Latest Odisha News

ରାଜଧାନୀରେ କବାଟତଡା ଗ୍ୟାଙ୍ଗ ପ୍ରତି ସାବଧାନ! ଆପାର୍ଟମେଣ୍ଟ ପଶି କରୁଛନ୍ତି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ଅସୁରକ୍ଷିତ ରାଜଧାନୀବାସୀ। ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଚାଲିଛି ଲୁଟ୍‌ପାଟ୍। ଚନ୍ଦକା ଥାନା ଅଞ୍ଚଳର ଗୋଠପାଟଣା ସ୍ଥିତ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ଦୁଇ ଦୁଇଟି ଲୁଟ୍ ଘଟଣା ଫ୍ଲାଟ୍ ମାଲିକଙ୍କୁ ଭୟଭୀତ କରିଛି। ଦିନକ ତଳେ ଏହି ଆପାର୍ଟମେଣ୍ଟରୁ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ଘରୁ ଅଧାକିଲୋ ସୁନା ଅଳଙ୍କାର ଲୁଟ୍ ହୋଇଥିବା ବେଳେ ଆଜି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଘରର କବାଟ ତାଡି ଘର ଭିତରେ ପଶି ସବୁ କିଛି ସଫା କରି ଦେଉଛନ୍ତି ଲୁଟେରା। ଚୋରି କରିବା ପରେ ସବୁ କିଛି ଚାରିଆଡେ ଛିନଛତର କରି ଫୋପାଡି ଦେଉଛନ୍ତି। ଆଲମିରାରେ ଥିବା ଦାମୀ ସୁନା, ରୁପା, ଗହଣା ସହ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆସିଛି। ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଗାଁକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟେରା ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ଟଙ୍କା। ଘର ସାରା ଜିନିଷ ଏଣେତେଣେ ପକାଇ ଦେଇଛନ୍ତି। ସୁନାଗହଣା ଓ ଟଙ୍କା ଧରି ଫେରାର ହେବା ପୂର୍ବରୁ ଫ୍ରିଜରୁ ଫଳ ଓ ଥଣ୍ଡା ପାନୀୟ ପିଇବା ସହ ରୋଷେଇ ଘରୁ ଡ୍ରାଏଫ୍ରୁଟ୍ ଖାଇଛନ୍ତି ଲୁଟେରା।

ଖବର ପାଇ ଚନ୍ଦକା ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ତେବେ ଦୁଇ ଦୁଇଟି ଲୁଟପାଟ ଘଟଣା ସାମ୍ନାକୁ ଆସିବା ପରେ ନିଜ ସୁରକ୍ଷାକୁ ନେଇ ଆଶଙ୍କାରେ ଅଛନ୍ତି ଆପାର୍ଟମେଣ୍ଟବାସୀ। ସେହିପରି ରାଜଧାନୀର ରାସ୍ତାଘାଟରେ ବି ବୁଲୁଛନ୍ତି ଲୁଟେରା। ଆଜି ସକାଳେ କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ବାଇକ୍‌ରେ ଆସିଥିବା ୨ ଲୁଟେରା। ଏହି ଲୁଟ୍ ସମୟର ପୁରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତମାଣ୍ଡୋ ଥାନା ପୁଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଛି।

 

Comments are closed.