Latest Odisha News

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ହାଇଦ୍ରାବାଦ: ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳେ ଏକ ଦୁର୍ନୀତି ମାମଲାରେ ଗିରଫ କରିଛି। ୩୫୦ କୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସିଆଇଡି ନନ୍ଦୟଲାଲ ପୋଲିସ ସହାୟତାରେ ଗିରଫ କରି ନିଜ ହେପାଜତକୁ ନେଇଛି।

ପୂର୍ବରୁ ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲା। ଏହି ମାମଲାରେ ୨୦୨୧ରେ ଏଫଆଇଆର ରୁଜୁ ହୋଇଥିଲା। ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ୱାରେଣ୍ଟ କ୍ରାଇମବ୍ରାଞ୍ଚର ଧାରା ୫୦ (୧) (୨) ଅନୁଯାୟୀ ଜାରି କରାଯାଇଛି।

ଇଡି ଅନୁସନ୍ଧାନରେ ଏହି ଘୋଟାଲା ପ୍ରମାଣିତ ହୋଇଛି। ୨୪୧ କୋଟିର ପାଣ୍ଠି ସେଲ କମ୍ପାନୀଗୁଡିକୁ ପଠାଯାଇଥିଲା। ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇସାରିଛି।

ଆରକେ ଫଙ୍କସନ ହଲରେ ନାଇଡ଼ୁ ରାତିରେ ନିଜ ବସରେ ରହିଥିବାରୁ ଗିରଫ ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ନାଇଡୁଙ୍କୁ ଗିରଫ କରାଯିବା ପୂର୍ବରୁ ବହୁ ସଂଖ୍ୟାରେ ପୁଲିସ ସେଠାରେ ପହଞ୍ଚିଥିଲେ। ନାଇଡୁଙ୍କୁ ଗିରଫ କରିବାକୁ ଭୋର ତିନିଟାରୁ ପୋଲିସ ପହଁଚିଥିଲା କିନ୍ତୁ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ଏସପିଜି ପ୍ରୋଟୋକଲ ଅନୁଯାୟୀ ଭୋର ୫ଟା ୩୦ ପୂର୍ବରୁ ଗିରଫ କରାଯାଇପାରିବନି ବୋଲି କହିଥିବା  ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧଙ୍କ ଦ୍ୱାରା ସୂଚନା ମିଳିଛି। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି।

ଏ ସମ୍ପର୍କରେ ଖବର ପାଇ ଟିଡିପି ନେତା ଓ କର୍ମୀମାନେ ମଧ୍ୟ ସେଠାରେ ଭିଡ଼ ଜମାଇଥିଲେ। ତେଲୁଗୁ ଦେଶମ ପାର୍ଟି କ୍ୟାଡର ଓ ପୁଲିସ ମଧ୍ୟରେ ପ୍ରବଳ ପାଟିତୁଣ୍ଡ, ଠେଲାପେଲା ହୋଇଥିଲା। ବିନା କୌଣସି ପ୍ରାଥମିକ ପ୍ରମାଣରେ ତାଙ୍କୁ କିପରି ଗିରଫ କରାଯିବ ବୋଲି ନାଇଡୁ ପ୍ରଶ୍ନ କରିବାରୁ ପୁଲିସ ତାଙ୍କୁ ଜଣାଇଥିଲା ଯେ ସେମାନେ ହାଇକୋର୍ଟରେ ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରିଛନ୍ତି।

ଗିରଫ କରିବା ପୂର୍ବରୁ ପ୍ରମାଣ ଦାଖଲ କରିବା ପାଇଁ ନାଇଡୁଙ୍କ ଓକିଲମାନେ ପୁଲିସ ସହ ଯୁକ୍ତି ବାଢିଥିଲେ। ପୁଲିସ ତାଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସ୍ଥାନରେ ହେପାଜତକୁ ନିଆଯାଇଥିଲା ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପସ୍ଥିତ ରହିବାକୁ ଦିଆଯାଇନଥିଲା।

ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟଙ୍କ ଓକିଲମାନେ ଯୁକ୍ତି ବାଢିଥିଲେ ଯେ, ଏଫ୍ଆଇଆରରେ ନାଇଡୁଙ୍କ ନାମ ନଥିବା ବେଳେ ତାଙ୍କୁ କିପରି ଗିରଫ କରାଯାଉଛି।

ସୂଚନାଯୋଗ୍ଯ, ଗତକାଲି ଏକ ରାଲିକୁ ସମ୍ବୋଧନ କରିବା ବେଳେ ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ ରାଜ୍ୟ ସରକାର ତାଙ୍କୁ ଖୁବଶୀଘ୍ର ଗିରଫ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରି ଆନ୍ଧ୍ରପ୍ରଦେଶର ସାମାଜିକ କଲ୍ୟାଣ ମନ୍ତ୍ରୀ ମେରୁଗୁ ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

Comments are closed.