Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମଙ୍ଗଳ ଆଳତି ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ପୂଜା ନୀତି ଆଲୋଚନା ଭିତରେ ଆମେ ପ୍ରତ୍ୟୁଷର ଦ୍ଵିତୀୟ ପର୍ଯାୟ ନୀତି “ମଙ୍ଗଳ ଆଳତି ” ବିଷୟ ଚର୍ଚ୍ଚା କରୁଛେ। ଏହି ପର୍ଯ୍ଯାୟରେ ଆମେ ଜାଣିଲେ କେବଳ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ଦୁଇଟି ଆଳତି ହୋଇଥାଏ। ଯଥା:- କର୍ପୁର ଆଳତି ପ୍ରଥମେ ଓ ବତୀ ଆଳତି ଶେଷରେ। ତେବେ ଏହି ଆଳତି କରିବା ପୂର୍ବରୁ ପ୍ରଥମେ ଆଳତି କରାଯାଉଥିବା ଧାତୁ ପାତ୍ରକୁ ବା ଦାନୀକୁ ସଂସ୍କାରିତ କରିବା ଆବଶ୍ୟକ । ସେଥିପାଇଁ ମନ୍ତ୍ର ହେଉଛି “ବିକ୍ଷଣଂ ପ୍ରୋକ୍ଷଣଂ ଚୈବ ତାଡନଂ ଚାଵଗୁଣ୍ଠନମ, ଧେନୁ ମୁଦ୍ରୟାମୃତିକୃତ୍ୟ ମହାମୁଦ୍ରୟା ପରମିକରଣାନି ।” ଏହି ମନ୍ତ୍ରରେ ମନ୍ତ୍ରାୟିତ କରି ସେହି ଶୁଦ୍ଧ ଦାନୀରେ ପ୍ରଥମେ ଆଳତି କର୍ପୁର ରଖି ଅଗ୍ନି ସଂଯୋଗ କରିବ, ତତ୍ପରେ ଆଳତି ମନ୍ତ୍ର ପାଠ କରି ଆଳତି ଆରମ୍ଭ କରିବ।

“କର୍ପୁର ପୁରେଣ ମନୋହରେଣ ସୁବର୍ଣ୍ଣ ପାତ୍ରୋଦର ସଂସ୍ଥିତେନ
ପ୍ରଦୀପ ଭାସାସହସାଗତେନ ନୀରାଜନଂ ତେ ଭୁବି ଦର୍ଶୟାମି। ”

ଆଳତି କରିବା ସମୟରେ ଦେବ ବିଗ୍ରହଙ୍କ ପାଦରେ (ଶ୍ରୀପୟର ) ଚାରିଥର, ନାଭିରେ ଦୁଇ ଥର, ମୁଖରେ ଥରେ ଓ ସର୍ବାଙ୍ଗରେ ସପ୍ତବାର ଏହି ଆଳତିକୁ ପ୍ରଦର୍ଶନ କରାଇବ।ପୂଜକ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଏହି ଆଳତି କରିବେ। ଉଭୟ କର୍ପୁର ଆଳତି ଓ ବତୀ ଆଳତି ଏହି ବିଧି ଅନୁସରଣରେ ହେବା ଦରକାର। ଆଗରୁ ଜାଣିଛେ ପାଞ୍ଚୋଟି ବା ସାତୋଟି ବତୀ ଆଳତିରେ ବ୍ୟବହାର କରିବେ। ଆଗାମୀ ଅଧ୍ୟାୟରେ ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱତନ୍ତ୍ର ଆଳତି ମନ୍ତ୍ର କଥା ଆଲୋଚନା କରିବା। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

କ୍ଷଣ ଭଙ୍ଗୁର ଏ ଶରୀର
ସୁଦୃଢ ପର ଉପକାର।
ସାଧୁ ଜନଙ୍କ ମତ ଏହି
ଯେ ପର ଦୁଃଖେ ଦୁଃଖ ସହି।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.