୍ଠାନକୁ ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ର ଭାବେ ବିଚାରକରି ସ୍କୁଲ, କଲେଜ ଛୁଟି ଲାଗି ଘୋଷଣା ସରିଥିଲା|
ଅଧିକ ପଢନ୍ତୁ: ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଓଡ଼ିଶା, ନବୀନ ସରକାରଙ୍କ ଅଭିନନ୍ଦନୀୟ ଭୂମିକା
ଓଡ଼ିଶା ସରକାର ଆଗୁଆ ରାଜ୍ୟ ଭାବେ ତ୍ବରିତ ନିଷ୍ପତ୍ତି ନେଇ ମାର୍ଚ୍ଚ ୧୬ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଥିଲେ| ଶ୍ରେଣୀପରୀକ୍ଷାଗୁଡ଼ିକୁ ବାତିଲ କରିଦିଆଯାଇଥିଲା| ସେବେଠାରୁ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ବିଷମ ଅବସ୍ଥାରେ ରହିଛି| ତେବେ ସଂକ୍ରମଣର ବିପଦ କମିନଥିବା କାରଣରୁ ପ୍ରଥମ ପର୍ଯ୍ୟାୟର ୨୧ଦିନିଆ ଲକ୍ ଡାଉନ ଶେଷହେବା ପରେ ଅବରୋଧ ଅବଧିକୁ ଏପ୍ରିଲ୍ ୩ତାରିଖ ଯାଏଁ ଆହୁରି ୧୯ଦିନ ବୃଦ୍ଧି କରାଯାଇଛି| ତେଣୁ ଶିକ୍ଷାନୁଷ୍ଠାନର କାର୍ଯ୍ୟରେ ମଧ୍ୟ ରୋକ୍ ଲାଗିଛି|
ଏପରି ଦୁସ୍ଥିତି ପରିପ୍ରେକ୍ଷୀରେ ତାଲାବନ୍ଦର ସମୟ କେବେ ଶେଷହେବ ତାହା ଏବେଠାରୁ କହିବା କଷ୍ଟକର| ଯଦିଓ ଦେଶର ଏବଂ ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ଅଚଳ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କେତେକ କାର୍ଯ୍ୟକ୍ଷେତ୍ର୍ରକୁ କୋହଳ କରାଯାଇଛି, କିନ୍ତୁ ଶିକ୍ଷାକ୍ଷେତ୍ରକୁ ଏହି ରିହାତି ମିଳିବର ସମ୍ଭାବନା ନାହିଁ| ଅର୍ଥାତ୍ ବନ୍ଦ ସମୟ ଆହୁରି ବଢ଼ିପାରେ|
ଏପର୍ଯ୍ୟନ୍ତ ସମୟ ସାରଣୀ ଅନୁସାରେ ନିର୍ଦ୍ଧାରିତ ପାଠ୍ୟକ୍ରମ ପଛେଇ ଯାଇଥିବା ବେଳେ ଆଗାମୀ ପରୀକ୍ଷା ପାଇଁ ବି ଘରୋଇ ସ୍ତରରେ ପ୍ରସ୍ତୁତି ମାନ୍ଦା ପଡ଼ିଯାଉଛି| ଲୋକେ ଗୃହବନ୍ଦୀ ଅବସ୍ଥାରେ ରହିଥିବା ଦୃଷ୍ଟିରୁ ନାନାପ୍ରକାର ଦୁଶ୍ଚିନ୍ତା ତଥା ଆର୍ଥିକ ଓ ମନସ୍ତାତ୍ତ୍ବିକ ନୈରାଶ୍ୟର ଶିକାର ହେଉଥିବା ଖବର ମିଳୁଛି| ଏପରି ସ୍ଥିତିରେ ପିଲାଙ୍କ ପାଠପଢ଼ା ଯେ ଉଚିତ ଭାବେ ହେଉଥିବ ସେଥିରେ ସନ୍ଦେହ ସୃଷ୍ଟିହେବା ଅମୂଳକ ନୁହେଁ|
