Latest Odisha News

ମଞ୍ଚ ଓ ନାଚର ପ୍ରେମରେ ଏକ ସମର୍ପିତ ଜୀବନ; ଡକ୍ଟର ସୁନୀଲ କୋଠାରି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

 ସତୁରୀ ବର୍ଷ ଧରି ଜଣେ ଲୋକ କେବଳ ନାଚ ଦେଖିଛନ୍ତି ଓ ନାଚ ଉପରେ ଲେଖିଛନ୍ତି- ଏମିତି ଜଣେ ବ୍ୟକ୍ତିଙ୍କୁ ଆମେ କଣ ବୋଲି କହିବା? ରସିକ, ପାଗଳ ନା ନୃତ୍ୟର ଏକନିଷ୍ଠ ଭକ୍ତ? ଜୀବନର ସବୁକିଛି ଛାଡି ଦେଇ କେବଳ ମଞ୍ଚସାମ୍ନାରେ ସତୁରୀ ବର୍ଷର ଜୀବନ ଅତିବାହିତ କରିବା କିଛି କମ କଥା ନୁହେଁ। ନିଜର ୮୭ ବର୍ଷର ଆୟୁଷରୁ ପୂରା ୭୦ ବର୍ଷ କେବଳ ଭାରତୀୟ ନୃତ୍ୟ ପାଇଁ ସମର୍ପି ଦେଇଥିବା ଏ ବ୍ୟକ୍ତି ଜଣକ ସୁନୀଲ କୋଠାରି। ଭାରତର ପ୍ରତ୍ୟେକ ନୃତ୍ୟଶୈଳୀ ଓ ନୃତ୍ୟଶିଳ୍ପୀଙ୍କ ସହିତ ଅତି ଅନ୍ତରଙ୍ଗ ଭାବେ ପରିଚିତ ସୁନୀଲ କୋଠାରିଙ୍କର ଦେହାନ୍ତ ଘଟିଛି ଗତ ରବିବାର ଦିନ। ସୁନୀଲ ଭାଇ (ଆମ ଭଳି ନୃତ୍ୟ ସହିତ ସମ୍ପୃକ୍ତ ସାଧାରଣ ଲେଖକ ଓ ସାମ୍ବାଦିକଙ୍କ ପାଇଁ ସେ ସବୁବେଳେ ବଡଭାଇର ଭୂମିକା ତୁଲାଇ ଆସୁଥିଲେ) ଆମ ସମୟର ଏକ ବ୍ୟତିକ୍ରମ। ଭାରତର ଏମିତି କୌଣସି ନୃତ୍ୟମଞ୍ଚ ନାହିଁ, ଯାହା ଆଗରେ ସେ ବସି ନଥିବେ। ନାଚ ଦେଖିବାକୁ ଓ ନାଚ ବିଷୟରେ ଲେଖିବାକୁ ନିଜ ଜୀବନର ବାକିସବୁ ସୁଖକୁ ଭୁଲିଯାଇ, ସାରା ଜୀବନ ସେ ରସିକ ହୋଇ ରହିଗଲେ।

ସୁନୀଲ କୋଠାରି, ଭାରତୀୟ ନୃତ୍ୟକଳାର ଅନ୍ୟତମ ଶ୍ରେଷ୍ଠ ସମୀକ୍ଷକ ଓ ଗବେଷକ। ସେ ଦେଶର ଏକମାତ୍ର ଐତିହାସିକ ଯିଏ, ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ ସମେତ ଲୋକନୃତ୍ୟ ଏବଂ ସମକାଳୀନ-ଆଧୁନିକ ନୃତ୍ୟର ଇତିହାସ ଲେଖିଛନ୍ତି। ଅନ୍ୟ ଐତିହାସିକଙ୍କ ଠାରୁ ସୁନୀଲ କୋଠାରି ସଂପୂର୍ଣ୍ଣ ଅଲଗାଜଣେ ଗବେଷକ ବା ଐତିହାସିକ ନୃତ୍ୟ ଆଲୋଚନା କଲାବେଳେ ନିଜକୁ ସମ୍ପୃକ୍ତ ରଖିବା ସମ୍ଭବ ହୁଏନାହିଁ। ସୁନୀଲ କୋଠାରି କିନ୍ତୁ ପ୍ରଥମେ ରସିକ,ତାପରେ ଯାଇ ସମୀକ୍ଷକ ବା ଐତିହାସିକ। ସେ ନୃତ୍ୟକୁ ପ୍ରାଣ ଭାରି ଭଲ ପାଉଥିଲେଜୀବନର ସବୁ ସନ୍ଧ୍ୟା ସେ ନାଚ ଦେଖାରେ ବିତାଇଛନ୍ତିସେ ନିଜେ ନୃତ୍ୟଶିଳ୍ପୀ ନଥିଲେଯୁବକ ଅବସ୍ଥାରେ ଅଳ୍ପଦିନ ସେ କଥକ ନୃତ୍ୟ ଶିକ୍ଷା କରିଥିଲେହେଲେ ମଞ୍ଚରେ ନାଚିବା ଅପେକ୍ଷା ମଞ୍ଚ ବାହାରେ ନାଚ ଦେଖିବା ତାଙ୍କର ଜୀବନ ପାଲଟିଗଲା

