ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ପଥରର ଏ ମୂକ ଆତ୍ମାକୁ ଅନୁଭବ କରିଛ କେବେ ? ବିଶାଳ ନଦୀବନ୍ୟାରୁ ତୁମ ସମାଜକୁ ଆଉ ଭାବୀବଂଶଧରବର୍ଗକୁ ରକ୍ଷା କରିବାକୁ ଯାଇ କେଉଁ ଦୂରପର୍ବତର ପଥର ଆମେ ଆସି ପାଲଟିଛୁ ତୁମ ବିରାଟବଂଧର ବିପୁଳାୟତନ । ଆମକୁ ନେଇ ନିର୍ମିତ ନାନାଦି ନଦୀବନ୍ଧତୁମ ଅଗ୍ରଗାମୀ ସଭ୍ୟତାର ଅବିସଂବାଦିତ ମୁଖବନ୍ଧ । ଜଳସେଚନଠାରୁ ଆରମ୍ଭ କରି ଜଳବିଦ୍ୟୁତ୍ ପ୍ରକଳ୍ପ ପର୍ଯନ୍ତ ତୁମକୃଷି ଓ ଶିଳ୍ପର କାହାଣୀ କହି ଆସିଛି ସାରାଦୁନିଆର ଏ ନଦୀବନ୍ଧ – ଯେଉଁଠି ଜଡ଼ି ରହିଛି ଆମର କଙ୍କାଳ, ଆମରକବନ୍ଧ ! ତୁମ ଇତିହାସର ପ୍ରକାଣ୍ଡ ପ୍ରତିମୂର୍ତି, ଉଦାତ ଅନୁଶାସନ, ସମୁନ୍ନତ ସ୍ତମ୍ଭ, ମନୋଜ୍ଞମିନାର୍, ମହାମହଲ, କାରାଦୁର୍ଗ, ସପ୍ତାଶ୍ଚର୍ଯ୍ୟ – ଆମେ ସମାହିତ ସର୍ବତ୍ର । ତୁମ ଧର୍ମର ଧାମ, ପୀଠ, ତୀର୍ଥ, ସ୍ତୂପ, ମଣ୍ଡପ – ଆମେ ପରିଗୃହୀତ ସର୍ବତ୍ର ।
ତୁମ ରାଜନୀତିର ରଂଗ ବାଜିରେ ଶିଳାନ୍ୟାସ ହେଉ କି ଭିତି ପ୍ରସ୍ତର ହେଉ – ଖଣ୍ଡେ ଖଣ୍ଡେ ସନ୍ତକ ବାସ୍ମାରକୀ ଭାବରେ ବ୍ୟବହୃତ ଆମେ । ତୁମ ରାଜପଥର ଧାରେ ଧାରେ ଆମ ନିଶାଣ ଖୁଂଟର ନିତ୍ୟନୈମିତିକ ଅବତାର ! ଅତୀତରୁ ଅଦ୍ୟାବଧି ଆମ ଆତ୍ମବଳିର ଅଧ୍ୟାୟଗୁଡ଼ିକୁ ଉନ୍ମୋଚନ କରି ଛକି କେବେ ?
ମଣିଷ । ତମର ଆକୃତି ନିର୍ଦ୍ଦିଷ୍ଟ, ନିର୍ଧାରିତ । ପଥର । ଆମର ଆକୃତି ଅନାଦି, ଅନନ୍ତ । କେମିତି ଥିଲୁ – କିଏ କହିବ ? କେମିତି ହେବୁ – କିଏ ବତେଇବ ? ଆମରୂପ ଅପେକ୍ଷା କରେ ରୂପାନ୍ତରକୁ । ରୂପାତୀତ, ସୀମାତୀତ ହେବାର ଭବିତବ୍ୟ ହିଁ ଆମରଭାଗ୍ୟ ।
ମଣିଷ । ତମର ପ୍ରକୃତି ଅସ୍ଥିର, ଚଂଚଳ । ପଥର । ଆମର ପ୍ରକୃତିସ୍ଥିର, ନିଶ୍ଚଳ । ଆମକୁ ‘ଅଚଳ’ କୁହାଯାଏ ଏଥିପାଇଁ । ତୁମେବି ଆମକୁ ତାଚ୍ଛଲ୍ୟ କରି କହିଥାଅ- ଅକର୍ମାଶିଳା – ନ ହେଲେ ମାଙ୍କଡ଼ା ପଥର – କାରଣ ତୁମ ପରି ଆମର ପ୍ରବୃତି ନାହିଁ, କ୍ଷୁଧା ନାହିଁ, ତୃଷ୍ଣା ନାହିଁ । ଆମେ ନିବୃତ, ନିରାସକ୍ତ, ନିଷ୍କାମ । ତୁମରସବୁ ଥାଇ, କିଛି ନାଇଁ – ତୁମେରିକ୍ତ ।
ଆମର କିଛି ନ ଥିବାର ଶୂନ୍ୟତା ବୋଧରେ ବି ସବୁଥିବାର ପରିପୂର୍ଣ୍ଣତା – ଆମେ ଅତିରିକ୍ତ ।