ଏହି ବିଗିଡ଼ିଯାଉଥିବା ଅବସ୍ଥାକୁ ବିଚାରକରି ଓଡ଼ିଶା ସରକାର ଏବେ ଅନଲାଇନ୍ ରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି| ଅବଶ୍ୟ ମାର୍ଚ୍ଚ ୧୬ରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇ ଯେଉଁ ନିର୍ଦ୍ଦେଶିକା ଜାରି କରିଥିଲେ ସେଥିରେ ପିଲାଙ୍କୁ ପାଠରେ ସହାୟତା କରିବାକୁ ସବୁ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ସଜାଗ ରହିବାକୁ କୁହାଯାଇଥିଲା|
ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ କିମ୍ବା କୌଣସି ସନ୍ଦେହ ମୋଚନ ପାଇଁ ସେମାନେ ନିଜ ଫୋନରେ ୨୪ ଗୁଣନ ୭ ବା ସପ୍ତାହର ୨୪ଘଣ୍ଟା ସତର୍କ ରହିବେ| ଏନେଇ କ’ଣ ଫଳ ମିଳିଲା ଜଣାନଥିବା ବେଳେ ଏବେ ଦୂରଦର୍ଶନ ଜରିଆରେ ପିଲାଙ୍କୁ ଏଡୁସାଟ୍ କାର୍ଯ୍ୟକ୍ରମରେ ପଢ଼ାଇବା ଆରମ୍ଭ ହୋଇଯାଇଛି| ଏହି ପଦ୍ଧତିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଷ୍ଟୁଡ଼ିଓରେ ଚାଲୁଥିବା ପାଠପଢ଼ାରେ ଅଂଶଗ୍ରହଣ କରିବେ ନିଜନିଜ ଘରେ| ଏନେଇ କେତେକ ତଥ୍ୟରୁ ଜଣାପଡ଼ିଛି, ଯେଉଁ ଶିକ୍ଷକମାନେ ଷ୍ଟୁଡ଼ିଓ ପ୍ରକୋଷ୍ଠରେ ଶିକ୍ଷଣକାର୍ଯ୍ୟ ପରିଚାଳନା କରୁଛନ୍ତି ସେମାନେ ପିଲାଙ୍କୁ ଆନନ୍ଦଦାୟକ ଶୈଳୀରେ ଓ ବୋଧଗମ୍ୟ ହେବାଭଳି ପଢ଼ାଇପାରୁନାହାଁନ୍ତି| ୧୦ ମିନିଟରେ ୧୦୦ଟି ସମ୍ବାଦ ପାଠକରିବା ଢଙ୍ଗରେ ଏହି ଶିକ୍ଷାକାର୍ଯ୍ୟ ହେଉଥିବା କୁହାଯାଉଛି| ଏହା କିପରି ପିଲାଙ୍କ ସନ୍ଦେହମୋଚନ କରିବ କିମ୍ବା ନୂତନ ବିଷୟର ଯଥାର୍ଥ ଉପସ୍ଥାପନା କରିବ ତାହା ବୁଝିହେଉନାହିଁ| ଅନଲାଇନରେ ପାଠପଢ଼ାଇବା ଏବଂ ପିଲାଏ ବୁଝିବା ପାଇଁ ଆଗରୁ ବର୍ଷବର୍ଷ ଧରି ପରୀକ୍ଷାମୂଳକ ପ୍ରଦର୍ଶନ ହେବାକଥା| ଏଥିରେ ଶିକ୍ଷକ ଓ ଛାତ୍ରଙ୍କ ଅଂଶଗ୍ରହଣ କିପରି