Latest Odisha News

BREAKING NEWS

Weather Update: ୧୦ରେ ଆଉ ଏକ ଘୂର୍ଣ୍ଣିବଳୟ, ୩ଦିନ ଏହିସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏ ଏହା ସକ୍ରିୟ ରହିବ। ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା। ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ।

ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରଭାବ। ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୩ ଜିଲ୍ଲା ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ମାସର ପ୍ରଥମ ୮ଦିନରେ ରାଜ୍ୟରେ ହାରାହାରି ୮୬.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସମ୍ପୂର୍ଣ୍ଣ ମାସର ସ୍ବାଭାବିକ ବର୍ଷା ୧୧୨ ମିମିର ୭୭%। ଏହି ସମୟ ମଧ୍ୟରେ ୧୨ ଜିଲାରେ ସ୍ବାଭାବିକଠାରୁ ଅଧିକ (୨୦%ରୁ ୫୯%), ୧୭ ଜିଲ୍ଲାରେ ଅତ୍ୟଧିକ (୬୦% କିମ୍ବା ଏହାଠାରୁ ଅଧିକ) ଏବଂ ଗଞ୍ଜାମରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ବୁଧବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହୋଇଛି। ଚାନ୍ଦବାଲିରେ ୧୩.୨ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୪୦.୯ ମିମି, ନୂଆପଡ଼ାରେ ୧୬ ମିମି, ନୟାଗଡ଼ ଓ ଭଦ୍ରକରେ ୫ ମିମି ଲେଖାଏ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ବଜ୍ରପାତ ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Comments are closed.