ଓଡ଼ିଶା ସମ୍ବାଦ ବ୍ୟୁରୋ: ଏନଡିଏ ମେଣ୍ଟରୁ ଓହରିବା ପରେ ଫୁଲ ଜୋଶରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତିନି ଦିନିଆ ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, କର୍ଣ୍ଣାଟକର ଜେଡିଏସ ନେତା କୁମାରସ୍ୱାମୀଙ୍କ ଭଳି ନେତାଙ୍କୁ ଭେଟିଛନ୍ତି ନୀତୀଶ। ଏହାପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯାଉଛନ୍ତି ନୀତିଶ।
ତେଣୁ ଏହି କ୍ରମରେ ବିଜେଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ସଂସଦରେ ବିଜେଡିର ୨୦ ସାଂସଦ ରହିଛନ୍ତି। ତେଣୁ ଦିଲ୍ଲୀ ରାଜନୀତିରେ ନବୀନ ନିରବ ରହିଥିଲେ ମଧ୍ୟ ତାଙ୍କ ସମର୍ଥନ ଉଭୟ ଶାସକ ବିଜେପି ଏବଂ ବିରୋଧୀଙ୍କ ପାଇଁ ଲୋଡା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହୁଏ।
ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିହାର ଗସ୍ତରେ ଆସି ନୀତିଶ କୁମାରଙ୍କୁ ଭେଟିଥିଲେ। ଆଉ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ବୋଲି କହିଥିଲେ। ଏହାପୂର୍ବରୁ କେସିଆର ନିଜେ ମଧ୍ୟ ବିରୋଧୀଙ୍କୁ ଏକାଠି କରି ବିଜେପି ବିରୋଧରେ ଗୋଟିଏ ବଡ ମଞ୍ଚ ପ୍ରସ୍ତୁତ କରିବାକୁ ପ୍ରୟାସ କରି ସାରିଛନ୍ତି।
ଗତକାଲି ନୀତିଶ ହରିଆଣାର ଅନ୍ୟତମ ପ୍ରମୁଖ ନେତା ଚୌଟାଲାଙ୍କୁ ଭେଟିବା ବେଳେ ସେପ୍ଟେମ୍ବର ୨୫ରେ ହରିଆଣାରେ ବିରୋଧୀ ଦଳର ନେତା ଏକାଠି ହୋଇ ଏକ ବଡ଼ ସମାବେଶ କରିବା ନେଇ ଆଲୋଚନା ହୋଇଛି। ଯାହାକି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକାଠି ହେବାକୁ ଏକ ପ୍ରୟାସ ବୋଲି କୁହାଯାଉଛି। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ଜନ୍ମ ବାର୍ଷିକୀରେ ଏହି ଏକତା ରାଲି ଅନୁଷ୍ଠିତ ହେବାକୁ ଯାଉଛି।
ବିଜେଡି ଓଡିଶାରେ ବଡ଼ ଦଳ ଭାବେ ରହିଛି। ଏନଡିଏରୁ ଅକାଳୀ ଦଳ, ଜେଡିୟୁ, ଟିଡିପି ଆଦି ବାହାରି ଯାଇଛନ୍ତି। ଏପରି ସ୍ଥିତିରେ ଯଦିଓ ସଂସଦରେ ବିଜେପିର ଏକାକୀ ସାଂସଦ ସଂଖ୍ୟା ଅଧିକ ରହିଛି। ହେଲେ ସଂସଦରେ ବିଲ୍ ପାରିତ କରିବା ବେଳେ ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର କଂଗ୍ରେସର ସମର୍ଥନ ପାଇଛି । କିନ୍ତୁ ଏମାନେ ଏନଡିଏରେ ନାହାନ୍ତି।