ଶତ ସମ୍ଭାବନା ସତ୍ୱେ – ତୁମେ ମଣିଷ ହୋଇ ସୁଦ୍ଧା କ୍ଷୟିଷ୍ଣୁ । ବଂଚୁଥାଅ ମରିମରି । ଶତବିଡ଼ମ୍ବନା ସତ୍ୱେ – ଆମେ ପଥର ହୋଇସୁଦ୍ଧା ସହିଷ୍ଣୁ । ନାନାରୂପ ନେଇଥାଉ ନ ଡରି, ନ ମରି ।
ତୁମେ କ’ଣ ଆମ ପରି ପ୍ରେମୀ ବା ପ୍ରେମିକ ହୋଇପାରିବ କସ୍ମିନ୍କାଳେ ? ଆମ ପରି ଭଲପାଇପାରିବ କଠୋର ନିଷ୍ଠାରେ ?
ଆମର ପ୍ରେମ ହିଁ ଆମର କାଠିନ୍ୟ ।
ତୁମ ପ୍ରେମର ପୃଥିବୀ କିନ୍ତୁ କ୍ଷଣକ୍ଷଣକେ ଆନ ।
ଏ କଥା ମୁଁ କହୁନି, କହୁଚି ତୁମ ପୃଥିବୀ ରବେଂଗର ଜାତା’ ବେଂଗୁଲୀରାଣୀକୁ !
ପଥରକୁଚାହଁ । ଦେଖ ଦିବ୍ୟଦୃଷ୍ଟିରେ । ତାହା ତୁମ ଦର୍ପଣ । ସେ ଦର୍ପଣରେ ତୁମକଳା, କୃଷ୍ଟି, କାରିଗରିର କେତେ ନା କେତେ ପ୍ରମୂର୍ତ ପ୍ରତିଫଳନ । ଯଦି ଆଉ ଟିକିଏ ଧ୍ୟାନ ଦେଇ କାନ ରଖିବ ପଥର ଛାତିରେ, ତା’ ହେଲେ ଶୁଣିପାରିବ ସୂକ୍ଷ୍ମାତିସୂକ୍ଷ୍ମସ୍ପଂଦନର ଶବ୍ଦ ! ସେ ସ୍ପଂଦନ କାହା ପାଇଁ ? ଅନୁଭବକର । ସଭ୍ୟତାର ଯେଉଁମାନେ ପ୍ରବଂଚିତ ନିର୍ମାତା, ଶ୍ରମଜୀବୀ ଦାସ, କର୍ତବ୍ୟନିଷ୍ଠ କିଂକରକୁଳ – ସେଇ ମାନଙ୍କ ସକାଶେ ପଥର ଛାତିରେ ଏ ହୃତ୍ସ୍ପଂଦନ … ହାହାକାର… ଦ୍ରବୀଭୂତ ଦୀର୍ଘଶ୍ୱାସ ! ହାତୀ ପିଠିରେ, ମଣିଷ ପିଠିରେ, ଯାନବାହନ ଉପରେ ବୁହାହୋଇ ଆସୁଥିବା ବେଳେ ଲକ୍ଷକୋଟି ପଥରଙ୍କ ପଥଯାତ୍ରାକୁ ମନେ ପକାଇଛ କେବେ ? ଆମକୁ ଛେଚି ପିଟି, କାଟିକୁଟି, ଭାଂଗିଚୂରି, ହାଣି ମାରିବାର ମାତାଲ୍ ହତିଆରମାନଙ୍କୁ କେବଠୁ କ୍ଷମା କରିସାରିଛୁ ଆମେ । କାରଣ ଆମର ମୃତ୍ୟୁ ତୁମ ସଭ୍ୟତାର ମହାଜୀବନ – ଆମର ପତନ ତୁମ ଅଭ୍ୟୁଦୟୀ ସଂସ୍କୃତିର ଉତୁଙ୍ଗଅଭ୍ୟୁତ୍ଥାନ ।
ତୁମେ ମଣିଷ । ମହାର୍ଘ ମସ୍ତିଷ୍କର ମାଲିକ । ପାଂଚମନରୁ ପଚିଶ ପ୍ରକୃତିର ପ୍ରତିଭାଧର ପ୍ରତିଭୂ । ଅଥଚ କିଛି ଶିଖିଲ ନାହିଁ ପଥର ପାଖରୁ ? ଭୋଗକଲ, ସଂଭୋଗକଲ – ଜାଣିଲ ନାହିଁତ୍ୟାଗ କ’ଣ, ତିତିକ୍ଷା କ’ଣ ! ତୁମର ବିଡ଼ାବିଡ଼ା ପୋଥିପତ୍ର, ଥାକଥାକ ତତ୍ୱଜ୍ଞାନ, ଦୁନିଆଯାକର ଦର୍ଶନ-ବିଜ୍ଞାନ … ହେଲେ ପଥରର କଳ୍ପକଳ୍ପବ୍ୟାପୀ କଠିନ ସଂକଳ୍ପ ଆଉ କାଳକାଳର ମୌନତପସ୍ୟାରୁ ଆଜିବି ଆତ୍ମଗତ କରିପାରିଲ ନାହିଁ କାଣିଚାଏ ?
