Latest Odisha News

BREAKING NEWS

ଆଜି ଅଁଳା ନବମୀ: ପୂଜାବିଧି ସହ ଜାଣନ୍ତୁ ଏହାର ଉତ୍ପତ୍ତି କାହାଣୀ

ଭୁବନେଶ୍ୱର: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଁଳା ଗଛର ପୂଜା କରାଯାଏ ।

ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି ।

ଆସନ୍ତୁ ଜାଣିବା ଏହାର ପୂଜା ବିଧି :

୧. ମହିଳାମାନେ ସ୍ନାନ କରି ଅଁଳା ଗଛ ତଳ ପରିଷ୍କାର କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରନ୍ତି । ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରନ୍ତି ।

୨. ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବା ସହ ଏହି ସୁତାକୁ ଗଛରେ ଗୁଡ଼େଇ ଦିଅନ୍ତି । କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି ।

୩. ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି ।

ଅଁଳାର ଉତ୍ପତ୍ତି କେଉଁଠୁ ହୋଇଥିଲା :

ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ । ସେ ନିଜ ତପସ୍ୟାରେ ମଗ୍ନ ଥିଲେ । ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା । ବ୍ରହ୍ମଙ୍କ ଲୁହାରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା ।

ଆସନ୍ତୁ ଜାଣିବା ଅଁଳା ନବମୀର ଉତ୍ପତ୍ତି :

କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ । ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ । ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ । କିନ୍ତୁ ବୈଶ୍ୟଙ୍କ ପତ୍ନୀ ଏହି ମୌକା ଖୋଜୁଥିଲେ

ଦିନେ ବୈଶ୍ୟଙ୍କ ପତ୍ନୀ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁରେ ବଳି ଦେଇଦେଲେ । ତେବେ ଏହି ହତ୍ୟାର ପରିଣାମ ଓଲଟା ହୋଇଥିଲା । ହତ୍ୟା ଯୋଗୁଁ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା । ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ । ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ ।

ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ । ତେବେ ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ । ଗଙ୍ଗା ମା ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ । ଗଙ୍ଗା ମାଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା । ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା । ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି ।

ଆସନ୍ତୁ ଜାଣିବା ଅଁଳା ଗଛର ମହତ୍ୱ :

ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ ବିଶେଷ ତିଥିରେ ବିଶେଷ ଭାବେ ପୂଜା କରିବାର ବିଧି ରହିଛି । ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ । ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି । ଅଁଳାରେ ଆଇରନ ଏବଂ ଭିଟାମିନ-ସି ଭରପୁର ରହିଛି । ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ । ପ୍ରତିଦିନ ଅଁଳା ରସ ପିଇଲେ ତ୍ୱଚାର ଚମକ ମଧ୍ୟ ବଢିଥାଏ । ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ ।

Leave A Reply

Your email address will not be published.