Latest Odisha News

ବିକଳ୍ପ ବଜେଟ୍‍ ବାବଦରେ ବିହିତ ବିଚାରଭିତ୍ତିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବେ କି ରାଜ୍ୟ ସରକାର ?

ଭୁବନେଶ୍ୱର: ଭାରତର ଧନୀରାଜ୍ୟ ଓଡ଼ିଶା । ଲୋକେ କିନ୍ତୁ ଦିନ ଦରିଦ୍ର । ଦି’ଓଳା ଦି’ମୁଠା ପେଟପୁରା ଖାଇବା ସାତସପନ । କ’ଣ ନାହିଁ ଓଡିଶାରେ – ଯାହାର ମାଟିତଳେ, ମାଟିଉପରେ ଅଜସ୍ର ଖଣିଜ ସମ୍ପଦ, ହୀରା, ମୋତି, ମାଣିକ, ସୁନାପଥର, ୟୁରାନିୟମ, କୋଇଲା, କ୍ରୋମାଇଟ୍‍, ଲୁହାପଥର, ମାଙ୍ଗାନିଜ୍‍, ବକ୍ସସାଇଟ୍‍, ପ୍ରମୂଖ ୨୩ ପ୍ରକାର ଖଣିଜସମ୍ପଦ, ସୁବିଶାଳ ଜଙ୍ଗଲ, ଫସଲ କିଆରୀ, ସୁଦୀର୍ଘ ସଡକପଥ, ନଦୀନାଳ, ବଣପାହାଡପର୍ବତ, ବଙ୍ଗୋପସାଗର କୂଳେ ଜଗତର ନାଥ ମହାପ୍ରଭୂ ଶ୍ରୀଜଗନ୍ନାଥ ମନ୍ଦିର ବିରାଜମାନ, କେତେକେତେ ଠାକୁରଠାକୁରାଣୀ ମନ୍ଦିର, ଗ୍ରାମେ ଗ୍ରାମେ ଦେବଦେବୀ ।

ପୁଣି ପୃଥିବୀର ଧନୀଜିଲ୍ଲା କେନ୍ଦୁଝର, ଏସିଆ ମହାଦେଶର କ୍ରୋମ୍‍ ରାଜଧାନୀ ସୁକିନ୍ଦା, ଏସିଆ ମହାଦେଶର ବଡ ଗାଁ ଭୂବନ, ଭାରତର ଇସ୍ପାତ ରାଜଧାନୀ କଳିଙ୍ଗନଗର, ପାରାଦ୍ୱୀପ, ଗୋପାଳପୁର, ଧାମରା ବନ୍ଦର, ସଂସ୍କୃତିର ସଙ୍ଗମସ୍ଥଳ ଦକ୍ଷିଣଓଡିଶା, ଯେଉଁଠି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ପାରଳା ମହାରାଜା ତଥା ଗଜପତି କୃଷ୍ଣଚନ୍ଦ୍ର ଜଗଦେବ ପ୍ରମୂଖ ପ୍ରମୂଖ ଜନ୍ମନେଇଛନ୍ତି ।

ରେଶମୀ ସହର ବରହମ୍‍ପୁରର ସୁପ୍ରସିଦ୍ଧ ତାରାତାରିଣୀ ମନ୍ଦିର, କରାଳମାଳିନୀ ଚିଲିକା । ଆଉ ପଶ୍ଚିମଓଡିଶା – ଭୂବନବିଖ୍ୟାତ ଭୀମଭୋଇ ଯାହାଙ୍କ ପଦାବଳୀ – “ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ – ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।” ଏହି ପଦକ ପଦାବଳୀ ସମକ୍ଷ ଏପର୍ଯ୍ୟନ୍ତ ପୃଥିବୀରେ କେହି ଲେଖିପାରିନାହାଁନ୍ତି । ପୁଣି ସ୍ୱଭାବକବି ଗଙ୍ଗାଧର ମେହେର, ସମ୍ବଲପୁର ସମଲାଇ ମନ୍ଦିର, ରଙ୍ଗବତୀ ରଙ୍ଗବତୀ ଗୀତର ଲେଖକ, ସ୍ୱରକାର, ଗାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର, ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ଆଉ କେତେ କେତେ ସ୍ମୃତି ଓ ସ୍ୱାକ୍ଷର ।

