Latest Odisha News

‘୪୭ ଡିଗ୍ରୀ ଖରାରେ ରୋଡ ଶୋ’ କରୁଛନ୍ତି, ସ୍ବାସ୍ଥ୍ୟାବସ୍ଥା ଖରାପ କହି ବେଲ୍ ମାଗୁଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅନୁରାଗ ଠାକୁର ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ବୃଦ୍ଧିକୁ ନେଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ପୁଣି ଥରେ ତାଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । ଅନୁରାଗ କହିଛନ୍ତି, କେଜ୍ରିଓ୍ବାଲ୍ ୪୭ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରୋଡ୍ ଶୋ’ କରୁଛନ୍ତି ହେଲେ ଜାମିନ ପାଇବା ପାଇଁ ଅସୁସ୍ଥ ଥିବା ପରି ଅଭିନୟ କରୁଛନ୍ତି ।

ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହିତ ଜୁନ୍ ୨ରେ ହାଜର ହେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

କେଜ୍ରିୱାଲଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ତାଙ୍କର ଓଜନ ହଠାତ୍ ହ୍ରାସ ହୋଇଯାଇଥିଲା ଏବଂ ତାଙ୍କର କିଟୋନ୍ ସ୍ତର ବହୁତ ଅଧିକ ଅଛି । ଯାହା କିଡନୀ, ହୃଦ ରୋଗ ଏପରିକି କର୍କଟ ରୋଗର ଏକ ସମ୍ଭାବ୍ୟ ସୂଚକ ଅଟେ । ଏହାକୁ ଦୃଷ୍ଟିରେ ରଖି ସେ ‘ପେଟ-ସିଟି ସ୍କାନ’ ସମେତ କିଛି ଡାକ୍ତରୀ ପରୀକ୍ଷା କରିବା ପାଇଁ ଅନ୍ତରୀଣ ଜାମିନକୁ ଆହୁରି ସାତ ଦିନ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍ ରେ ଥିଲେ କେଜ୍ରିଓ୍ବାଲ । ମେ ୧୦ ରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନ ପ୍ରଚାର ପାଇଁ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଅନୁମୋଦନ କରିଥିଲେ ଏବଂ ମତଦାନର ଶେଷ ପର୍ଯ୍ୟାୟର ଗୋଟିଏ ଦିନ ପରେ ଅର୍ଥାତ୍ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.