ବିଶାଖାପାଟନମ୍: ଆଜି ବିଶାଖାପାଟନମ୍ ପୋଲିସ ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ଶହ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଗତ ଦେଢ ବର୍ଷ ଭିତରେ ରାଜ୍ୟର ୪ଟି ଜିଲ୍ଲାରୁ ୨ ଲକ୍ଷ କେଜି ଗଞ୍ଜେଇ ପୋଲିସ ଜବତ କରିଥିଲା । ଏନେଇ ୪ଟି ଜିଲ୍ଲାର ବିଭିନ୍ନ ଥାନାରେ ୧୨ଶହରୁ ଅଧିକ ମାମଲା ରୁଜୁ ହୋଇଥିଲା । ସେଥିରୁ କେବଳ ବିଶାଖାପାଟନମ୍ ଜିଲ୍ଲାରୁ ୧.୫ ଲକ୍ଷ କିଲୋ ଗଞ୍ଜେଇ ଜବତ ହୋଇଥିଲା । ଶ୍ରୀକାକୁଲମ, ବିଜୟନଗରମ ଓ ପୂର୍ବ ଗୋଦାବରୀ ଜିଲ୍ଲାରୁ ୫୦ ହଜାର କିଲୋ ଗଞ୍ଜେଇ ଜବତ କରାଯାଇଥିଲା ।
ଯାହାକୁ ଆଜି ବିଶାଖାପାଟନମ୍ ଜିଲ୍ଲାର ଆନାକାପଲ୍ଲୀ ନିକଟ କୋଡୁରୁ ଗାଁ ନିକଟରେ ପୋଲିସ ନିଆଁ ଲଗାଇ ପୋଡ଼ି ଦେଇଥିଲା । ଏହି ଗଞ୍ଜେଇକୁ ପୋଡିବା ପାଇଁ ଆନ୍ଧ୍ର ପ୍ରଦେଶର ଡିଜିପିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ବିଶାଖାପାଟନମ୍ ଜିଲ୍ଲାରୁ ଦେଶରେ ବିଭିନ୍ନ ରାଜ୍ୟକୁ ବହୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁଇନ୍ଦା ବିଭାଗ ଆନ୍ଧ୍ରପ୍ରଦେଶ ପୋଲିସକୁ ଖବର ଦେଇଥିଲା । ପରେ ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ଆନ୍ଧ୍ରପ୍ରଦେଶ ଏକ ‘ପରିବର୍ତ୍ତନ’ ନାମକ କାର୍ଯ୍ୟକ୍ରମ କରୁଛି । ଯେଉଁଥିରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଲୋକମାନଙ୍କୁ ଗଞ୍ଜେଇ ଚାଷ ନକରିବା ପାଇଁ ସଚେତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ବିଶାଖାପାଟନମ ଜିଲ୍ଲାରେ ୭୫୦୦ ଏକର ଜାଗାରୁ ଗଞ୍ଜେଇ ନଷ୍ଟ କରାଯାଥିବା ଆନ୍ଧ୍ରପ୍ରଦେଶର ଡିଜିପି ସୂଚନା ଦେଇଛନ୍ତି ।
Comments are closed.