ପୂର୍ବ ଓଡ଼ିଶାରେ ବଙ୍ଗୋପସାଗର କୂଳେ ଜଗନ୍ନାଥ ମନ୍ଦିର, ପୁରୀ ରଥଯାତ୍ରା ବିଶ୍ୱବିଖ୍ୟାତ । ପୁରୀ ଠାରୁ ଦିଘା ପର୍ଯ୍ୟନ୍ତ ସୁଦୀର୍ଘ ୪୮୦ କିଲୋମିଟର ବେଳାଭୂମି, ଚାନ୍ଦିପୁର କ୍ଷପଣାସ୍ତ୍ର ଘାଟି । ଖୋର୍ଦ୍ଦାରେ ବକ୍ସି ଜଇ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର ପ୍ରମୂଖଙ୍କ ନିରବଚ୍ଛିନ୍ନ ସଂଘର୍ଷର ଗାଥା, ବୀରପାଇକମାନଙ୍କ ସ୍ମୃତି । ଆଖିଦୃଶିଆ ରାଜଧାନୀ ଭୁବନେଶ୍ୱର । ହଜାରବର୍ଷର ସହର ଧବଳଟଗର କଟକ ନଗର । ଓଡ଼ିଶାର ପୁରାତନ ରାଜଧାନୀ ।

ଛତିଆ ବଟ, ଯାଜପୁରର ବିରଜା ମନ୍ଦିର, ଦଶଶ୍ୱାମେଧ ଘାଟ, ପୁରୁଣା ରାଜଧାନୀ, ସୁକିନ୍ଦାରେ ମାଳମାଳ ଖଣିଖାଦାନ, କଳିଙ୍ଗନଗରରେ ଖେଞ୍ଚାଖେଞ୍ଚି ଇସ୍ପାତ କାରଖାନା, ଭଦ୍ରକର ଆଖଣ୍ଡଳମଣୀ, ବାଲେଶ୍ୱରର ଚାନ୍ଦିପୁର କ୍ଷପଣାସ୍ତ୍ର ଘାଟି । ଉତ୍ତରଓଡିଶାରେ ଏସିଆ ମହାଦେଶର ପ୍ରଥମ ଲୁହାଖଣି ମୟୁରଭଞ୍ଜର ବାଦାମପାହାଡ, ଯେଉଁଠୁ ଲୁହାପଥର ନେଇ ଟାଟା କମ୍ପାନୀ ଜାମସେଦପୁର ଷ୍ଟିଲ୍‍ ପ୍ଲାଣ୍ଟ ପ୍ରତିଷ୍ଠା କରିଛି । କେନ୍ଦୁଝର, ଯୋଡା, ବଡବିଲ, ଗନ୍ଧମାର୍ଦ୍ଧନ, ଦୈତାରୀ ପାହାଡପର୍ବତରେ ପ୍ରଚୁର ଲୁହାପଥର ଖଣି, ଘଟଗାଁରେ ମା’ ତାରିଣୀ, କେତେ କ’ଣ ନ ଅଛି ଓଡ଼ିଶାରେ ।

କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛି ଆମ ଓଡିଶାର ଖଣି, ପାଣି, ଜଙ୍ଗଲ, ପାରାଦ୍ୱୀପ, ଗୋପାଳପୁର, ଧାମରା ବନ୍ଦରରୁ । ଓଡିଶାକୁ ତା’ର ନ୍ୟାର୍ଯ୍ୟ ପ୍ରାପ୍ୟ ନ ଦେଇ ଠକିଚାଲିଛି । ଯାହାର ମାଟିତଳେ, ମାଟି ଉପରେ ଅଜସ୍ର ସମ୍ପଦ, ତା’ର ପୁଅଝିଅମାନେ ବେକାର କାହିଁକି ? ଦାଦନ ଖଟିବାକୁ ବିଦେଶ – ଅନ୍ୟ ରାଜ୍ୟକୁ ଯାଉଛନ୍ତି କାହିଁକି ?