ଅନେକ ସମୟରେ ତାଙ୍କୁ କୁହା ଯାଉଥିଲା, ଭାରତୀୟ ନୃତ୍ୟର ଚଳନ୍ତି ଜ୍ଞାନକୋଷ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ତତ୍ତ୍ଵ ଓ ତଥ୍ୟକୁ ନେଇ ସେ ବହୁତ ଲେଖିଛନ୍ତିହେଲେ, ନୃତ୍ୟକୁ ନେଇ ଏକ ଅଦ୍ଭୁତ ସମ୍ପର୍କର ପୃଥିବୀ ସେ ତିଆରି କରିଥିଲେତାହା ହିଁ ସୁନୀଲ କୋଠାରିଙ୍କ ବିଶେଷତ୍ଵ। ସେ ରୁକ୍ମିଣୀ ଦେବୀ ଅରୁଣ୍ଡଲେ, ବାଲା ସରସ୍ବତୀଙ୍କ ଠାରୁ ଆରମ୍ଭ କରି ଗୁରୁ କେଲୁଚରଣ ମହାପାତ୍ର, ଗୁରୁ ଭେମ୍ପତ୍ତି ଚିନ୍ନା ସତ୍ୟମ, ଗୁରୁ ବିରଜୁ ମହାରାଜ, ଚନ୍ଦ୍ରଲେଖା, ଜାଭେରୀ ସିଷ୍ଟର୍ସଙ୍କ ପର୍ୟନ୍ତ ଏବଂ କିମ୍ବଦନ୍ତିରୁ ଆରମ୍ଭ କରି ଗତକାଲି ନାଚିବା ଆରମ୍ଭ କରିଥିବା ସାନଛୁଆ ପର୍ୟନ୍ତ, ସମସ୍ତଙ୍କ ସହିତ ତାଙ୍କର ସମ୍ପର୍କ ଅଦ୍ଭୁତ ଭାବରେ ନିବିଡ। ଭାରତର ସବୁଠୁ ପ୍ରସିଦ୍ଧ ସଂବାଦପତ୍ର ଗୁଡିକରେ ସେ ନୃତ୍ୟ ଆଲୋଚନା କରିଛନ୍ତିତାଙ୍କର ମାର୍ଗଦର୍ଶକ ତଥା ଭାରତର ମହାନ ଲେଖକ ମୁଲକରାଜ ଆନନ୍ଦଙ୍କର ପ୍ରେରଣାରେ ସେ “ମାର୍ଗ” ପତ୍ରିକା ସହିତ ପ୍ରଥମେ ସମ୍ପୃକ୍ତ ହୋଇଥିଲେପରବର୍ତ୍ତୀ ସମୟରେ “ଟାଇମସ ଅଫ ଇଣ୍ଡିଆ” ର ସେ ଥିଲେ ନିୟମିତ ନୃତ୍ୟ ସମୀକ୍ଷକ

ତେବେ ସବୁଠୁ ମଜାର କଥା ହେଉଛି ସୁନୀଲ କୋଠାରି ଶିକ୍ଷା ଓ ବୃତ୍ତି ରେ ଆଦୌ ନୃତ୍ୟ ସହ ସମ୍ପୃକ୍ତ ନଥିଲେ। ଗୁଜରାଟୀ ପରିବାରରେ ଜନ୍ମିଥିବା ସୁନୀଲ ଚାଟାର୍ଡ ଏକାଉଣ୍ଟେଣ୍ଟ ଭାବେ ଶିକ୍ଷା ପାଇଥିଲେପାଠ ପଢିବା ସମୟରେ ତାଙ୍କର ଦୁଇ ଅନ୍ତରଙ୍ଗ ବନ୍ଧୁ ଥିଲେ ଭୂପେନ ଖକ୍କର ଏବଂ ଗୁଲାମ ମହମ୍ମଦ ଶେଖଏ ଦୁହେଁ ଭାରତୀୟ ଭାରତୀୟ ଚିତ୍ରକଳା ଜଗତର ପ୍ରବାଦ ପୁରୁଷପ୍ରାୟ ଚାଳିଶ ବର୍ଷ ଧରି ସେ ଥିଲେ ଓଡିଆ ଚିତ୍ରଶିଳ୍ପୀ ଯତୀନ ଦାସଙ୍କର ପଡୋଶୀନୃତ୍ୟ ସହିତ ଚିତ୍ରକଳା, ଥିଏଟର, କବିତା ଓ ସିନେମା ସହିତ ତାଙ୍କର ଗଭୀର ସମ୍ପୃକ୍ତି ରହିଥିଲାକଲିକତା ବିଶ୍ଵ ବିଦ୍ୟାଳୟ ଏବଂ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ସେ କଳା ଓ ସୌନ୍ଦର୍ୟଶାସ୍ତ୍ରର ଅଧ୍ୟାପକ ଭାବରେ ସେ କିଛି ବର୍ଷ କାମ କରିଥିଲେ

