ନୂଆଦିଲ୍ଲୀ: ଏବେ ନିର୍ବାଚନ ମାହୋଲ ଗରମ ରହିଥିବା ବେଳେ ରାଜ୍ୟ ତଥା ଦେଶରେ ଚାଲିଛି ଦଳ ଡିଆଁ ରାଜନୀତି । ବିରୋଧୀ ଶାସକ ଦଳକୁ, ଶାସକ ଦଳ ବିରୋଧୀ ଦଳକୁ । କେଉଁଠାରୁ ନେତା ହାତ ଛାଡୁଛନ୍ତି ତ ଆଉ କେଉଁଠି ଯାଇ ହାତ ମିଶାଉଛନ୍ତି । ଯାହାର ପ୍ରଭାବରେ ଏବେ ଦିଲ୍ଲୀ ରାଜନୀତିରେ ବଡ ହଲଚଲ୍ ଦେଖିବାକୁ ମିଳିଛି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଦିଲ୍ଲୀ ସରକାରୀ ଦଳରେ ଅସ୍ଥିରତା ଦେଖିବାକୁ ମିଳିଛି । ଗୋଟେ ପଟେ ପର୍ଯ୍ୟଟନ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ କେଜ୍ରିଓ୍ବାଲଙ୍କ ଉପରେ ଆରୋପ ଲଗାଇ ଦଳରୁ ଇସ୍ତଫା ଦେଇଛନ୍ତି ତ ଅନ୍ୟପଟେ ବିଜେପିର ୨ ଥରର ବିଧାୟକ ଅନିଲ୍ ଝା ଆପ ପରିବାରରେ ଯୋଗ ଦେଇଛନ୍ତି । ଯାହା ଏବେ ଦିଲ୍ଲୀ ରାଜନୀତିର ମାହୋଲକୁ ଆହୁରି ରୋଚକ କରିଛି ।
ତେବେ ସକାଳୁ ଆପ ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଆପ ଛାଡିବା ପରେ ପରେ ବିଜେପି ନେତା ତଥା କିରାଡିରୁ ଦୁଇଥର ବିଧାୟକ ହୋଇଥିବା ଅନିଲ ଝା ଆପରେ ଯୋଗ ଦେଇଛନ୍ତି । ଆପରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଅନିଲ୍ କହିଛନ୍ତି, ପୂର୍ବାଞ୍ଚଳ ପାଇଁ ଯଦି କେହି ବ୍ୟକ୍ତି କାମ କରିଛନ୍ତି, ସେ ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲା । ୧୦ ବର୍ଷ ଭିତରେ ଅରବିନ୍ଦ କେଜ୍ରିଓ୍ବାଲ ପିଇବା ପାଣି ଘରେ ଘରେ ପହଞ୍ଚାଇଛନ୍ତି । ତେବେ କହିରଖୁଛୁ, ବିଜେପି ଟିକେଟରୁ ୨୦୦୮ ଏବଂ ୨୦୧୩ରେ ବିଧାୟକ ହୋଇଥିଲେ ଅନିଲ୍ ।
ସେପଟେ କେଜ୍ରିଓ୍ବାଲା ଅନିଲ ଝାଙ୍କୁ ଦଳରେ ସ୍ବାଗତ କରି ପୂର୍ବାଞ୍ଚଳର ପ୍ରଭାବଶାଳୀ ନେତା କହିବା ସହିତ ବିଜେପିକୁ କଡା ନିଶାନା ସାଧିଛନ୍ତି । ଏନେଇ କେଜ୍ରିଓ୍ବାଲ କହିଛନ୍ତି, ଗତ ବର୍ଷମାନଙ୍କରେ ଆପ ଦିଲ୍ଲୀର ପ୍ରତ୍ୟେକ ଗଳିର ଉନ୍ନତି କରିଛି । ମୁଁ ଖୁସି ଯେ ପୂର୍ବାଞ୍ଚଳର ଜଣେ ମୁଖ୍ୟ ନେତା ଆପରେ ଯୋଗ ଦେଲେ । ଏଥିସହିତ ବିଜେପିକୁ ପ୍ରଶ୍ନ କରି କେଜ୍ରିଓ୍ବାଲ । ପୂର୍ବାଞ୍ଚଳ ପାଇଁ କ’ଣ କରିଛି ବିଜେପି? କାହିଁକି ସେଠିକା ବାସିନ୍ଦା ବିଜେପିକୁ ଭୋଟ ଦେବେ, ତାହା ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ୍ ଶାହା କୁହନ୍ତୁ ।
ଅନ୍ୟପଟରେ ଅନିଲ ଆପରେ ଯୋଗ ଦେବାକୁ ନେଇ ଚାଞ୍ଚଲ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ଆପରେ ମିଶୁଥିବା ନେତା ବିଜେପି ସହ ସଂପର୍କରେ ରହିଛନ୍ତି ବୋଲି ଦାବି କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ରା ସଚଦେବା । ଏନେଇ କେଜ୍ରିଓ୍ବାଲଙ୍କୁ ସଚେତନ କରାଇ ଦେବେନ୍ଦ୍ରା କହିଛନ୍ତି, ମୁଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କହିବାକୁ ଚାହୁଁଛି, ଯେଉଁ ନେତା ଆପରେ ମିଶୁଛନ୍ତି, ସେମାନେ ଏବେ ବି ବିଜେପି ସଂପର୍କରେ ଅଛନ୍ତି ।