Latest Odisha News

BREAKING NEWS

ଓଡ଼ିଶାରେ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅନଲାଇନ ଆଲୋଚନାଚକ୍ର

ନ୍ୟୁୟର୍କ : ଭାରତୀୟ କନସୁଲେଟ , ମିଲନ ସାଂସ୍କୃତିକ ସଂଘ ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ମିଳିତ ଆନୁକୂଲ୍ୟରେ ‘ବ୍ୟବସାୟ ପାଇଁ ଓଡ଼ିଶାରେ ମହଜୁଦ ଆକର୍ଷକ ସୁଯୋଗ ଓ ପ୍ରୋତ୍ସାହନକୁ ପରଖିବା’ ବିଷୟବସ୍ତୁ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାରେ ଉପଲବ୍ଧ ଖଣିଜ ସମ୍ପଦ , ପର୍ଯ୍ୟଟନ ଓ ନିର୍ମାଣଗତ ଭିତ୍ତିଭୂମିର ସଠିକ ଉପଯୋଗ ପାଇଁ ଛୋଟ, ବଡ଼ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ ୟୁନିଟ ସ୍ଥାପନ ପାଇଁ ଶିଳ୍ପୀଦ୍ୟୋଗୀ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ଭରଚୁଆଲ କାର୍ଯ୍ୟକ୍ରମରେ ନ୍ୟୁୟର୍କସ୍ଥିତ ଭାରତ ସରକାରଙ୍କ ପର୍ଯ୍ୟଟନ ସହ ନିର୍ଦ୍ଦେଶକ ଭି. ସେଥୁର କୁମାରନ , ଓଡ଼ିଶାର ସାମଗ୍ରିକ ଶିଳ୍ପାୟନ ମାନଚିତ୍ରକୁ ଖୁବ୍ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ।  ରାଜ୍ୟ ସରକାରଙ୍କର ବ୍ୟାପାର ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଓଡ଼ିଶାର ବନ୍ଦର ନୀତି ତଥା ବିକଳ୍ପ ଶକ୍ତି ଉତ୍ସ ସମ୍ପର୍କରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ । ଆଟ୍‍ମୋସ୍‍ଫିୟର ହୋଟେଲ ଏଣ୍ଡ ରିସର୍ଚ୍ଚସ୍‍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ସଲିଲ୍‍ ପାଣିଗ୍ରାହୀ ଓ ଓଡ଼ିଶାର ବାର୍‍ ଏବଂ ରେସ୍ତୋରାଁ ସଂଘର ସମ୍ପାଦକ ସତ୍ୟ ମହାନ୍ତି, ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ପ୍ରସାରଣ ନେଇ ତାଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିତର୍କରେ ଭାଗନେଇ ଏଚ୍‍.ସି.ଏଲ୍‍ର ବରିଷ୍ଠ ଉପ-ସଭାପତି ଶିବ ଶତପଥୀ ପ୍ରତିରକ୍ଷା ଓ ଏରୋସ୍ପେସ୍‍, ଭ୍ଲିଙ୍କ୍‍ ଇଙ୍କ୍‍ର ସଭାପତି ଶରଦ୍‍ ପାଟ୍‍ନେ ଆଇ.ଟି ଉଦ୍ୟୋଗ, ‘କନେକ୍ଟଏମ୍‍’ର ଅଧ୍ୟକ୍ଷ ଭାସ୍କର ପାଣିଗ୍ରାହୀ ସ୍ୱଚ୍ଛଶକ୍ତି ଏବଂ ବାୟୋ-ଫାର୍ମାସ୍ୟୁଟିକାଲ ବ୍ୟାପାରର ବିଶେଷଜ୍ଞ ଡଃ ଅରୁଣ ମହାନ୍ତି ସ୍ୱାସ୍ଥ୍ୟସେବା ଶିଳ୍ପ ସମ୍ପର୍କରେ ଚର୍ଚ୍ଚା କରିଥିଲେ ।

ଏହି ଅନ୍‍ଲାଇନ୍‍ ଆଲୋଚନାଚକ୍ରରେ  ଅଜୟ ମହାନ୍ତି, ନଳିନୀ ପଟ୍ଟନାୟକ, କିଶୋର ଦ୍ୱିବେଦୀ, ଅକ୍ଷୟ ମହାନ୍ତି, ହରି ଶର୍ମା, ମାନବେଶ ଦାସ, ନବୀନ ପାଠକ, ଅଶୋକ ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ ପ୍ରମୁଖ ଭାଗ ନେଇଥିଲେ।

ମିଳନ ସାଂସ୍କୃତିକ ସଂଘର ଅଧ୍ୟକ୍ଷ ସୁରେଶ ଶର୍ମା ଡିଜିଟାଲ ମଞ୍ଚରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ରେଶମା ଲାଲୱାନି ସଂଯୋଜନା କରିଥିଲେ ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ସଭାପତି ଦେବଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

 

Comments are closed.