ତେବେ କୌଣସି ଅନୁଷ୍ଠାନରେ ବନ୍ଧା ପଡି କାମ କରିବା ତାଙ୍କ ଜାତକରେ ନଥିଲା। ସେ ଥିଲେ ଆଜୀବନ ଯାଯାବରଦିଲ୍ଲୀ ସ୍ଥିତ ଏସିଆଦ ଭିଲେଜରେ ତାଙ୍କର ଠିକଣା ଥିଲା ଅସ୍ଥାୟୀ। ( ଏହି ଘରୁ ତାଙ୍କୁ ଉଚ୍ଛେଦ କରିବାକୁ ଭାରତ ସରକାର ନୋଟିସ କରିଥିଲେ।) ଆମେ ମଜାରେ କହୁଥିଲୁ, ସୁନୀଲ ଭାଇଙ୍କର ଚିରସ୍ଥାୟୀ ଠିକଣା ହେଉଛି ରଙ୍ଗମଞ୍ଚ। ସେ ଦିଲ୍ଲୀର କମାଣି ଅଡିଟୋରିୟମ ହେଉ କି ଚେନ୍ନାଇ ର ମ୍ୟୁଜିକ ଏକାଡେମି, ଆମେରିକାର କେନେଡି ସେଣ୍ଟର ହେଉ କି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ, ସୁନୀଲ କୋଠାରି ସର୍ବତ୍ର ବିଦ୍ୟମାନ। ସାରା ପୃଥିବୀରେ ତାଙ୍କର ବନ୍ଧୁ ଅଛନ୍ତି। ପୃଥିବୀର ଏମିତି କେଉଁ ସହର ନାହିଁ, ଯେଉଁଠି ସୁନୀଲ କୋଠାରିଙ୍କର ବନ୍ଧୁ ନଥିବେ।

ଓଡିଶୀ ସହିତ ସୁନୀଲ କୋଠାରିଙ୍କର ସମ୍ପର୍କ ୧୯୫୬ ମସିହାରୁ। ସେହି ବର୍ଷ ଠୁ ପ୍ରତି ବର୍ଷ ଅତି କମରେ ୧୦/୧୨ ଥର ସେ ଓଡିଶା ନିଶ୍ଚୟ ଆସନ୍ତି। ଓଡିଶାର ଏମିତି କୌଣସି ବଡ ନୃତ୍ୟ ଉତ୍ସବ ନାହିଁ, ଯେଉଁଠି ଦର୍ଶକ ଗ୍ୟାଲେରୀରେ ସୁନୀଲ ଭାଇଙ୍କୁ ଆପଣ ଦେଖିନଥିବେମୋ ଭଳି ସୌଖୀନ ନୃତ୍ୟ ଲେଖକଙ୍କ ପାଇଁ ସୁନୀଲ କୋଠାରି ଏକ ବିସ୍ମୟ। ତାଙ୍କ ଭଳି ଜୀବନଟିଏ ଆମେ କଳ୍ପନା ସୁଦ୍ଧା କରିପାରିବୁ ନାହିଁ।  ବ୍ୟକ୍ତିଗତ ଭାବରେ ମୁଁ ସୁନୀଲ ଭାଇଙ୍କର କନିଷ୍ଠ ବନ୍ଧୁ ଓ ଆମ ଭିତରେ ସମ୍ପର୍କ ଗୋଟେ ଭିନ୍ନ ପର୍ୟାୟର। ଏତେ ବେଶୀ ଭଲ ପାଉଥିବା ଲୋକଟା ହଠାତ ଏମିତି ଚାଲିଯିବା,ବଡ କଷ୍ଟଦାୟକ। ହେଲେ ସୁନୀଲ ଭାଇ ପାଇଁ ଆମକୁ ଉତ୍ସବ ପାଳିବାକୁ ପଡିବନୃତ୍ୟ ଥିବା ଯାଏ, ସୁନୀଲ ଭାଇ ରହିବେକରୋନାସଂକ୍ରମଣ ଯୋଗୁଁ ବନ୍ଦ ପଡିଥିବା ନୃତ୍ୟମଞ୍ଚ ତାଙ୍କୁ ଗଭୀର ଅବସାଦ ଦେଉଥିଲେ। ତେଣୁ ତାଙ୍କ ପ୍ରତି ବଡ ଶ୍ରଦ୍ଧାଞ୍ଜଳି ହେବ- ଦ ଶୋ ମଷ୍ଟ ଗୋ ଅନ।

ବିଦାୟ ପ୍ରିୟ ସୁନୀଲ ଭାଇ। 

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Comments are closed.