ଆମେ କ’ଣ ସେଇ ହୀନିମାନିଆ, ପଛୁଆ, ଗରୀବ ରାଜ୍ୟ ହୋଇ କାହିଁ କେଉଁ କାଳୁ ପଡିରହିଥିବା ? ଆମେ କ’ଣ ଧନୀ ରାଜ୍ୟରେ ଗଣା ହେବାନି ? ଆମ ରାଜ୍ୟର ସାଢେ ୪ କୋଟି ଜନତା କ’ଣ ଦି’ଓଳି ଦାନା, ଦେହକୁ କନା, ମୁଣ୍ଡ ଗୁଞ୍ଜିବା ପାଇଁ ଘର ପାଇବେ ନାହିଁ ?ଆମେ କ’ଣ ଚିକିତ୍ସା ବିନା ରୋଗରେ ଶଢି ମରୁଥିବା ? ଆମ ପିଲାମାନେ କ’ଣ ଉପଯୁକ୍ତ ଶିକ୍ଷା ପାଇବେନାହିଁ ? ଆମେ କ’ଣ ଟିକେ ଶାନ୍ତିରେ ନିଃଶ୍ୱାସ ମାରିପାରିବା ନାହିଁ ? ଏସବୁ କୋଟିଏଏକ ପ୍ରଶ୍ନର ଉତ୍ତର ଦେବ କିଏ ?

ହଁ – ଉତ୍ତର ଅଛି । ଏଥର ରାଜ୍ୟ ବଜେଟ୍‍ ୨୦୨୩-୨୪ରେ ବିକଳ୍ପ ବଜେଟ୍‍ ସାଢେ ଚାରିକୋଟି ଓଡିଶାବାସୀଙ୍କ ପାଇଁ ଘୋଷଣା କରୁଛି ।

୨୦୨୩-୨୪ ବିକଳ୍ପ ବଜେଟ୍‍ :-୨୦୨୨-୨୩ରେ ସରକାରଙ୍କ ବଜେଟ୍‍ ଥିଲା ୨ ଲକ୍ଷ କୋଟି ଟଙ୍କା । ଏଥର ବଜେଟ୍‍ରେ ଆନୁମାନିକଅଧିକ ଆକଳନ କରାଯାଇଛି । ଏହି ବଜେଟ୍‍ର ଆୟ ଏବଂ ବ୍ୟୟ ସଂପର୍କରେ ସରକାର ଶ୍ୱେତପତ୍ର ଘୋଷଣା କରିଛନ୍ତି । ମୋର ଯାହା ମନେହୁଏ ଏହି ବଜେଟ୍‍ର ଅଧା ବ୍ୟୟ ମାଗଣାଖିଆଙ୍କ ପେଟରେ ପଶିଯିବ । ଏଥର ବଜେଟକୁ ରାଜ୍ୟ ସରକାରଙ୍କ ଆୟବ୍ୟୟ ଅଟକଳର ୫ ଗୁଣ ଅତିକମ୍‍ରେ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଉ । ଏ ଟଙ୍କା କୋଉଠୁ ଆସିବ କିଭଳି ଖର୍ଚ୍ଚ ହେବ ତା’ର ସୂତ୍ର ମଧ୍ୟ ଜଣାଇ ଦେଉଛି ।

