Latest Odisha News

BREAKING NEWS

ଅନ୍ଧାର ରାତିର ପ୍ରେମ

ଅନ୍ଧାର ରାତିର ପ୍ରେମ

ସୁବ୍ରତ କୁମାର ସେନାପତି

କମ୍ଳେଶର ଆଦିମ ମନର ଗାଥା

ନୀଲୁ!

ଆଜି ଵି ଏ କକ୍ଷ ସେମିତି ନିସ୍ତବ୍ଧ ନିଶଦ୍ଦ। ଚାରିଆଡେ ପରିବ୍ୟାପ୍ତ ସେଇ ନିରନ୍ଧ୍ର ଅନ୍ଧକାର। କିନ୍ତୁ ଏ ଅନ୍ଧକାର ମୋ ପାଇଁ ନିଷ୍ପ୍ରୋୟଜନ । ହୁଏତ କହିପାର ଅସହ୍ୟ ଏ ଅନ୍ଧକାର, ଯାହା ଦିନେ ମୋ ପାଇଁ ଥିଲା ଏକାନ୍ତ କାମ୍ୟ। ହଁ ଏମିତି ଏକ ଅନ୍ଧକାରର କି ଆବଶ୍ୟକତା ବା ଅଛି ମୋ ଠାରେ, ଯେଉଁଠି ତୁମେ ନାହଁ, ଯେଉଁଠି ତୁମେ ମୋତେ ଟାଣି ନେଉନାହଁ ତୁମ ଛାତି ଉପରକୁ, ଯେଉଁଠି ମୁଁ ବାରି ପାରୁନି ତୁମ ଦେହର ଗନ୍ଧ।

ମୁଁ ଜାଣେନା ତୁମର ମନେ ଅଛି କି ନା, କିନ୍ତୁ ମୋର ଖୁବ୍ ମନେ ପଡେ ଏବେ ଵି ସେ ଅନ୍ଧକାର ଭିତରେ ଆମେ ଦୁହେଁ ପାପ ପୁଣ୍ୟର ସବୁ ସୀମା ସରହଦକୁ ପାରି କରି ଏକାକାର ହୋଇ ଯାଉଥିଲୁ ପରସ୍ପରର ଭିତର ଦେଇ! ମୋ ଗୁପ୍ତାଂଗର ରେତ, ପାଟିର ଲାଳ, ଦେହର ଝାଳ ସବୁକିଛିକୁ ତୁମେ ଆପଣାର କରି ନେଉଥିଲ ଆଉ ମୋ ଭିତରର ଅଶାନ୍ତ ଝଡ଼ର ଝଙ୍କାରଟା ଶାନ୍ତ ହୋଇ ଆସୁଥିଲା। ମୋ ଦେହ ରୂପକ ବିକ୍ଷୁବ୍ଧ ସମୁଦ୍ରରେ ବିରାଜମାନ କରୁଥିଲା ଅପୂର୍ବ ପ୍ରଶାନ୍ତି। ସେ ଅନ୍ଧକାର ଭିତରେ ଆମେ ଦେଖିପାରୁ ନଥିଲୁ ପରସ୍ପରର ଲଙ୍ଗଳା ଦେହକୁ! କିନ୍ତୁ ଉପଭୋଗ ତ କରିପାରୁଥିଲୁ ବେଶ୍ କରି। ପରସ୍ପରର ସ୍ନାୟବିକ ଉତ୍ପୀଡ଼ନ, ଦେହର ଆବଶ୍ୟକତା, ଶିରା ଉପଶିରାରେ ଉତ୍ତେଜନାର ତୀବ୍ର ଚଳନକୁ ଖୁବ୍ ବୁଝୁଥିଲୁ ସେ କୋମଳ ଅନ୍ଧକାର ଭିତରେ।

କେତେ ସୁଂଦର ଥିଲା ସେ ଅନ୍ଧକାର ଯେଉଁଠି ନଥିଲା ଭୟ, ବିରକ୍ତି, ଅନୁଶୋଚନା, ସଂକୋଚ, ଲଜ୍ଜା, ପାପ ପୁଣ୍ୟର ବିଚାର ବିମର୍ଶ। ବରଂ ସେ ଅନ୍ଧକାର ଭିତରେ ମିଳାଇ ଯାଉଥିଲା ମୋ ପୂର୍ଵତନ ପ୍ରେମିକାମାନଙ୍କ ପ୍ରାଣଘାତୀ ପ୍ରତାରଣା ! ଠିକ୍ ତୁମେ ଟାଣୁଥିବା ସିଗାରେଟର ଧୂଆଁ ପରି। ମୁଁ ତିଳତିଳ କରି ଅନୁଭବ କରୁଥିଲି ଲିପ୍ସା, ବିଶାଖା, ପୂଜାର ଯୌବନଖଚିତ ଦେହ ସବୁକୁ ତୁମରି ଦେହ ମାଧ୍ୟମ ଦେଇ।

