Latest Odisha News

BREAKING NEWS

ଆଞ୍ଜୁଳା

ଆଞ୍ଜୁଳା

ସୁଦର୍ଶନ ଦାସ

ମୋ ଆଞ୍ଜୁଳା ପୂରିବା ଯାଏ
ଅପେକ୍ଷା କରେ
ପରସ୍ତ ପରସ୍ତ ଛାଇଙ୍କ ପିଠିରେ
ଭରା ଦେଇ ।

ସମୟକୁ ଗୋଟାଏ ମୁଁ
ଶାଳପତ୍ର ଗୋଟାଉଥିବା ଆଦିବାସୀ ଝିଅ ପରି ।

ଦୃଷ୍ଟିରେ ଅନେକ ଦିଗନ୍ତ ଶୋଷିହେଲା ପରେ
ଆଞ୍ଜୁଳା ଉପରେ ନଜର
ହାଡ଼, ମାଂସ, ସ୍ୱେଦ ଓ ରକ୍ତର
ପୁଣି ନଜର ଲହଲହ ଜିଭ ଅନ୍ଧାରର ।

ଆଞ୍ଜୁଳା କ’ଣ ଶୂନ୍ୟତାର ଢେଉ?
ଧୂଳିକଣା, କାଠି କୁଟା ଭର୍ତ୍ତି?
ମୃତ ଶାମୁକାଙ୍କ ପରି
ଆଞ୍ଜୁଳା କ’ଣ ସ୍ୱପ୍ନରେ ଭରପୂର?
କ’ଣ ଖରାଦିନ ଦ୍ୱିପହରରେ
ଚଢେ଼ଇଙ୍କ ଚାପା ସ୍ୱର?
ଫଗୁଣରେ ପୋଡ଼ା ବଉଳ?
ଅବା ମୃତ୍ୟୁର ବେଦୀ ମଣ୍ଡପ?

ସମସ୍ତେ ତ ଆଞ୍ଜୁଳା ପାତନ୍ତି
ଯେ ଯାହା ଢଙ୍ଗରେ –
କିଏ ଅନ୍ଧାରରେ ଝରାପତ୍ରର ସ୍ୱରରେ
କିଏ ଶିଶିର ଥୋପିକୁ ସାଗର ଭାବନାରେ ।

ପୁଣି କିଏ ଅଜାଣତରେ
ଆଞ୍ଜୁଳା ପାତନ୍ତି –
କୁଆଁକୁଆଁ ରାବ କରି ଅସ୍ପଷ୍ଟ ଭାଷାରେ
ପ୍ରଥମ ସକାଳର ଆରମ୍ଭରେ
ସ୍ୱପ୍ନ ଗଜୁରିଲା ବେଳେ
ଫୁଲ ଫୁଟାବେଳେ
ସ୍ନେହଙ୍କ ପିଠିରେ ଚଢ଼ି
ନୂଆନୂଆ ଆଲୋକ ଦେଖାରେ ।

ପୁଣି କିଏ ସମୟର ଦୋଛକି ରାସ୍ତାରେ
ଫଗୁଣ ଶେଷରେ ଓ
ନିଦାଘର ଆରମ୍ଭରେ ।
ଶ୍ରାବଣୀର ଗୀତରେ
ମରୁଭୂମିର ନୀରବତାରେ ।

ଏମିତି ଆଞ୍ଜୁଳା ପାତନ୍ତି
ପାତି ପାତି ଦିନ ସବୁ ପାକଳ
ପାଚି ଯାଏ ହାଡ଼, ମାଂସ, ରକ୍ତ ।

ଆଖିରେ ଝାପ୍ସା ଝାପ୍ସା ବୁଢ଼ିଆଣୀ ଜାଲ
ସ୍ୱପ୍ନ ସବୁ ସେଥିରେ ଛଟପଟ
ସ୍ମୃତିର ଡିହରେ ଲୁହ ଚରିଯାଏ
ପୋତିପଡେ଼ ଆକାଶ, ପୃଥିବୀ ସବୁକିଛି
ଆଞ୍ଜୁଳା ପୂରିଯାଏ
ଅନ୍ଧାରରେ ରାମ ନାମ ସତ୍ୟ ହେ
ହରି ନାମ ସତ୍ୟ ହେର ଧ୍ୱନି ପଡେ଼ ।

…………………..
Ratna Sagar
Mukherjee Nagar Commercial Complex
Delhi 9
Mob: 9717203123

Leave A Reply

Your email address will not be published.