ବଜେଟ୍‍ରେ ଚାଷ ଏବଂ କୃଷକମାନଙ୍କ ବିକାଶ, ସମବାୟ ବିଭାଗ, ଏଲେକ୍ଟ୍ରୋନିକ୍ସ ଏଣ୍ଡ୍‍ ଇନ୍‍ଫରମେସନ୍‍ ଟେକ୍ନୋଲୋଜି, ଏନର୍ଜି, ଅବକାରୀ, ଅର୍ଥ, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି ନିରାପତ୍ତା, ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ, ସାଧାରଣ ପ୍ରଶାସନ, ଜନଶୁଣାଣୀ, ହସ୍ତତନ୍ତ୍ର ଏବଂ ବୟନ ଶିଳ୍ପ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ହାଉସିଂ ଏଣ୍ଡ୍‍ ଅର୍ବାନ, ଶିଳ୍ପ, ସୂଚନା ପ୍ରଯୁକ୍ତି ଓ ପ୍ରସାରଣ ସଂପର୍କିତ, ଶ୍ରମ ଓ ରାଜ୍ୟ କର୍ମଚାରୀ ଇନ୍‍ସ୍ୟୁରାନସ୍‍, ଆଇନ୍‍, ମିଶନ୍‍ ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପଞ୍ଚାୟତିରାଜ୍‍ ଓ ପାନୀୟ ଜଳ, ପାର୍ଲିଆମେଣ୍ଟାରୀ ଆଫେୟାର୍ସ, ପ୍ଲାନିଂ ଏଣ୍ଡ୍‍ କନ୍‍ଭର୍‍ଜେନସ୍‍, ପବ୍ଲିକ୍‍ ଏଣ୍ଟରପ୍ରାଇଜ୍‍, ରାଜସ୍ୱ ଏବଂ ପ୍ରାକୃତିକ ବିପଦ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା, ସାଇନ୍ସ ଏଣ୍ଡ ଟେକ୍ନୋଲୋଜି, ସ୍କିଲ୍‍ ଡେଭେଲପମେଣ୍ଟ ଏଣ୍ଡ ଟେକ୍‍ନିକାଲ, ସୋସିଆଲ ସିକ୍ୟୁରିଟି, ଏମ୍ପାୱାରମେଣ୍ଟ ଅଫ୍‍ ପର୍ସନସ୍‍ ୱିଥ୍‍ ଡିଜାବିଲିଟି, ସ୍ପୋର୍ଟ୍ସ ଏଣ୍ଡ୍‍ ୟୁଥ୍‍ ସର୍ଭିସେସ୍‍, ଏସ୍‍.ଟି. ଏଣ୍ଡ୍‍ ଏସ୍‍.ସି. ଡେଭେଲପ୍‍ମେଣ୍ଟ ମାଇନୋରିଟି ଏବଂ ବ୍ୟାକ୍‍ୱାର୍ଡ କ୍ଲାସ୍‍ ୱେଲଫାୟାର, ଷ୍ଟିଲ୍‍ ଏଣ୍ଡ୍‍ ମାଇନସ୍‍, ୱାର୍ଟର ରିସୋରସେସ୍‍, ମହିଳା ଓ ଶିଶୁ ବିକାଶ, ୱାର୍କସ ଓ ହୋମ୍‍ ଡିପାର୍ଟମେଣ୍ଟ, ସମୁଦାୟ ଚାଳିଶିଟି ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।

ରାଜ୍ୟ ସରକାର କରଜ କରିଥିବା ଟଙ୍କା ଉପରେ ସୁଧ ଗଣିବାକୁ ହେବ । ଏ ହେଲା ଖର୍ଚ୍ଚ ବଜେଟ୍‍ । ଗୋଟିଏ ଟଙ୍କାକୁ ହିସାବକୁ ନେଇ ବ୍ୟୟ ଯଦି ଏହି ୪୦ଟି ବିଭାଗରେ ୧୦୦ ପଇସା ହେଲା ଆୟ ମଧ୍ୟ ସମାନ ୧୦୦ ପଇସା କରିବାକୁ ହେବ । ଆୟ ମଧ୍ୟରେ ସରକାର ବେଶି ମଦ ଦୋକାନ ଓ ମଦୁଆଙ୍କ ଉପରେ ନିର୍ଭର କରୁଛନ୍ତି । ବାକି ବିଭିନ୍ନ ଟ୍ୟାକ୍ସ, ଖଣି ରୟାଲିଟି, ରାଜ୍ୟ ସମ୍ପତ୍ତିକୁ ବିକିବା, ବେଶିଭାଗ ସୁଧ ଗଣିବା ପ୍ରମୂଖ ଯଦି ୧୦୦ରେ ଧରନ୍ତୁ ୭୫ ପଇସା ପର୍ଯ୍ୟନ୍ତ ଆସିଗଲା, ଆଉ ୨୫ ଭରଣା କରିବାପାଇଁ ପୁଣି ଆମେ ବାର ଦୁଆର ଶୁଣ୍ଢି ପିଣ୍ଢା ହେବା ।

