ଗଜପତି: ନିଜ ହରକତରୁ ବାଦ ଆସୁନି ଆନ୍ଧ୍ର । ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ଗଜପତି ଜିଲ୍ଲା ରାୟଡ ବ୍ଲକ ଗଙ୍ଗାବାଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପକ୍କା ଘର, ଭତ୍ତା, ପିଲାଙ୍କ ଶିକ୍ଷା ପାଇଁ ଟଙ୍କା, ହଷ୍ଟେଲ ବ୍ୟବସ୍ଥା, ବସ ସେବା ଭଳି ଅନେକ ପ୍ରଲୋଭନ ଦେଖାଇ ନିଜ ରାଜ୍ୟରେ ମିଶାଇବାକୁ ଚକ୍ରାନ୍ତ ଚଲାଇଛନ୍ତି ଆନ୍ଧ୍ର ଆନ୍ଧ୍ର ଅଧିକାରୀ ।
ଗଙ୍ଗାବାଡ ପଞ୍ଚାୟତରେ ଗରୀବ ଆଦିବାସୀ ବସବାସ କରି ଆସୁଛନ୍ତି । ଏମାନେ ଚାଷବାସ କରି କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପୋଷଣ କରିଥାନ୍ତି । ସେମାନଙ୍କ କିଛି ଜମି ଜେଜେବାପା ଅମଳରୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଅଧିନରେ ରହିଛି । ଯେଉଁଥିପାଇଁ ଗାଁର କିଛି ଲୋକ ଆନ୍ଧ୍ରର ଷଡ଼ଯନ୍ତ୍ରରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି । ଆଉ କିଛି ଓଡ଼ିଶା ସପକ୍ଷରେ ବାହାରି ଏହାର ପ୍ରତିବାଦ କରୁଛନ୍ତି ।
ସପ୍ତାହକୁ ଦୁଇ ଥର ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଗାଁକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରି ଗାଁରେ ରହୁଥିବା ଲୋକଙ୍କୁ ପିଲାଙ୍କ ପାଠପଢା ପାଇଁ ୧୫ ହଜାର ଟଙ୍କା, ଭିନ୍ନକ୍ଷମ ଭତ୍ତା ୪ ହଜାର ଟଙ୍କା, ବର୍ଷକୁ ରୋଷେଇ ପାଇଁ ୩ଟି ମାଗଣା ଗ୍ୟାସ, ଚାଷୀଙ୍କ ପାଇଁ ଟଙ୍କା, ମାଗଣା ବସ୍ ସେବା ଯୋଗାଇଦେବା ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆନ୍ଧ୍ର ଏକ ସୁଚିପତ୍ର ତିଆରି କରି ଘର ଘର ବୁଲି ବାଣ୍ଟୁଥିବା ଦେଖିବାକୁ ମିଳିଛି ।
ଏପଟେ ସ୍ଥାନୀୟ ଲୋକଙ୍କ କହିବା ହେଲା ଗଜପତି ଜିଲ୍ଲାପ୍ରଶାସନ ମାଣିକପାଟଣା ଗାଁକୁ ଅବହେଳା କରୁଛନ୍ତି । ଯେଉଁଥିପାଇଁ ଆନ୍ଧ୍ର ବାରମ୍ବାର ଓଡିଶାରେ ପ୍ରବେଶ କରି ଲୋକଙ୍କୁ ନିଜ ଆଡ଼େ ନେବାକୁ ଚେଷ୍ଟା କରୁଛି ।
ସେପଟେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ଗାଁରେ ସର୍ଭେ ହେଉଥିବା ଖବର ପାଇବାପରେ ତତ୍ପରତା ଦେଖାଇଛି ଗଜପତି ଜିଲ୍ଲା ପ୍ରଶାସନ । ଆଜି ଉପଜିଲ୍ଲାପାଳ ଓ ତହସିଲଦାର ସଂପୃକ୍ତ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ଏନେଇ ଉପଜିଲ୍ଲାପାଳ କହିଛନ୍ତି ଯେ, ଗଙ୍ଗାବାଡ ହେଉଛି ଓଡ଼ିଶାର । ଏଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ତେଣୁ ପଡୋଶୀ ରାଜ୍ୟର ଅଧିକାରୀଙ୍କ ବେଆଇନ କାର୍ଯ୍ୟ ସଂପର୍କରେ ସରକାରଙ୍କୁ ଜଣାଯିବ । ଏବେ ଠାରୁ ଯଦି ପୁଣି ଆନ୍ଧ୍ରର ଏଭଳି କାର୍ଯ୍ୟ ଜାରି ରୁହେ ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।
Comments are closed.