ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର ରାତି ଅଧରେ ଯେଉଁଭଳି ଭାବେ ରାତି ଅଧରେ ମିଳିଲା ତାହା ଏବେ ତଦନ୍ତ ପ୍ରକ୍ରିୟାକୁ ଆଉ ଟିକିଏ ଜଟିଳ କରି ଦେଇଛି। ଘଟଣାର କ୍ରମାନ୍ବୟକୁ ଯଦି ଦେଖାଯିବ ତାହାଲେ ଲାଗୁଛି ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନର ଏବେ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରୁଛି। ଯିଏ କି ଏବେ ଅଜ୍ଞାତ। କିନ୍ତୁ ଇଡିର ପଞ୍ଝା ପଡିବା ଆଶଙ୍କା କରି କେଉଁଠି ନା କେଉଁଠି ସେ ମଧ୍ୟ ଭୟଭୀତ।
ତେଣୁ ଏବେ ପ୍ରଶ୍ନ ଉଠୁଛି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ଗଲେ କୁଆଡେ। ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ଏହି ଯୁବତୀ ଜଣଙ୍କ ହଠାତ ଯେମିତି ଗାଏବ ହୋଇଯାଇଛନ୍ତି। ଯଦିଓ କମିଶନରେଟ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ବିଭିନ୍ନ ଦିଗରେ ପୋଲିସ ନରମ ମନୋଭାବ କେଉଁ କାରଣ ପାଇଁ କରୁଥିଲା ତାହା ଏବେ ପ୍ରଶ୍ନ ଘେରରେ। ହେଲେ ଇଡି ମାମଲାକୁ ନିଜ ହାତକୁ ନେବା ପରେ ଶ୍ରଦ୍ଧାଞ୍ଜଳିକୁ ନୋଟିସ୍ କରିଛି। ଏହାପରେ ବି ଶ୍ରଦ୍ଧାଞ୍ଜଳି ହାଜର ନହେବା ଅନେକ ପ୍ରଶ୍ନ ଉଜାଗର କରିଛି। ଏହି ମାମଲାରେ ଯେତେବେଳେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓକିଲଙ୍କ ଜରିଆରେ ହାଜର ହୋଇଥିଲେ । ଆଉ ପରିବର୍ତ୍ତୀ ସମୟରେ ସେ ନିଜେ ହାଜର ହେବେ ବୋଲି କହିଛନ୍ତି। ସେହିପରି ଶ୍ରଦ୍ଧାଞ୍ଜଳି ମଧ୍ୟ କହିଥାଇପାରିଥାନ୍ତେ। ହେଲେ ହଠାତ୍ ସେ ଗାଏବ ହୋଇଯିବା ପଛରେ ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନରଙ୍କ ହାତ ନାହିଁ ତ?
ଫୋର୍ଡ ଏଣ୍ଡେଭର କାର ମିଳୁନଥିଲା ହେଲେ ସୋ ରୁମ ମାଲିକଙ୍କ ପୁଅକୁ ଜେରା ହେବାର ଦିନକ ପରେ କାରଟି ସୋରୁମ ନିକଟରେ ମିଳିଛି। ଆଉ ମାଷ୍ଟର କି ମିଳିବା ପରେ କାରଟିକୁ ଇଡି ଅଧିକାରୀ ନିଜ ହେପାଜତକୁ ନେଇ ତଦନ୍ତ କରୁଛନ୍ତି। କେଉଁଠି ନା କେଉଁଠି ତଦନ୍ତ ବେଳେ ଇଡିର ଆଞ୍ଚ ଆସି ବାଜିବା ପୂର୍ବରୁ ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନର ନିଜକୁ ଏହି ମାମଲାରୁ ଦୂରରେ ରଖିବାକୁ ଯାଇ କାରଟିକୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଖସିଯିବାକୁ ଉଦ୍ୟମ କରିଥିବା ସୂଚନା ରହିଛି।
ସେହିପରି ଶ୍ରଦ୍ଧାଞ୍ଜଳି ଥାନାରେ ଏତଲା ଦେବା ବେଳେ ଅର୍ଚ୍ଚନା କିଭଳି ଟଙ୍କା ରୋଜଗାର କରନ୍ତି ଏବଂ ତାଙ୍କୁ କିଭଳି ସେକ୍ସ କାରବାରରେ ସାମିଲ କରାଇ ବ୍ଲାକମେଲିଂ କରୁଥିଲେ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ଆଇନର ଭାଷାରେ ଏହା ଏକ ଜଘନ୍ୟ ଅପରାଧ। ଆଉ ଧରାପଡିଲେ ବେଲ୍ ମୁସକିଲ କେବଳ ଜେଲର ଚାରି କାନ୍ଥ ହିଁ ଭରସା। ଏପରି ସ୍ଥିତିରେ ଇଡି ଯେତେବେଳେ ଶ୍ରଦ୍ଧାଞ୍ଜଳିକୁ ଖୋଜୁଛି ଆଉ ସେ ନମିଳିବା ଅନେକ ପ୍ରଶ୍ନ ଉଜାଗର କରିଛି।
କୁହାଯାଉଛି ଫିଲ୍ନ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ମୁହଁରେ କପଡା ଲଗାଇ ଯେଉଁ ଯୁବତୀ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ ସେହି ଯୁବତୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି। ତେଣୁ ଶ୍ରଦ୍ଧାଞ୍ଜଳିଙ୍କ ନିକଟରେ ତଦନ୍ତକାରୀ ଅଧିକାରୀ ପହଞ୍ଚିବା ପୂର୍ବରୁ ତାଙ୍କୁ ଲୁଚାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ଯମ ହେଉଛି କି?
Comments are closed.