ଆର୍ନ୍ତଜାତିକ ମୁଦ୍ରାପାଣ୍ଠି ବିଶ୍ୱବ୍ୟାଙ୍କ ଓ ଶିଳ୍ପପତିମାନଙ୍କ ଠାରୁ ଋଣ ଆଣି ସମସ୍ତେ ଘିଅ ପିଇବା । ଆୟ ବାବଦରେ ଯାହାସବୁ ବିବରଣୀ ସରକାର ଦେଉଛନ୍ତି ଏକ ନିଅଣ୍ଟିଆ ବଜେଟ୍‍ । ପୁଣି କରଜ କର । ଏବେତ ରାଜ୍ୟର କରଜ ଆନୁମାନିକ ୧ କୋଟି ୯୮ ଲକ୍ଷ ଟଙ୍କାକୁ ଡେଇଁଗଲାଣି । ଛୁଆଟିଏ ଜନ୍ମହେଲେ ତା’ ମୁଣ୍ଡରେ ୧ ଲକ୍ଷ ୨୫ ହଜାର ଟଙ୍କା ସରକାରଙ୍କ ଋଣ ବୋଝ । ବଜେଟ୍‍କୁ ଯେଉଁ ଅଫିସର, ମନ୍ତ୍ରୀମାନେ ପ୍ରସ୍ତୁତ କରିଛନ୍ତି ସେମାନେ ଓଡିଶାର ସାଢେ ଚାରିକୋଟିରୁ ଚାରିକୋଟି ଲୋକଙ୍କ ଦୁଃଖଦୁର୍ଦ୍ଦଶା ବୁଝିବାକୁ ପ୍ରାୟ ଅକ୍ଷମ । ପୁରୁଣା ବଜେଟକୁ କମ୍ପ୍ୟୁଟରରୁ ବାହାରକରି, ସଂଖ୍ୟା ଅଦଳବଦଳ କରି ୨୦୨୩-୨୪ ବଜେଟ୍‍ ପେଶ୍‍ କରୁଛନ୍ତି ।

ଏ ବଜେଟ୍‍ରେ ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ, କର୍ମଚାରୀଙ୍କ ପାଇଁ, ସ୍ୱାସ୍ଥ୍ୟ, ଡାକ୍ତରଖାନା, ଔଷଧ, ଡାକ୍ତର କର୍ମଚାରୀମାନଙ୍କ ପାଇଁ, ଚାଷୀଙ୍କୁ ପ୍ରର୍ଯ୍ୟାପ୍ତ ଜଳଯୋଗାଣ, ଖାଦ୍ୟ ଯୋଜନା, କୃଷକ ଓ ଶ୍ରମିକଙ୍କ କଲ୍ୟାଣ, କର୍ମନିଯୁକ୍ତିରେ ଯାହା ବ୍ୟୟ ଅଟକଳ ହୋଇଛି ତା’ର ୫ ଗୁଣ କରିବାକୁ ହେବ । ମାଗଣା ବଣ୍ଟନ ବନ୍ଦକରି ଘରକୁ ଘର କାମ ଯୋଗାଇଦେବା, ଗାଁ ଗାଁରେ ମହାଜନମାନଙ୍କ ଠାରୁ ସୁଧମୂଳ ଆଦାୟ ଜୁଲମ୍‍ ବନ୍ଦ କରିବା, କିସ୍ତି ଶୁଝିବା ପାଇଁ ଚଢା ସୁଧ, ଚକ୍ରବର୍ତ୍ତୀ ସୁଧ ବ୍ୟବସ୍ଥା ଉଚ୍ଛେଦ କରିବା ଜରୁରୀ ।

ଓଡିଶା ସରକାରଙ୍କ ଋଣ ପରିଶୋଧ ପାଇଁ ଭିକ୍ଷା ମାଗିବା କି ଲୋକଙ୍କ ଉପରେ ଟିକସ ବସାଇବା ଆବଶ୍ୟକ ନାହିଁ । ଅବଶ୍ୟ ୧୯୯୦ ମସିହାରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲି – ଓଡିଶାର ସବୁ ଖଣିଖାଦାନକୁ ସରକାର ହାତକୁ ନିଅନ୍ତୁ – କୌଣସି ଘରୋଇ କମ୍ପାନୀକୁ ଲିଜ୍‍ କିମ୍ବା ବିକ୍ରି କରନ୍ତୁ ନାହିଁ । କଞ୍ଚାମାଲ୍‍ ଦେଶବିଦେଶକୁ ନ ଛାଡି ଓଡିଶାରେ ମୂଲ୍ୟଯୁକ୍ତ କାରଖାନା ଗଢିତୋଳନ୍ତୁ ।