ପଥର ଭଲପାଇଛି ମଣିଷକୁ । ମାତ୍ର ମଣିଷ କ’ଣ ଭଲପାଇ ପାରିଲା ପଥରକୁ ? ବନଭୂମିର ଆଦିବାସୀ ଯେଉଁ ବୃକ୍ଷକୁ ଦେବତୁଲ୍ୟ ଜ୍ଞାନ କରେ, ଜନବହୁଳ ସମୃଦ୍ଧ ସହରର ଅଧିବାସୀ ସେଇ ବୃକ୍ଷକୁ ପ୍ରତ୍ୟକ୍ଷ କଲା ମାତ୍ରେ ମନର ଅତଳରେ ଆରମ୍ଭ କରିଦିଏ ବ୍ୟବସାୟଗତ ମୂଲ୍ୟ ଆକଳନ । ପଥର ପ୍ରତି ମଧ୍ୟ ସେଇ ଏକା ଦୃଷ୍ଟିଭଂଗୀ । ତୁମେ ଆମରମାନ ନୁହେଁ, ମୂଲ୍ୟବୁଝ ଖାଲି । ଆମକୁ ଶସ୍ତାରେ କିଣି କେମିତି ମହଙ୍ଗାରେ ବିକିବ – ସେଥିପାଇଁ ହିସାବ ଖାତାର ମୋଟେଇ ବଢେଇ ଚାଲୁଥାଅ ବରାବର ।
ତୁମେ ଆମକୁ କୋରୁଥାଅ, ବିଦାରୁଥାଅ – ଆମେ କିନ୍ତୁ ତୁମକୁ ସେମିତି ଭଲ ପାଉଥାଉ – ଆମ ପିଣ୍ଡ ଖଣ୍ଡବିଖଣ୍ଡ ହେଲା ପରେବି । ଆମ ଧ୍ୱଂସରେ ଯଦି ତୁମ ସୃଷ୍ଟି ହୋଇପାରେ ସୁନ୍ଦର, ଶ୍ରୀସଂପନ୍ନ – ତେବେ ତଥାସ୍ତୁ ।
ଭୟ କେବଳ ଗୋଟିଏ କଥା ପାଇଁ । ତା’ ହେଉଛି, ତୁମେ ତୁମ ପରିବେଶ, ପ୍ରତିବେଶୀ, ଆତ୍ମୀୟ ସ୍ୱଜନ, ନିଜଜାତି ଓ ଜନତାକୁ ଆତ୍ମସ୍ୱାର୍ଥ ପାଇଁ ବିପର୍ଯ୍ୟସ୍ତ କରି ଦେବାରେ କୁଣ୍ଠିତ ହେଉ ନାହଁ ତିଳଟିଏ ମାତ୍ର । ତା’ କରନା – କରନା କଦାପି । ମନେନାହିଁ, ମହାଭାରତର ଯଦୁବଂଶ କଥା ? ନିଜ ନିଜ ମଧ୍ୟରେ ଗୋଳଯୁଦ୍ଧ କରି କରି କିପରି ସମୂଳେ ନିଶ୍ଚିହ୍ନ ହୋଇଗଲେ ଦିନେ ? ଯୁଦ୍ଧ, ଗୃହଯୁଦ୍ଧ, ବ୍ୟୂହଯୁଦ୍ଧ, ମହାଯୁଦ୍ଧ – କ’ଣ ଦରକାର ? ‘ବସୁଧୈବ କୁଟୁମ୍ବକଂ’ର ମନ୍ତ୍ର ଉଚ୍ଚାରଣକରିପ୍ରେମର ପୃଥିବୀଟିଏ ଗଢ଼ିପାରିଲ ନାହିଁ ? ଯିଏ ଯୋଦ୍ଧା, ସିଏ ଘାତକ ନୁହେଁ – ପ୍ରେମିକ, ମହାପ୍ରେମିକ । ଲକ୍ଷକୋଟି ପ୍ରାଣର ତ୍ରାଣକର୍ତା ସେ । ନିଜେ ମରିଯାଇପାରେ, ଅନ୍ୟ ସମସ୍ତଙ୍କୁ ବଂଚାଇ ରଖିବାର ପଣ କରି – ଠିକ୍ ଆମପଥର ଜାତି ପରି ।
