Latest Odisha News

BREAKING NEWS

ରଥ ଉପରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନିରଥ ଉପରେ ପାରମ୍ପରିକ ରୀତି-ନୀତି ଅନୁଯାୟୀ ସମ୍ପନ୍ନ ହେଲା ଶ୍ରୀଜୀଉମାନଙ୍କ ଅଧରପଣା ନୀତି । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଉପରେ ତୁମ୍ବାକୃତି ମାଟିରେ ନିର୍ମିତ ପାତ୍ରରେ ପଣା ସମର୍ପଣ କରିଥିଲେ ସେବାୟତ । ଶ୍ରୀଜୀଉମାନଙ୍କୁ ସମର୍ପଣର କିଛି ସମୟପରେ ସେହିସବୁ ପଣା ହାଣ୍ଡିକୁ ରଥଉପରେ ଭାଙ୍ଗିଦିଆଯାଇଛି ।

ଏହି ଅଧରପଣାରେ ବିଭିନ୍ନ ସ୍ୱାଦିଷ୍ଟ ସାମଗ୍ରୀକୁ ମିଶ୍ରଣ କରି ତିଆରି ହୋଇଥାଏ । ଏଥିରେ କ୍ଷୀର, ନବାତ, ସାକର, ଛେନା, ଖଇ, କଦଳୀ ଆଦି ସ୍ୱାଦିଷ୍ଟ ଦ୍ରବ୍ୟକୁ ମିଶ୍ରଣ କରାଯାଇ ଠାକୁରମାନଙ୍କୁ ରଥ ଉପରେ ଲାଗି କରାଯାଇଥିଲା ।

ଉଶ୍ରୀମନ୍ଦିର ସମ୍ମୁଖସ୍ଥ କୂଅର ଜଳରେ ଏହି ପଣା ନିର୍ମିତ ହୋଇଥିଲା । ଏହି ଅଧରପଣାକୁ ଶ୍ରୀରାଧାବଲ୍ଲଭ ମଠ ପ୍ରସ୍ତୁତ କରିଥିଲେ । ତିନୋଟି ରଥରେ ତିନୋଟି ଲେଖାଏଁ ପଣା ହାଣ୍ଡି ଅର୍ପଣ କରାଯାଇଥିଲା ।

କଥିତ ଅଛି ଯେ, ରଥାରୁଢ ଠାକୁରମାନଙ୍କୁ ଏହି ଅଧରପଣା ଦେବା ପରେ ପଣା ହାଣ୍ଡି ଭାଙ୍ଗିବା ପରେ ତେତିଶି କୋଟି ଦେବାଦେବୀ ଏବଂ ଚଣ୍ଡି ଚାମୁଣ୍ଡାଙ୍କ ରହିଥାଏ । ପଣା ହାଣ୍ଡି ଭାଙ୍ଗିଲା ପରେ ସେଠାରେ ରହିଥିବା ସମସ୍ତ ଭୂତ, ପ୍ରେତ ତଥା ଅଶରୀରୀମାନେ ଏହି ପଡ଼ିଯାଇଥିବା ପଣାକୁ ସେବନ କରି ମୁକ୍ତି ଲାଭ କରିଥାଆନ୍ତି ।

ଏହି ଅଧରପଣା ନୀତିକୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୂତୟନ ହୋଇଥିଲେ ।

Leave A Reply

Your email address will not be published.