ସିନେମା ସରିନାହିଁ। କାହାଣୀ ଆରମ୍ଭ ହୋଇଛି ମାତ୍ର। ଆଗକୁ ଆହୁରି ବାକି ଅଛି ହସ ଓ ଲୁହର ନାଟକ। ଏ ଯାଏ, ସବୁଠୁ ଓଜନଦାର ସଂଳାପ ଉଚ୍ଚାରିତ ହୋଇନାହିଁ। ରୋମାଞ୍ଚର ଜଗତରେ ଏବେ ବି ବାକି ଅଛି ଉତ୍ତେଜନା।
ସୁନା କନିଆଁ ପରି ସେ ନାୟିକାର ଅପେକ୍ଷାରେ ଗୀତ ଗାଉଛି ରୂପା ଶଗଡିର ଶଗଡିଆ। ତାର ଦୁଃଖ ଆହୁରି ବାକି ଅଛି। ଏ ଗୋଟେ ଅଜବ ସିନେମା। ଯେତେ ଦେଖିଲେ ବି ସରୁନାହିଁ। ଦର୍ଶକଙ୍କର ତାଳିମାଡ ସରୁନି। ମରମୀ ଦର୍ଶକର ଆଖିରେ ଜକ ଜକ ଟୋପେ ଲୁହ। ଏ ଲୁହ ସିନେମା ସରି ଯାଇଛି ବୋଲି ନୁହେଁ, ଏ ଲୁହ ଗୋଟେ ମଧ୍ୟାନ୍ତର ପାଇଁ। ଏବେ କାନ୍ଦି କାନ୍ଦି ଦର୍ଶକକୁ ଅପେକ୍ଷା କରିବାକୁ ପଡିବ ଆଗାମୀ ଦୃଶ୍ୟ ପାଇଁ। ହେଲେ ଆଗାମୀ ଦୃଶ୍ୟ ଆସିବ ତ? ମହାନାୟକର ସବୁଠୁ ଓଜନଦାର ସଂଳାପ ଶୁଭିବ କେଉଁ ଗୁମ୍ଫା କି ସହରରୁ, ଚିଲିକା ପାଣିର ଡଙ୍ଗା କି ନାଗଫାଶର ବନ୍ଧନରୁ, ଉଜୁଡା ଗାଁର ଭାଗ୍ୟ କି ହାରି ଯାଇଥିବା ପ୍ରେମର ଉପତ୍ୟକାରୁ-କେଉଁଠି ଠିଆ ହୋଇ ସେ ଆମକୁ ପଚାରିବ-କି ହୋ, ଜଙ୍ଗଲ ତ ଜଙ୍ଗଲ, ତମ ଜଙ୍ଗଲ ଆଉ ଆମ ଜଙ୍ଗଲ ଗୋଟେ କଣ? (ପ୍ରଣବ ଦାଶଙ୍କ “ହାକିମ ବାବୁ” ସିନେମାରେ ବିଜୟ ମହାନ୍ତିଙ୍କର ସଂଳାପ)
ଓଡିଆ ସିନେମାରେ ସେ ଏକ ବିରଳ ମଧ୍ୟାନ୍ତର। ଯେବେ ବି ଗୋଟେ ଯୁଗ ନାୟକର ଅବସାନ ଘଟେ ସେଠି ନିରବଚ୍ଛିନ୍ନ ଚାଲିଥିବା ଜୀବନର ସିନେମା କିଛି ସମୟ ଲାଗି ଅଟକି ଯାଏ। ଆଜି ସେମିତି ଏକ ଦାର୍ଶନିକ ମଧ୍ୟାନ୍ତରର ସମୟ। ବିଜୟ ମହାନ୍ତି ନାହାନ୍ତି ବୋଲି ଦର୍ଶକ ଉଠିଯିବେ ନା କଣ? ଆମକୁ ଅପେକ୍ଷା କରିବାକୁ ପଡିବ। ସେ ପୁଣି ଫେରିବେ। ନାୟକ କଣ କେବେ ମରିପାରେ! ଭାଗବତ ଗୀତାର ସେ ଅମର ବାକ୍ୟ ପରି- ତାକୁ ନା ଶସ୍ତ୍ର