ଆମକୁ ଖଣ୍ଡେ ମାମୁଲି କଠିନ ଶୀତଳ ପିଣ୍ଡ ମଣିବାର ଭୁଲ୍କର ନାହିଁ କେବେ ? ଆମରକ୍ରୋଧ, ଆମର ଉତେଜନା, ଆମର ଉତପ୍ତତା ଭାରିଭୟଙ୍କର । ଶୁଣି ନାହଁ ଆଗ୍ନେୟଗିରିର ବିସ୍ଫୋରିତ ବିବରଣୀ – କଳ୍ପନା କରି ନାହଁ ଉଦଗ୍ର ଉଦ୍ଗୀରଣ ବେଳର କରାଳକରଣୀ ? ଜଳନ୍ତା ପାହାଡ଼ର ଆଁ’ରୁ ନିଆଁରଝଲକ – ଆଉ ସେ ଝଲକରେ ପଥରର ଝଡ଼ … କେତେ ପ୍ରଳୟଙ୍କର ! ମୃତ ଆଗ୍ନେୟଗିରି, ସୁପ୍ତ ଆଗ୍ନେୟଗିରିର ପଥରମାନଙ୍କୁ ପ୍ରଣିପାତକର – ଜୀବନ୍ତ ଆଗ୍ନେୟଗିରିର ପଥରମାନଙ୍କୁ ପ୍ରଶାନ୍ତ ରହିବା ପାଇଁ ପ୍ରାର୍ଥନାକର ! ପ୍ରକୃତିକୁ ବିକୃତିରେ ବଦଳିଯିବାକୁ ମୁହୂର୍ତଟିଏ ଲାଗିବ ନାହିଁ – ଯଦି ଚେତନା ଥାଇ ମଧ୍ୟ ତୁମେ ମଣିଷମାନେ ଜଡ଼ହେବାକୁ ଚାହ !
ହେହୋହଲ୍ଲାରେ ମସ୍ତମଣିଷମାନେ, ପ୍ରକୃତି ଉପରେ ତୁମ ପୁରୁଷପଣଜାହିରକରି ତୁମେ ଆଉ ଦର୍ପ ଦେଖାଅନା । ଯେଉଁ ପଥରକୁ ପାଦ ତଳେ ପାହାଚକରିଛ, ସେଇ ପଥରକୁରତ୍ନସିଂହାସନରେ ପ୍ରତିମାରୂପରେବସାଇଯୋଡ଼ହସ୍ତରେ ପ୍ରଣାମକରୁଛ ! ତମମାନଙ୍କୁକହିବି ଆଉକ’ଣ ?ମୋ ଭାଷା ପଥରରଭାଷା – ନୀରବତା । ଆମେ ପଥରମାନେ ଯେ ଏଯାଏଁ ବିପ୍ଳବ କରିନୁ, ତମ ଭାଗ୍ୟ ଭଲ । ଏକଦା ଆମର ପକ୍ଷ ଥିଲା, ବଡ଼ ବଡ଼ ପାହାଡ଼ ରୂପରେ ଗଗନ ପବନ ଖେଦିବୁଲୁ ଥିଲୁ ବୋଲି ଇନ୍ଦ୍ର ଦେବତାବି ଆମକୁ ସହି ନ ଥିଲା ସେ ଦିନ । ଆମର ପକ୍ଷ ଛେଦନର ଅଭିଯାନ ଆରମ୍ଭ କଲା ଦେବସମାଜ । ସମୁଦ୍ର ଶେଷକୁ ହେଲା ଆମର ଗୋପନ ଆଶ୍ରୟସ୍ଥଳ । ମଗ୍ନମୈନାକକୁ ପଚାର, ସେ କହିବ ଆମ ପଥରମାନଙ୍କର ଏଇ ପୌରାଣିକ ଅତୀତର ଦୁଃଖଦ ସ୍ମୃତିକଥା ।
ତଥାପି ଆମେ ଦେବ ସମାଜକୁ ନୁହେଁ, ଭଲପାଉ ମାନବ କୁଳକୁ । ସେଥିପାଇଁ ଦେବତାର ସ୍ୱର୍ଗ ନୁହେଁ – ଆମେ ବାଛି ନେଇଛୁ ମଣିଷର ମର୍ତ୍ୟ, ଏ ଭୂତଳ – ଏ ପାତାଳ ।