କେନ୍ଦ୍ରରେ କଂଗ୍ରେସ ଦୁର୍ବଳ ରହିଥିବା ବେଳେ ୨୦୧୯ ପୂର୍ବରୁ ବିରୋଧୀ ମମତା ବାନାର୍ଜୀଙ୍କ ଆହ୍ୱାନକ୍ରମେ ଏକାଠି ହୋଇଥିଲେ ବିରୋଧୀ। କିନ୍ତୁ ଫଳାଫଳରେ ବିଜେପି ୨୦୧୪ ତୁଳନାରେ ୨୦୨୯ରେ ୨୧ଟି ସିଟ୍ ଅଧିକ ଜିତିଥିଲା। ଯାହା ବିରୋଧୀଙ୍କୁ ନିରାଶ କରିଥିଲା।
ଅନ୍ୟପଟେ ଦୁର୍ନୀତି ମୁକ୍ତ ଭାରତର ନାରା ଦେଉଥିବା ମୋଦୀ ସରକାରକୁ ନେଇ ଅଣ ବିଜେପି ଏବଂ ଅଣ କଂଗ୍ରେସ ଦଳ କେଉଁଠି ନାଁ କେଉଁଠି ଭୟଭୀତ ରହିଛନ୍ତି ବୋଲି କୁହାଯାଉଛି। ତେଣୁ ଖୋଲାଖୋଲି ଭାବେ ବିଜେପି ବା ମୋଦୀ ବିରୋଧୀ ମେଳିରେ ସାମିଲ ହେବାକୁ ଅନେକ ଦଳ ରାଜି ହେଉ ନାହାନ୍ତି।
ନିକଟରେ ଏନଡି଼ଟିଭିକୁ ପ୍ରତିକ୍ରିୟା ଦେଇ ଟିଏମସି ସାଂସଦ ଡାରେକ ଓବ୍ରାଏନ କହିଥିଲେ ନବୀନ ବିଜେପି ରୋଡ୍ ମ୍ୟାପକୁ ସଫଳ କରାଇବା ପଛର ଅନ୍ୟତମ ନେତା। ଲୋକସଭାରେ କୃଷି ବିଲ୍, ସିଏଏ, ଧାରା ୩୭୦ ଉଚ୍ଛେଦ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କେନ୍ଦ୍ର ସରକାରକୁ ସମର୍ଥନ କରିବା ପରେ ଡାରେକ ଏଭଳି ମତ ରଖିଥିଲେ। ଆଉ ବିରୋଧୀ କ୍ୟାମ୍ପରେ ନବୀନ ସାମିଲ ହେବେ ବୋଲି ତାଙ୍କ ଦଳ ବିଶ୍ୱାସ ରଖେନି ବୋଲି ସେ କହିଥିଲେ।
ତେବେ ରାଜନୀତିରେ ଉଭୟ ଏନଡିଏ ସହିତ ରହି ପରେ ଓହରିଥିବା ଦୁଇ ଦଳ ହେଉଛନ୍ତି ବିଜେଡି ଏବଂ ଜେଡିୟୁ । ଆଉ ନବୀନଙ୍କ ସହ ନୀତୀଶଙ୍କ ସମ୍ପର୍କ ମଧ୍ୟ ଭଲ। ଏପରି ସ୍ଥିତିରେ ନୀତୀଶ କୁମାର ଓଡିଶା ଆସିବା ଚର୍ଚ୍ଚା ହେଉଛି। ଆଉ ହରିଆଣାରେ ଆୟୋଜିତ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ଆମନ୍ତ୍ରଣ କରିପାରନ୍ତି। ନହେଲେ ବିଜେଡିର କୌଣସି ବଡ ନେତାଙ୍କୁ ସାମିଲ ହେବାକୁ ପ୍ରସ୍ତାବ ଦେଇପାରନ୍ତି।
କିନ୍ତୁ ରାଜନୀତିରେ ସମସ୍ତ ନେତା ନିଜକୁ କ୍ଷମତାରେ ରହିବାକୁ ପସନ୍ଦ କରନ୍ତି। ଏପରି ସ୍ଥିତିରେ ମମତା, କେଜ୍ରିଓ୍ୱାଲ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ପରୋକ୍ଷରେ ଦାବି କରି ଆସୁଛନ୍ତି। ଅନ୍ୟପଟେ ବିହାରର ଆରଜେଡି, ଜେଡିୟୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ବୋଲି ଦାବି କରୁଛି। ସେହିପରି କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କହୁଛି। କିନ୍ତୁ ଏହି ସବୁ ଦଳ ଏକାକୀ ସଂସଦରେ ସଂଖ୍ୟା ଗରିଷ୍ଠତା ଆଣିବାର କ୍ଷମତା ଏବେର ସ୍ଥିତିରେ ନାହଁ। ତେଣୁ ମାଳମାଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭିତରେ ଏକାଠି ହୋଇ ୨୦୨୪ ପାଇଁ ଏକାଠି ହେଉଥିବା ଦଳ ଭିତରେ ବିଜେଡି ପ୍ରବେଶ କରିବ ତ?
Comments are closed.