କାଟିପାରେ, ନା ତାକୁ ଦହନ କରିପାରେ ଅଗ୍ନି, ନା ତାକୁ ପାଣି ବୁଡେଇପାରେ, ନା ତାକୁ ଶୁଖେଇପାରେ ପବନ । ସେ ଅମର-ସ୍ଵୟଂଭୂ-ସଦାଶିବ। ସେ ଅନନ୍ୟ ବିଜୟ। ଜୀବନ ଯାତ୍ରାରେ ମହାନାୟକର ବିଜୟ ହିଁ ବିଜୟ। ଲୋକ ଜୀବନରେ ଯେତେବେଳେ ଜଣେ ଅଭିନେତା ମହାନାୟକର ସ୍ତରକୁ ପହଞ୍ଚିଯାଏ, ସେ ଆଉ ଜୀବନ-ମୃତ୍ୟୁର ବନ୍ଧନୀରେ ସୀମିତ ରହେନାହିଁ। ବିଜୟ ମହାନ୍ତି ଆମ ସମୟର ସେହି ମହାନାୟକ ଯାହାଙ୍କ ଲାଗି ମୃତ୍ୟୁର କୌଣସି ଭୂମିକା ନାହିଁ। ସୌଭାଗ୍ୟକ୍ରମେ ତାଙ୍କ ଜୀବନର ଭୂମିକା ପ୍ରତିଟି ଓଡିଆ ଲୋକର ଜୀବନରେ ଟିକେ ଟିକେ ବାଣ୍ଟି ହୋଇ ରହିଛି-ବୁଣି ହୋଇ ପଡିଛି।
ପାଖାପାଖି ଦୁଇ ଶହ ସିନେମାରେ ନିଜୟ ମହାନ୍ତି ଅଭିନୟ କରିଛନ୍ତି। ସବୁ ପ୍ରକାର ଭୂମିକା ତୁଲାଇଛନ୍ତି। “ନାଗଫାଶ” ଓ “ସହରୀ ବାଘ” ସିନେମାରେ ସେ ଦୁର୍ଦ୍ଦାନ୍ତ ଖଳନାୟକ। “ଚିଲିକା ତୀରେ”, “ହାକିମ ବାବୁ” ସିନେମାରେ ସାଧାରଣ ମଣିଷର ମହାନାୟକ । “ଜଗା ହାତରେ ପଘା” ରେ ସେ ତ୍ୟାଗ ଓ ସମର୍ପଣର ନିର୍ମଳ ଚରିତ୍ର। ହେଲେ ମୋ ଲାଗି ସେଇ ବିଜୟ ମହାନ୍ତି ଟିକେ ନିଆରା, ଯେଉଁଠି ସେ ଟିକେ ଅବୁଝା, ହୁଣ୍ଡା ଆଉ ହୁଙ୍କାପିଟା। ଗାଉଁଲି ଓଡିଆ ଜୀବନର ଏଇ ଚରିତ୍ର ଟି ତାଙ୍କୁ ବହୁତ ମାନେ। ଫକିର ମୋହନ ସେନାପତିଙ୍କ “ରାଣ୍ଡୀପୁଅ ଅନନ୍ତା” ଗପର “ଅନନ୍ତା” ଟି ଭିତରେ ଯେମିତି ବିଜୟ ମହାନ୍ତି ବୁଡିକି ଅଛନ୍ତି।
ଓଡିଆ ଜୀବନର ଏମିତି ଚରିତ୍ର ଫୁଟାଇବା ବେଳେ ତାଙ୍କ ଭିତରର ଅଭିନେତାଟି ବହୁତ ସ୍ଵାଭାବିକ ଲାଗେ। ତାଙ୍କ ମୁହଁ ର ନିରୀହତା ସହିତ ଦୃଢତା କେମିତି ଗୋଟେ ବିଚିତ୍ର ରସାୟନ ତିଆରି କରେ। (ରାଣ୍ଡୀପୁଅ ଅନନ୍ତାକୁ ନେଇ ଗୋଟେ ପୂର୍ଣ୍ଣାଙ୍ଗ ସିନେମା ଆମେ କରିପାରିଲେ ନାଇଁ। ଯଦିଓ ଏହି କାହାଣୀ ଆଧାରରେ ସବ୍ୟସାଚୀ ମହାପାତ୍ରଙ୍କର ଗୋଟେ ଟେଲି ସିନେମା ଅଛି। )
