ଭୁବନେଶ୍ୱର: ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ। ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା। ଓଡ଼ିଶାର ମାଓ ମୁକାବିଲାକୁ କ୍ରିୟାଶୀଳ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନକ୍ସଲ ବିରୋଧୀ ଅଭିଯାନ ଏଡିଜି ଭାବେ ସଞ୍ଜୀବ ପଣ୍ଡା ମଙ୍ଗଳବାର ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୁଇଟି ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ମାଓ ବିରୋଧୀ ଅପରେସନ୍ର ରୂପରେଖ ପ୍ରସ୍ତୁତ କରିଛନ୍ତି।
ଓଡ଼ିଶା ପୋଲିସର ଦୁଇଟି ବିଭାଗ ଏସ୍ଓଜି ଓ ଏସଆଇଡବ୍ଲ୍ୟୁ ଭାରତବର୍ଷରେ ଖ୍ୟାତି ଅର୍ଜନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତବର୍ଷ ଗଠନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଓଡ଼ିଶାରୁ ମାଓବାଦୀଙ୍କୁ ମୂଳପୋଛ ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ନକ୍ସଲ ମୁକ୍ତ ଓଡ଼ିଶା ଟାର୍ଗେଟ ଲକ୍ଷରେ ଆଣ୍ଟି ନକ୍ସଲ ଅପରେସନ ଭାବେ ଏଡିଜି ସଞ୍ଜୀବ ପଣ୍ଡା ଦାୟିତ୍ବ ନେଇଛନ୍ତି। ଯୋଗଦେବା ପରେ ‘ନକ୍ସଲ ବିରୋଧୀ ଅଭିଯାନ’ ନେଇ ସଞ୍ଜୀବ ପଣ୍ଡା ବିଶେଷ ଭାବେ ଗୁରୁତ୍ବ ଦେଇଛନ୍ତି ।
ଗତକାଲି(ମଙ୍ଗଳବାର) ଦାୟିତ୍ବ ନେବା ପରେ ସଞ୍ଜୀବ ପଣ୍ଡା କହିଛନ୍ତି, ‘ଆମର ଯେଉଁ SOG ବାହିନୀ ରହିଛନ୍ତି ସେମାନେ ବର୍ଷାରେ ମଧ୍ୟ କେମିତି ଅପରେସନ କରାଯାଏ ସେଥିପାଇଁ ଟ୍ରେନିଂ ନେଇଛନ୍ତି। ସେଥିପାଇଁ ଆମର ମଧ୍ୟ ଆର୍ମ ଏବଂ ଆମୁନିସନ ତଥା ବନ୍ଧୁକ ଓ ଗୁଳିଗୋଳା ରହିଛି। ଆମର ସେମିତି ବିଶେଷ କିଛି ଅସୁବିଧା ହେବ ନାହିଁ। ଆମର ଅପରେସନ ବର୍ଷା ଦିନେ ମଧ୍ୟ ଜୋରସୋରରେ ରହିବ। କାରଣ ଏସଓଜି ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଅତ୍ୟାଧୁନିକ ବନ୍ଧୁକ ସହ ଗୁଳି ଗୋଳା ସବୁ ରହିଛି।’
ଅନୁରୂପ ଭାବେ ମାଓପ୍ରବଣ ଥିବା ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହି ୩ ରାଜ୍ୟ ପୋଲିସ ଓ ଓଡ଼ିଶା ପୋଲିସର ସୁରକ୍ଷାବାହିନୀ ମିଳିତଭାବେ ଅପରେସନ୍ ଜାରି ରଖିଛନ୍ତି। ଓଡ଼ିଶାର କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲାରେ ମାଓ ଗତିବିଧି ଅଧିକ ରହୁଥିବାରୁ ଏଠାରେ ଅପରେସନକୁ ଜୋରଦାର କରିବାକୁ ଗୁରୁତ୍ବ ଦିଆଯାଉଛି। ବିଶେଷକରି ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ ଓ ବରଗଡ଼ ଭଳି ଜିଲାରେ ଅନ୍ୟ ରାଜ୍ୟ ପୋଲିସ ସହ ମିଳିତ ଅପରେସନ୍ ଜାରି ରହିଛି ବୋଲି ସେ କହିଛନ୍ତି।
Comments are closed.