ଆଜି ମଣିଷ ଅପେକ୍ଷା ପଥରର ମୂଲ୍ୟବେଶି । ଦେବଦେବୀ ପ୍ରତିମାଠାରୁ ଆରମ୍ଭ କରି ପଥରଦୁର୍ଗ, ପଥର କାର୍ଯ୍ୟ, ଆନିକଟ ବ୍ରିଜ୍ ସବୁକାମରେ ଆମେ ବ୍ୟବହୃତ ହେଲୁ । ମଣିଷର ଭବିଷ୍ୟତ ଧ୍ୱଂସମୁଖୀ ହୋଇ ଚାଲିଥିବା ବେଳେ ଆମର ଭବିଷ୍ୟତ କିନ୍ତୁ ଉଜ୍ୱଳ । ମଣିଷ, ଜୀବଜନ୍ତୁ ଜନ୍ମ ହୋଇ ମାତ୍ର କେଇ ବର୍ଷ ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ନ୍ତି । ଆମର ଜନ୍ମ ଲକ୍ଷ ଲକ୍ଷ ବର୍ଷତଳୁ ହୋଇଥିଲେ ମଧ୍ୟ ଆମେ ହଜାର ହଜାର ବର୍ଷ ବଂଚିରହୁ- ଏପରିକି କେହି କେହି କଟାଇ ଦେଉ ଅପରିମାପ୍ୟ ଆୟୁଷ୍କାଳ । ଏଇ ପଥରରୁ ଦିଅଁ ଭଗବାନ ହୁଏ । ମନ୍ଦିର ତୋଳାଯାଏ ।ମନ୍ଦିରର ଗାତ୍ରରେ ରୂପସୀ ମୂର୍ତି ଶୋଭାପାଏ । ପୁଣି ‘କାମଶାସ୍ତ୍ର’ ମଧ୍ୟ ପଥରରେ ଗଢ଼ା ହୋଇ ମନ୍ଦିର ମିଉଜିୟମ୍ମାନଙ୍କରେ ସ୍ଥାନ ପାଏ । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଦେଖଣାହାରିଙ୍କ ଆଖିଲାଖି ରହେ ।
ନିହାଣ ମୂନରେ ପଥର କାରିଗର, ଶିଳ୍ପୀ ଆମ ଦେହରେ ଖୋଦେଇ କରି ଅବିକଳ ମୂର୍ତି ଗଢ଼ି ଦିଅନ୍ତି ।ସେ ମୂର୍ତି ବହୁମୂଲ୍ୟରେ ବିକ୍ରିହୁଏ । ପଥର ମୂର୍ତି ମଧ୍ୟ ଚୋରି ହୋଇ ବିଦେଶକୁ ଚାଲାଣ ହୁଏ ।
ଆଜି ମୋ ଦେଶର ମଣିଷମାନେ ପଥର ପାଲଟିଗଲେଣି ।
ହେ ମୋର ଦେଶର ପଥରମାନେ, ତୁମେ ମୋଟେ ବ୍ୟସ୍ତ ହୁଅନି । ତୁମେ ଯେଉଁଠି ଥିଲେ ବି ତୁମ ପ୍ରେମରେ ପ୍ରତ୍ନତାତ୍ୱିକମାନେ ପାଗଳ । ମୁଁ ମଧ୍ୟ । କେବେ ବିଦେଶ ଗଲେ ସାକ୍ଷାତ ହେବ ନିଶ୍ଚୟ । ହଉ! ତୁମେ ଯେଉଁମାନେ ରମଣୀୟ ସୁନ୍ଦରୀ ନାରୀ ରୂପରେ ଦେଶ ବିଦେଶରେ ଅଛ, ତୁମେମାନେ ବରଂ ମିଉଜିୟମ୍କୁ ପଳା – ମୁଁ ଯାଉଛି ଏଇ ଲଂଡନ୍ ମାଟିର ଅତ୍ୟାଧୁନି କଲା ବୋରେଟୋରୀକୁ । କେବେ ଯଦି ଦେଖାହେବା, କଥା ହେବା ଚୁପ୍ଚାପ୍ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.