Latest Odisha News

BREAKING NEWS

ଜାଣନ୍ତୁ, ଏହି ବିରଳ ବ୍ୟକ୍ତିତ୍ୱଙ୍କୁ: ଯିଏ ପେନସନ ପଇସାରେ ବାନ୍ଧିଲେ ସେତୁ…

ଆନନ୍ଦପୁର : ବର୍ତ୍ତମାନର ବ୍ୟସ୍ତ ବହୁଳ ସମୟରେ ମଣିଷ କେବଳ ନିଜ ବିଷୟରେ ଚିନ୍ତା କରୁଥିବାବେଳେ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯିଏ ନିସ୍ୱାର୍ଥପର ଭାବରେ ସମାଜସେବା କରିବାରେ ଲାଗିପଡିଥାନ୍ତି ।

ଏପରି ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗଙ୍ଗାଧର ରାଉତ । ଯିଏ ନିଜ ଉଦ୍ୟମ ବଳରେ ସାଳନ୍ଦୀ ନଦୀରେ ନିର୍ମିତ ଅଧପନ୍ତରିଆ ପୋଲକୁ ସମ୍ପୂର୍ଣ୍ଣ ନିର୍ମାଣ କରିପାରିଛନ୍ତି । ନା ସେ ପେଶାରେ ଜଣେ ନେତା କିମ୍ବା ମନ୍ତ୍ରୀ ଅଟନ୍ତି । ନାହିଁ ସେ ସରକାରଙ୍କ ପାଖରେ ହାତ ପତାଇଛନ୍ତି କିମ୍ବା ପ୍ରଶାସନର ସହାୟତା ଲୋଡିଛନ୍ତି ।

କାହାର ସହଯୋଗ ବିନା କେବଳ ନିଜର ପେନସନ ଟଙ୍କା ବିନିଯୋଗ କରି ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ ଅନ୍ତର୍ଗତ କାନପୁର ଗ୍ରାମର ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଗଙ୍ଗାଧର ରାଉତ ।

ନିଜ କର୍ମମୟ ଜୀବନରୁ ଅବସର ନେବା ପରେ ଗଙ୍ଗାଧର ନିଜ ପୈତୃକ ଗ୍ରାମ ଲାଗି କିଛି କରିବା ପାଇଁ ଅଣ୍ଟା ଭିଡିଥିଲେ । ସାଳନ୍ଦୀ ନଦୀର ଆରପଟେ ଏହି ଗ୍ରାମବାସୀଙ୍କ ଚାଷ ଜମି ରହିଥିବାବେଳେ ସେମାନେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ନଦୀପାର ହୋଇ ଜମିକୁ ଚାଷ କାରିବା ପାଇଁ ଯାଇଥାନ୍ତି । ନିଜ ଗ୍ରାମବାସୀଙ୍କ ଏଭଳି ଅବସ୍ଥା ଦେଖି ଗଙ୍ଗାଧର ସାଳନ୍ଦୀ ନଦୀ ଉପରେ ଏକ କଂକ୍ରିଟ୍ ପୋଲ୍ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ଏହି ସମସ୍ୟାର ସମାଧାନ ଲାଗି ୩ ବର୍ଷ ପୂର୍ବେ କେନ୍ଦୁଝର ଟ୍ରକ ମାଲିକ ସଂଘ ଏବଂ ହାଟଡିହି ବ୍ଲକ କାର୍ଯ୍ୟାଳୟର ସଦସ୍ୟମାନେ ୩ ଲକ୍ଷ ଟଙ୍କାର ଆର୍ଥୀକ ଅନୁଦାନରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା ।

ପରବର୍ତ୍ତୀ ସମୟରେ ଅର୍ଥାଭାବରୁ ପୋଲର ୧୨ଟି ସ୍ପାନ ମଧ୍ୟରୁ ମାତ୍ର ୩ଟି ସ୍ପାନ ତିଆରି ହେବା ପରେ ଏହା ଅଧପନ୍ତରିଆ ଭାବେ ପଡି ରହିଥିଲା । ପୋଲକୁ ସମ୍ପୂର୍ଣ୍ଣ କରିବା ଦିଗରେ କେହି ଉତ୍ସାହ ଦେଖାଉନଥିବାବେଳେ ଶେଷରେ ଗଙ୍ଗାଧର ନିଜର ପେନସନ୍ ଟଙ୍କାକୁ ବିନିଯୋଗ କରି ଅଧାଗଢ଼ା ପୋଲକୁ ସମ୍ପୂର୍ଣ୍ଣ କରିବାରେ ଲାଗିପଡିଥିଲେ ।

ଗଙ୍ଗାଧର ନିଜର ଭବିଷ୍ୟତ ବିଷୟରେ ଚିନ୍ତା ନକରି ଅବସର ପରେ ପାଇଥିବା ପ୍ରାୟ ୮ ଲକ୍ଷ ଟଙ୍କାକୁ ନିସ୍ୱାର୍ଥପର ଭାବେ ପୋଲ ନିର୍ମାଣରେ ବିନିଯୋଗ କରିଥିଲେ । ଏଭଳି ନିସ୍ୱାର୍ଥପର ମଣିଷଙ୍କ କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.