ଅଶି ଓ ନବେ ଦଶକରେ ତାଙ୍କର ସବୁ ସିନେମା ଦେଖିବାକୁ ଆମେ ଏକ ପ୍ରକାର ବାଧ୍ୟ ଥିଲୁ। କାରଣ ସେତେବେଳେ ସେ ହିଁ ଆମର ସୁପର ହିରୋ । ସେତେବେଳେ ହିନ୍ଦୀ ଓ ଇଂରାଜୀ ସିନେମାର ବିରାଟ ଆକାଶ ଆମଲାଗି ଥିଲା ଅପହଞ୍ଚ। ଆଜି ହିନ୍ଦୀ ଓ ଇଂରାଜୀ ସିନେମାର ବିରାଟ ଗ୍ୟାଲେରୀରେ ଠିଆ ହୋଇ ଓଡିଆ ସିନେମାକୁ ଦେଖିଲେ, ହୁଏତ ଟିକେ ନିରାଶ ଲାଗୁଛି। ହେଲେ ତା ଭିତରେ କିଛି ଚେହେରା ଅଛନ୍ତି, ଯେଉଁମାନଙ୍କର ଅଭିନୟରେ ମାଟିର ବାସ୍ନା ଅଛି।
ହଁ, ବିଜୟ ମହାନ୍ତିଙ୍କୁ ଦେଖିଲେ ମୋତେ ମୋ ମାଟିର କଥା, ମୋ ବଡଭାଇର କଥା, ମୋ ବାପା ଓ ଜେଜେବାପାଙ୍କ କଥା ମନେପଡେ। ବିଜୟ ମହାନ୍ତି ମୋ ପରିବାର, ମୋ ଘର, ମୋ ସହର, ମୋ ସଂସ୍କୃତି ଓ ମୋ ଚଳଣିର ପ୍ରତୀକ। ଯେତେବେଳେ ସିନେମାରୁ ଏଇ ସବୁ ଶବ୍ଦ ନିର୍ବାସିତ ହୋଇ ଯାଉଛନ୍ତି, ସେତେବେଳେ ବିଜୟ ମହାନ୍ତି ମଧ୍ୟ ଉଠିକି ଚାଲି ଯାଉଛନ୍ତି। ସେଇଟା ବେଶୀ ବାଧୁଛି। ତାଙ୍କର ମୃତ୍ୟୁ ଗୋଟେ ଶୂନ୍ୟସ୍ଥାନର ଆରମ୍ଭ ନୁହେଁ। ସେ ଅନେକ ଶୂନ୍ୟତାର ପ୍ରଲମ୍ବିତ ବିନ୍ଦୁର ଏକ ଅଂଶ। ସାମୁଏଲ ସାହୁ, ହେମନ୍ତ ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ବ୍ୟୋମକେଶ ତ୍ରିପାଠୀ, ଶରତ ପୂଜାରୀ ମାନେ ଚାଲିଯିବା ପରେ ଯେଉଁ ଶୂନ୍ୟସ୍ଥାନ, ସେଥିରେ ବିଜୟ ମହାନ୍ତିଙ୍କର ଯୋଗଦାନ ବେଦନାଦାୟକ। ତେବେ ସିନେମାର ଏକମାତ୍ର ସତ୍ୟ ହେଉଛି- ଦ ଶୋ ମଷ୍ଟ ଗୋ ଅନ। ସିନେମା ଚାଲିଥିବ। ବିଜୟ ମହାନ୍ତିଙ୍କ ପାଇଁ ଓଡିଆ ଆଖିରେ ଟୋପେ ଲୁହ ଓ ଧାରେ ହସ କାଳ କାଳ ଧରି ରହିଛି ଓ ରହିଥିବ।
Comments are closed.