ଏତିକି କଲେ – ବେକାରୀ ଦୂର ହେବ । ଓଡିଶା ଗରୀବ ରାଜ୍ୟରୁ ବିଶ୍ୱର ଧନୀ ରାଜ୍ୟ ରୂପେ ଗଣାହେବ । ଅବଶ୍ୟ ବିଜୁବାବୁ ସମ୍ମତି ପ୍ରକାଶ କରିଥିଲେ, ହେଲେ କହିଲେ – ମାୟାଧର, ଏ କ’ଣ ସମ୍ଭବ ? ମୁଁ କହିଥିଲି – ଟଲ୍‍ମ୍ୟାନ – ଆପଣ ଯଦି କହିବେ ଅସମ୍ଭବ – ତା’ହେଲେ ମୋର କିଛି କହିବାର ନାହିଁ । ମୋତେ ଅନେକଥର ଡାକି ରାଜ୍ୟ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି – ହେଲେ କିଛି କାର୍ଯ୍ୟକାରୀ କରିବା ପୂର୍ବରୁ ଆରପାରିକୁ ଚାଲିଗଲେ ।

ଏବେ ଏ ଅଧମର ପରାମର୍ଶ ଗ୍ରହଣ କଲେ – ହୁଏତ ରାଜ୍ୟର ଦୂରାବସ୍ଥା ସୁଧୁରିପାରନ୍ତା । ପ୍ରାୟ ୨୦ ବର୍ଷ ପୂର୍ବରୁ କହିଆସିଥିଲି – କେବଳ ସୁକିନ୍ଦାର କ୍ରୋମାଇଟ୍‍ ଚୋରି ବନ୍ଦ ହେଲେ ଓଡିଶାର ୨୦ବର୍ଷର ବଜେଟ୍‍ ଖର୍ଚ୍ଚ ତୁଲାଇହେବ । ଏବେ ଯେଉଁ ନେତା, ମନ୍ତ୍ରୀ, ବିଧାୟକ, ଅଫିସର, କର୍ମଚାରୀ, ବ୍ୟବସାୟୀ, ଠିକାଦାର, ଶିଳ୍ପପତିମାନଙ୍କ ଆୟ ବହିର୍ଭୁତ ସମ୍ପତ୍ତିକୁ ଠାବକରି ଜବତ କରିଆଣିଲେ – ରାଜ୍ୟର ୫ ବର୍ଷ ଖର୍ଚ୍ଚ (ବଜେଟ୍‍) ତୁଲାଇ ହେବ । ଇଡି ହେଉ କି ସିବିଆଇ ହେଉ କିମ୍ବା ରାଜ୍ୟ ସଂସ୍ଥା ହେଉ – ରାଜ୍ୟର ସ୍ୱାର୍ଥ ପାଇଁ ଯିଏ ବି ହେଉ ସେମାନଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଜବତ ହେଉ । ଯଦି ଏ ସଂସ୍ଥାଗୁଡିକ କରିପାରିବେନାହିଁ, ତା’ହେଲେ ଅନ୍ୟ ଉପାୟ ମଧ୍ୟ ଅଛି ।

କେତେକ ମନ୍ତ୍ରୀ, ବିଧାୟକ, ସାଂସଦ, ନିଗମ ନେତା, ଅନ୍ୟଦଳର କିଛି ନେତା, ଦୁର୍ନିତୀଗ୍ରସ୍ତ ଅଫିସରକର୍ମଚାରୀ, ଶିଳ୍ପମାଲିକ, ଠିକାଦାରଙ୍କ ମଧ୍ୟରୁ ଅଧିକାଂଶଙ୍କ ଆୟବର୍ହିଭୂତ ସମ୍ପତ୍ତି ଜବତକରି ରାଜକୋଷକୁ ଅଣାଗଲେ – ୧ ଲକ୍ଷ ୯୮ ହଜାର କୋଟି ଟଙ୍କା ଆନୁମାନିକ ରାଜ୍ୟବାସୀଙ୍କ ଉପରେ ଥିବା ଋଣ ଶୁଝି ଏଥର ବଜେଟ୍‍ ୧୦ ଲକ୍ଷକୋଟି ଟଙ୍କା ବ୍ୟୟବରାଦ କରାଯାଇପାରିବ ।

