Latest Odisha News

ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ, ୧୦ ବର୍ଷ ଜେଲ୍ ସହ କୋଟିଏ ଜରିମାନା

ନୂଆଦିଲ୍ଲୀ: ଆସିଲା କଡା ନିୟମ । ଏବେ ପେପର୍ ଲିକ୍ କଲେ ମିଳିବନି ତ୍ରାହି। ୧୦ ବର୍ଷ ଜେଲ ସାଙ୍ଗକୁ ୧ କୋଟି ଜରିମାନା ଭରିବ ଅଭିଯୁକ୍ତ । ଶୁକ୍ରବାର ବିଳମ୍ବିତ ରାତିରେ କିଛି ଏମିତି କଡା ନିୟମ ଲାଗୁ କରିଛି ଶିକ୍ଷା ମନ୍ତ୍ରାଳୟ । କେନ୍ଦ୍ର ସରକାର ସର୍ବସାଧାରଣ ପରୀକ୍ଷା ଏବଂ ସାଧାରଣ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦୃଷ୍ଟିରେ ରଖି ଏଭଳି ଅନ୍ୟାୟ ଉପରେ ରୋକ୍ ଲଗାଇବାକୁ  ‘ସର୍ବସାଧାରଣ ପରୀକ୍ଷା ଅଧିନିୟମ(ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ)’  ଆଇନ, ୨୦୨୪ କୁ ଲାଗୁ କରିଛନ୍ତି । । NEET ଏବଂ UGC NET ପରୀକ୍ଷା ପରିଚାଳନାରେ ହୋଇଥିବା ବିଭ୍ରାଟ ଉପରେ ଏହି ପଦକ୍ଷେପ ନିଆଯାଇଛି |

ତେବେ ଚଳିତ ବର୍ଷ ଫେବୃଆରୀରେ ସଂସଦରେ ପବ୍ଲିକ ଏଗ୍ଜାମିନେସନ(ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ଅର୍ଥାତ୍ ସର୍ବସାଧାରଣ ପରୀକ୍ଷା ଅଧିନିୟମ( ଅନ୍ୟାୟ ଅର୍ଥର ନିରାକରଣ) ଆଇନ୍ ୨୦୨୪ ବିଲ୍ ପାରିତ ହୋଇଥିଲା । ହେଲେ ଏହା କାର୍ଯ୍ୟକାରୀ ହୋଇନଥିଲା । ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦେଖି ଏହି ଆଇନ କାର୍ଯ୍ୟକାରୀ କରିତବା ନେଇ ଏକ ବିଜ୍ଞପ୍ତି ଜୁନ୍ ୨୧ ତରିଖ ବିଳମ୍ବିତ ରାତିରେ ଜାରି କରିଛନ୍ତି । ଏହି ଆଇନ ଅନୁଯାୟୀ ପରୀକ୍ଷାରେ ବିଭ୍ରାଟ କିମ୍ବା ପ୍ରଶ୍ନପତ୍ର ସହ ଛେଡ୍ ଛାଡ କରିଥିବା ବ୍ୟକ୍ତିଟି ସର୍ବନିମ୍ନ ୩ ରୁ ୫ ବର୍ଷ ଜେଲ ଦଣ୍ଡ ଭୋଗିବା ସହ ଏଭଳି ଅପରାଧରେ ଜଡିତ ହୋଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୫ ରୁ ୧୦ ବର୍ଷ କାରାଦଣ୍ଡ ଏବଂ ସର୍ବନିମ୍ନ ଦଣ୍ଡ ଭୋଗିବାକୁ ପଡିବ। ଖାଲି ସେତିକି ନୁହେଁ  ଏହା ସହିତ ଦୋଷୀ ୧୦ ଲକ୍ଷରୁ ୧ କୋଟି ଟଙ୍କା  ପର୍ଯ୍ୟନ୍ତ ଜରିମାନା ଭରିବାର ମଧ୍ୟ ବ୍ୟବସ୍ଥା ରହିଛି ।

UPSC, SSC, ରେଲଓ୍ବେ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ। ଯାହା ଦ୍ବାରା ଏଥିରେ ଅନିୟମିତତାକୁ ରୋକି ହେବ । ଆହୁରି ମଧ୍ୟ ଏହି ଆଇନରେ ସ୍ପଷ୍ଟ ଭାବରେ ସୂଚାଇ ଦିଆଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍’, କୌଣସି ସାର୍ବଜନୀନ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା , କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଏକ ଦଣ୍ଡନୀୟ ଅପରାଧ।

ସୂଚନାଯୋଗ୍ୟ, NEET ଏବଂ UGC NET ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ସେପଟେ ଏହା ପରେ NTA CSIR-UGC-NET ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।  ଯାହା ପରୀକ୍ଷା ଜୁନ୍ ୨୫ରୁ ୨୭ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଥିଲା ।

Comments are closed.