କିନ୍ତୁ ହଠାତ ତୁମେ ସେଇ ଅନ୍ଧକାର ଭିତରେ କେଉଁଠି ଦିନେ ମିଳାଇଗଲ ନିଲୁ, କେଉଁଠି ମିଳାଇଗଲା ଆମର ଏ ନିସର୍ତ୍ତ ଭଲ ପାଇବା। ହେଇ ଦେଖ, ଆଜି କେମିତି ଏ ଅନ୍ଧକାର ସବୁ କାନଡେରି ଅପେକ୍ଷା କରିଛନ୍ତି ଆମ ସହବାସ ବେଳର ଫିସଫାସ୍ ଅସ୍ପଷ୍ଟ ଅଶ୍ଳୀଳ ଶବ୍ଦ ସବୁକୁ ସାଉଁଟି ନେବାକୁ। ଆଜି ଏ ଅନ୍ଧକାର ମୋତେ ଅଥୟ କରେ, ମୋର ଏ ସାରା ଦେହ ଖୋଜିବୁଲେ ସେ ଅନ୍ଧାରରେ ତୁମ ଦେହର ସେ ନିବିଡ଼ ସ୍ପର୍ଶକୁ। କିନ୍ତୁ କେଜାଣି ତୁମେ ଏବେ କେଉଁ ଇଲାକାରେ…

ନୀଲେଶର ଅଭିବ୍ୟକ୍ତି

କମ୍ଳେଶ!

ମୁଁ ଜାଣେ, ଯେଉଁ ଅନ୍ଧକାର ତୁମ ପାଇଁ ଦିନେ ଏକାନ୍ତ ଅପରିହାର୍ଯ୍ୟ ଥିଲା, ସେ ଅନ୍ଧକାର ଏବେ ତୁମ ପାଇଁ ଅସହ୍ୟ ହୋଇ ପଡିଥିବ ନିଶ୍ଚୟ। କିନ୍ତୁ ତୁମେ କେବେ ଭାବିଛ କମ୍ଳେଶ, ତୁମ ସହ ବିତିଥିବା ସେ ଅନ୍ଧକାରସବୁ ମୋ ପାଇଁ କେତେ ଅସହ୍ୟ ଥିଲା ! ମୁଁ ମାନୁଛି ତୁମ ସହ କାମନାର ଖେଳରେ ମାତି ଉଠିବାବେଳେ ତୁମଠୁଁ ଦେହ ସୁଖ ଆଦାୟ କରିଛି! କିଂତୁ କେବେ ଶାନ୍ତ ମନ ନେଇ ଫେରି ଆସିପାରେନା ତୁମ କକ୍ଷରୁ। ନାରୀଟିଏ ପରି ମୋ ମନଟା ଵି କୁହୁଳୁଥାଏ ତୁମର ସେ ଲଙ୍ଗଳା ଦେହଟାକୁ ଥରୁଟିଏ ଦେଖିବାକୁ, ଯେଉଁ ଦେହଟା ସେ ଅଂଧାର ଭିତରେ ମୋତେ ବିଦୀର୍ଣ୍ଣ କରେ, ମୋତେ ନେଇ କାମନାର ସେ ଉତ୍ତୁଙ୍ଗ ଶିଖରରେ ପହଞ୍ଚ।ଏ। କିନ୍ତୁ ଅନେକ ଦିନ ଯାଏ ବୁଝିପାରି ନଥିଲି କାହିଁକି ସେ ସୁଯୋଗ ତୁମେ ମୋତେ ଦିଅନା ! କାହିଁକି ତୁମେ ବିନା ଅନ୍ଧାରରେ ମୋ ଦେହର ନିକଟବର୍ତ୍ତୀ ଵି ହୁଅନା। ଅନ୍ଧାର ଭିତରେ ତୁମେ ଓ ମୁଁ ପରସ୍ପରର ସାର୍ଟର ବୋତାମକୁ ଖୋଲୁ, ପରେପରେ ସମ୍ପୂର୍ଣ୍ଣ ଉଲଗ୍ନ ହେଉ, ଅଥଚ କେବେ ଦେଖିପାରୁନା ସେ ଉଲଗ୍ନ ଦେହକୁ ଯାହାର ମାଧ୍ୟମ ଦେଇ ଆମେ ଆମ ଭିତରର ସେ ଅଶାଂତ ଝଡ଼କୁ ଶାନ୍ତ କରିବସୁ।