ଏ ରାଜକୋଷଲୁଟେରାଙ୍କ ସମ୍ପତ୍ତିକୁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଇଡି, ସିବିଆଇ ଦେଇ ଆୟବର୍ହିଭୂତ ସମ୍ପତ୍ତି ଜବଦ କରିପାରିବେନାହିଁ । ଯାହା କରିବେ କେବଳ ଲୋକଦେଖାଣିଆ । ବାପପୁଅ ରାତିଅନିଦ୍ରା, ମୁଗୁରା ମୁହଁ ମେଲା । ଆମର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ – ଆମେ ଭିକ୍ଷା ଚାହୁଁନା – ଆମ ହକ୍‍ ପ୍ରାପ୍ୟ ଦେଇଦିଅ । ସବୁ ବିଦେଶୀ-ଦେଶୀ ମାଲିକଠିକାଦାରଙ୍କୁ ବିଦା କରିଦିଆଯାଉ । ଓଡିଶା ସରକାର ସବୁ ଖଣିଖାଦାନର ମାଲିକ ହୁଅନ୍ତୁ । ଓଡିଶା ଖଣି ନିଗମ ଭଳି ଆଉ ପାଞ୍ଚଟା ନିଗମ ଗଢିତୋଳନ୍ତୁ । ଯୁବଦ୍ୟୋଗୀମାନଙ୍କୁ ଠିକା କାମଦେଇ ବେକାରୀଙ୍କୁ କାମ ଦିଅନ୍ତୁ । ନୂଆ ଓ ପୁରୁଣା ରେଳପଥ ନିର୍ମାଣ ପାଇଁ ସରକାର କେନ୍ଦ୍ର ଉପରେ ଚାପ ସୃଷ୍ଟି କରନ୍ତୁ ।

ଯଦି ସରକାର ଜନସାଧାରଣଙ୍କୁ ଖୋଲା ଆହ୍ୱାନ ଦିଅନ୍ତେ, ଲୋକେ – କୋଉ ମନ୍ତ୍ରୀ, ବିଧାୟକ, ଅଫିସର, ମାଲିକ, ଠିକାଦାର ରାଜକୋଷ ଲୁଟ୍‍ କରୁଛନ୍ତି ସେମାନଙ୍କ ନାଁ ଏବଂ ଜମି, କୋଠାବାଡି, ବଡବଡ ହୋଟେଲ୍‍, ମଲ୍‍ ପ୍ରମୂଖ ସମ୍ପତ୍ତିର ବିବରଣୀ ଜଉମୁଦା ଲଫାଫାରେ ଦେଇପାରିବେ, ସେମାନଙ୍କ ନାମ ଗୁପ୍ତ ରହିବ । ଓଡିଶାର ଜଣାଶୁଣା ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ, ଦେଶପ୍ରେମୀମାନଙ୍କୁ ନେଇ ତଦନ୍ତ କରି ଫଳାଫଳ ଜଣାଇଲେ ସରକାର ସେମାନଙ୍କ ସମ୍ପତ୍ତି ଜବଦ କରିନପାରିଲେ ଲୋକମାନେ ଜବଦକରି ସରକାରୀ ରାଜକୋଷକୁ ପଠେଇଦେବେ । ଓଡିଶା ମା’ର ସ୍ୱାର୍ଥ ପାଇଁ ସାଢେ ଚାରିକୋଟି ଓଡିଆଙ୍କ ପାଇଁ ଆମ୍ଭେସବୁ ଓଡିଆଏ ମୁଣ୍ଡରେ ହାତଦେଇ ବସିଲେ ଚଳିବନାହିଁ । ଆମକୁଆମ ହକ୍‍, ଅଧିକାର, ସାମ୍ବିଧାନିକ ଗଣତାନ୍ତ୍ରିକ ଆଇନସମ୍ମତ ଦାବି ଓ ପ୍ରାପ୍ୟ ଛଡେଇ ଆଣିବାକୁ ପଡିବ । ଏହି କାର୍ଯ୍ୟଟି କରିପାରିଲେ ଦେଶଦ୍ରୋହୀ ରାଜକୋଷଲୁଟେରାମାନଙ୍କ ଛଇ ଛାଡିଯିବ ଛକେ ଛକେ – ଛ’ ଦିନକେ ।

ମାୟାଧର ନାୟକ

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Comments are closed.