ବୈଷୟିକ ଦୃଷ୍ଟିରୁ ସମ୍ପନ୍ନ ହୋଇପାରୁଛି ସେ ସମ୍ପର୍କରେ ଦୁଇପକ୍ଷର ଧାରଣା ରହିବା ଆବଶ୍ୟକ| ଫଳରେ ଶିକ୍ଷଣକାର୍ଯ୍ୟ ସହଜ ଓ ଅର୍ଥପୂର୍ଣ୍ଣ ହୋଇପାରିବ| ଅନ୍ୟଭାବରେ କହିଲେ, ସ୍ବାଭାବିକ ସମୟରେ ଆଧୁନିକ ଶିକ୍ଷାରେ ଆଇସିଟିର ପ୍ରୟୋଗ ହୋଇଥିଲେ ତଥା ଏଡୁସାଟ୍ କାର୍ଯ୍ୟକ୍ରମ ସହିତ ଜଡ଼ିତ ରହିଥିଲେ ସଙ୍କଟ କାଳରେ ସମସ୍ୟା ହୋଇନଥାନ୍ତା|
ଏହାସହିତ ଆଣ୍ଡ୍ରଏଡରେ ପଢ଼ାଇବା ପାଇଁ ଯେଉଁ ଘୋଷଣା କରାଯାଇଥିଲା ସେଥିପାଇଁ ସବୁପିଲାଙ୍କ ପାଖରେ ଏଭଳି ଫୋନ ରହିଥିବା ଓ ଇଣ୍ଟରନେଟ୍ ସଂଯୋଗ ଥିବା ଆବଶ୍ୟକ ହୋଇଥିବା ବେଳେ ତାହା କେତେଜଣ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଖରେ ରହିଛି? ଉଦାହରଣସ୍ବରୂପ, ଆମେରିକାର କାଲିଫର୍ଣ୍ଣିଆରେ ଏହି ମାଧ୍ୟମର କାର୍ଯ୍ୟକାରୀତା ପାଇଁ ଅନେକ କର୍ପୋରେଟ ଅନୁଷ୍ଠାନ ପିଲାଙ୍କୁ ଲାପଟପ୍, ଆଇ-ପ୍ୟାଡ଼, କ୍ରୋମବୁକ୍ ଆଦି ଡିଭାଇସ୍ ଯୋଗାଇଦେବା ସହିତ ଗୁଗୁଲ୍ ମାଗଣାର ହଟସ୍ପଟ୍ ଯୋଗାଇଦେଇଛି|
ତେଣୁ ଏନେଇ ଭାରତ କିମ୍ବା ଓଡ଼ିଶାରେ ହେଉଥିବା ଉଦ୍ୟମ କେତେ ସଫଳ ହେବ ତାହା ଜଳଜଳ ଦିଶୁଛି| କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା ଯେ, ଭାରତରେ ଓବାର୍କ-ଫ୍ରମ୍-ହୋମ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି| ଅର୍ଥାତ୍ ୯୯.୮ ପ୍ରତିଶତ କାର୍ଯ୍ୟ ହୋଇପାରିନାହିଁ| କାରଣ ଏପରି କାର୍ଯ୍ୟ ପରୀକ୍ଷାମୂଳକ ଭାବେ ଆଗରୁ କେବେ ହୋଇନଥିଲା| ଯେଉଁ ନେଟଓବାର୍କିଂ ବ୍ୟବସ୍ଥା ରହିଥିଲେ କାର୍ଯ୍ୟ ସମ୍ପାଦିତ ହୋଇଥାନ୍ତା ତାହା ମୂଳରୁ ନଥିଲା| ତେଣୁ ଏକ ଆକସ୍ମିକ ବା ଜରୁରୀ ପରିସ୍ଥିତିରେ ଏହା ସଫଳ ହୋଇପାରିଲା ନାହିଁ| ଏହି ପୃଷ୍ଠଭୂମିରେ ଷ୍ଟଡ଼ି-ଫ୍ରମ୍-ହୋମ୍ ର ଦଶା କ’ଣ ହେବ ତାହା ସହଜରେ ଅନୁମେୟ|
( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.