ତୁମ ଦେହର ପ୍ରତିଟି ଅଧ୍ୟାୟକୁ ତ ମୁଁ କେବେ ଠୁଁ ବୁଝି ସାରିଥିଲି, କିନ୍ତୁ ତୁମ ମନର ଏକାନ୍ତ ଆଦିମ ଅଧ୍ୟାୟକୁ ସେଦିନ ହିଁ କେବଳ ବୁଝି ପାରିଥିଲି- ଯେଉଁଦିନ ତୁମ କକ୍ଷରେ ଜଳୁଥିବା ନୀଳଵତୀକୁ ଲିଭାଇବା ପୂର୍ବରୁ ମୁଁ ମୋ ସାର୍ଟ ଖୋଲୁଖୋଲୁ ତୁମେ ମୋତେ ବାଧା ଦେଇଥିଲ! ଆଉ ବତୀ ଲିଭାଇ ମୋତେ ଭିଡି ନେଇ ମୋ ସାର୍ଟର ବୋତାମ ସବୁକୁ ଖୋଲିଦେବା ବେଳେ କହିଥିଲ- ଅନ୍ଧାର ବିନା ତୁମ ଦେହକୁ ଉପଭୋଗ କରିବା ମୋ ପକ୍ଷେ ଖୁବ୍ ମୁସ୍କିଲ ନିଲୁ। ଏ ଅନ୍ଧାର ଭିତରେ ହିଁ ମୁଁ ତୁମ ଦେହ ଭିତରୁ ଖୋଜିପାରେ ସେ ସମର୍ପିତ ନାରୀତ୍ୱକୁ ଯାହା ମୋ ପୋୖରୁଷର ଅରଣ୍ୟକ୍ଷନୀରେ ଲଗାଇଦିଏ ନିଆଁ ! ଆଉ ମୁଁ ଅନୁଭବ କରେ ସେ ନିଆଁରେ କେମିତି ଜଳି ପୋଡି ଛାରଖାର୍ ହୋଇଯାଉଛି ଲିପ୍ଶା, ବିଶାଖା,ପୂଜା ଆଦିଙ୍କ ଦେହ।

ବାସ୍ ସେଦିନର ସେ ଅନ୍ଧକାର ଅପସରି ଗଲା ପରେ ମୁଁ ବେଶ୍ କରି ଦେଖି ପାରିଥିଲି ତୁମ ମନର ସେ ଅନ୍ଧାରୀ ଇଲାକାକୁ, ଯେଉଁଠି ଆଜି ଵି ତାରା ପରି ଝଟକୁଛନ୍ତି ତୁମ ପୂର୍ବତନ ପ୍ରେମିକାମାନେ ଆଉ ଯେଉଁଠି ମୋର ଭୂମିକା ଏକ ଆକାଶ ମାତ୍ର, ଯିଏ ତା ଦେହରେ ଧରି ରଖିଛି ସେ ତାରାମାନଙ୍କୁ। ବୁଝିପାରିଥିଲି ତୁମେ ମୋତେ କେବେ ଭଲ ପାଇ ପାରନା, ବରଂ ଲୋଡ଼ ଖାଲି ତୁମ କାମନାର ଅଭିଷ୍ଟ ସାଧନ ପାଇଁ।

ତୁମେ ଭଲପାଅନା ମୋ ଦେହକୁ, ମନକୁ, ମୋର ଏ ଅସ୍ତିତ୍ଵକୁ । ତୁମେ ଖାଲି ଅନ୍ଧାର ରାତିରେ ଲୋଡ଼ ମୋର ଏ ଦେହଟାକୁ । ହଁ ଆମ ଭଲ ପାଇବା ନିସର୍ତ୍ତ ଥିଲା କିନ୍ତୁ ଭଲ ପାଇବାରେ ଯଦି କାହାର ଅସ୍ତିତ୍ଵ କ୍ଷୁଣ୍ଣ ହୁଏ, ତେବେ ସେ ଭଲପାଇବା ନିରର୍ଥକ ନୁହେ କି? ଅନ୍ଧାର ରାତିର ସେ ସାମୟିକ ପ୍ରେମ ପାଇଁ ମୋ କ୍ଷୟୀଭୂତ ଅସ୍ତିତ୍ଵର ନିରୀହ ସ୍ୱରକୁ ସବୁଦିନ ପାଇଁ ଚାପି ଦେଇ ମୁଁ କଣ କେବେ ଶାନ୍ତିରେ ନିଃଶ୍ୱାସ ଟିକିଏ ନେଇ ପାରିଥାନ୍ତି କି ଏ ଜୀବନରେ?

ଆଜି ଏ ଅନ୍ଧାର ରାତି ତୁମ ପାଇଁ ଅସହ୍ୟ ହୋଇପାରେ, କିନ୍ତୁ ମୋ ପାଇଁ ଯଦିଓ ଏ ରାତି ଉତ୍ତେଜନାହୀନ, ତଥାପି ଖୁବ୍ ଶାନ୍ତ! ଯେଉଁଠି ମୋ ଅସ୍ତିତ୍ଵ ଆଉ ଟୁକଡା ଟୁକୁଡା ହୋଇ ଭାଙ୍ଗିବାର ଭୟ ଟିକକ ନାହିଁ।

………………………..
ଗବେଷଣାରତ ଛାତ୍ର,
କୃଷିମହାବିଦ୍ୟାଳୟ, ଓୟୁଏଟି, ଭୁବନେଶ୍ୱର
ଦୂରଭାଷ-୯୭୭୮୯୭୨୩୯୩

Comments are closed.