ଜୟପୁର: ଶିକ୍ଷା ନଗରୀ କୋଟାରେ କ୍ରମାଗତ ଭାବରେ ବଢୁଛି ଆତ୍ମହତ୍ୟା ମାମଲା । ବଢୁଥିବା ଆତ୍ମହତ୍ୟା ମାମଲାକୁ ରୋକିବା ପାଇଁ ପ୍ରଶାସନର ସମସ୍ତ ବ୍ୟବସ୍ଥା ଫେଲ୍ ମାରୁଛି । ଏହାରି ଭିତରେ କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ସେ JEE କ୍ଲିୟର କରିନପାରିବାରୁ ଏପରି ପଦକ୍ଷେପ ନେଇଛନ୍ତି । ମୃତ ଛାତ୍ରଙ୍କ ନାଁ ଅଭିଷେକ । ତେବେ ଛାତ୍ର ଜଣଙ୍କ ବିହାରର ଭାଗଲପୁରରୁ କୋଟାକୁ ଆସି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ।
ଅଭିଷେକ ନିଜ ପିଜିରେ ହିଁ ଆତ୍ମହତ୍ୟା କରିଛନ୍ତି । ତଦନ୍ତ ବେଳେ ପୋଲିସକୁ ଏକ ସୁଇସାଇଡ ନୋଟ୍ ମିଳିଛି । ଯେଉଁଥିରେ ସେ JEE କ୍ଲିୟର କରିନପାରିବାରୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ବୋଲି ଲେଖିଛନ୍ତି। ବର୍ତ୍ତମାନ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇଛି । ପରିବାରଲୋକଙ୍କ ଆଗମନ ପରେ ପୋଷ୍ଟ ମର୍ଟମ କରାଯିବ ବୋଲି କହିଛି ପୋଲିସ ।
ସୂଚନା ଅନୁସାରେ, ଛାତ୍ର ଜଣକ ବିହାର ଭାଗଲପୁରର ବାସିନ୍ଦା ଥିଲେ । ମୃତ ଛାତ୍ରଙ୍କ ବୟସ ୧୬ବର୍ଷ । ସେ ବିଜ୍ଞାନ ନଗରର ତିରୁପତି ହୋଟେଲ ନିକଟରେ ଥିବା ଏକ ପିଜି ହଷ୍ଟେଲରେ ରହି JEE ପାଇଁ ପ୍ରସ୍ତୁତ ହେଉଥିଲେ। ସେ ସେଠାକୁ ଗତ ୧୫ ଦିନ ପୂର୍ବରୁ ଆସିଥିଲେ, ଏହା ପୂର୍ବରୁ ସେ ଅନ୍ୟ ଏକ ପିଜିରେ ରହୁଥିଲେ । ଆଜି ଅଭିଷେକ ରୁମରୁ ବାହାରି ନଥିବା ବେଳେ ଏତେ ସମୟ ରୁମ କବାଟ ବନ୍ଦ ଥିବା ନେଇ ପିଜି ସଂଚାଳକ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା । ପୋଲିସ ପଛ ଦ୍ୱାର ଦେଇ ରୁମ ଭିତରକୁ ଗଲାପରେ ଅଭିଷେକଙ୍କ ମୃତଦେହ ଦେଖିବାକୁ ପାଇଥିଲା । ପୋଲିସ କହିବା ଅନୁସାରେ ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
Comments are closed.