Latest Odisha News

BREAKING NEWS

ଅର୍ଚ୍ଚନାଙ୍କ ଡାଏରୀ ଓ ଜୁଏଲାରୀ ଲିଙ୍କ୍ ଇଡି ହାତରେ, ସିସିଟିଭି ଫୁଟେଜ କିଏ କଲା ଗାଏବ?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଶୁକ୍ରବାରଠୁ ଇଡି ଅଧିକ ସକ୍ରିୟ ହୋଇଛି। ଶନିବାର ସକାଳେ ଦୀର୍ଘଦିନ ଧରି ସମନ ସତ୍ତ୍ବେ ହାଜର ହେଉନଥିବା ଶ୍ରଦ୍ଧାଞ୍ଜଳି ହାଜର ହୋଇ ପକ୍ଷ ରଖିଛି। ପାଖାପାଖି 13 ଘଣ୍ଟା ଜେରା ପରେ ବାହାରକୁ ଆସିଥିଲା ଶ୍ରଦ୍ଧାଞ୍ଜଳି। ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରଦ୍ଧାଞ୍ଜଳି କହିଛି ସେ ସମସ୍ତ ପ୍ରମାଣ ଦେଇଛି। ଏହି ସମୟରେ ଦ୍ବିତୀୟ ଥର ପାଇଁ ଇଡି ରିମାଣ୍ଡରେ ଥିବା ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ସାମ୍ନାରେ ବସାଇ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିଛନ୍ତି ତଦନ୍ତ ଅଧିକାରୀ।

ଦ୍ବିତୀୟ ଥର ପାଇଁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଆସିଛନ୍ତି। ସ୍ବାମୀ ଜଗବନ୍ଧୁଙ୍କୁ ସାମ୍ନାରେ ବସାଇ ଇଡି ଜେରା କରୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଇଡିରେ ହାଜର ହୋଇଛି। ଯାହାକି ତଦନ୍ତ ପ୍ରକ୍ରିୟାରେ ଥିବା ଅଡୁଆକୁ ସହଜ କରି ଦେଇଛି।

ସେହିପରି ଜେରା ବେଳେ ଇଡିକୁ ଅର୍ଚ୍ଚନାଙ୍କ ସୁନା ଗହଣା କାରବାର ବାବଦରେ ସୂଚନା ମିଳିଛି। ଏବେ ଇଡି ରାଜଧାନୀର ଦୁଇଟି ସୁନା ଦୋକାନୀ ଲିଙ୍କ ନେଇ ତଥ୍ଯ ପାଇଛି। ରାଜଧାନୀର ଦୁଇଟି ପ୍ରତିଷ୍ଠିତ ଜୁଏଲେରୀ ସୋରୁମକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବଶ୍ୟକ ତଥ୍ୟ ନେଇଥିବା ସୂଚନା ରହିଛି।

ଶୁକ୍ରବାର ଯଦିଓ ରାଜ୍ୟ ଫୋରେନସିକ ଲ୍ୟାବରୁ ଇଡିକୁ ଆବଶ୍ୟକ ତଥ୍ୟ ମିଳିନାହିଁ ହେଲେ ଅର୍ଚ୍ଚନା ନାଗର ଡାଏରୀ ଇଡି ହାତରେ ଲାଗିଛି। ଖଣ୍ଡଗିରି ପୋଲିସ ଅର୍ଚ୍ଚନା ନାଗର ଡାଏରୀର ଜେରକ୍ସ କପି ଇଡିକୁ ଦେଇଥିବା ସୂଚନା ରହିଛି। ତେବେ ଏହି ଡାଏରୀରରେ କଣ ତଥ୍ୟ ରହିଛି ତାହା ଅସ୍ପଷ୍ଟ ରହିଛି। ହେଲେ ଏହି ଡାଏରୀ ଅର୍ଚ୍ଚନା ନାଗର କଳା କାହାଣୀ କହିବ ବୋଲି ସୂଚନା ରହିଛି। ଯାହାକୁ ନେଇ କ୍ଷମତାକେନ୍ଦ୍ରରେ ଛନକା ପଶିଛି।

ଅନ୍ୟପଟେ ଅର୍ଚ୍ଚନା ତଦନ୍ତରେ ଠିକ୍ ଭାବେ ସହଯୋଗ କରୁନଥିବା ଅଭିଯୋଗ ରହିଛି। ଏପରି ସ୍ଥିତିରେ ଅର୍ଚ୍ଚନାର ଆଲିଶାନ ଘରର ସିସିଟିଭି ଫୁଟେଜ ଖୋଜୁଛି ଇଡି। କିନ୍ତୁ ମିଳିଥିବା ସୂଚନା ଅନୁସାରେ ମାସକର ସିସିଟିଭି ଫୁ଼ଟେଜ ଅର୍ଚ୍ଚନାଙ୍କ ଡିଭିଆରରୁ ଡିଲିଟ୍ ହୋଇଯାଇଛି। ଯାହାକୁ ନେଇ ସନ୍ଦେହ ବଢିଛି। କମିଶନରେଟ ପୋଲିସ ଏହି ମାମଲାର ପ୍ରାଥମିକ ତଦନ୍ତ କରୁଥିଲା। ଅନେକ ପ୍ରମାଣ ନଷ୍ଟ ହୋଇଥିବା ମଧ୍ୟ ସୂଚନା ରହିଛି। ଏପରି ସ୍ଥିତିରେ ବଡବଡିଆଙ୍କୁ ସହଯୋଗ କରିବାକୁ ଯାଇ କିଏ ଡିଲିଟ୍ କଲା ସିସିଟିଭି ଫୁଟେଜ ତାହା ଏବେ ପ୍ରଶ୍ନ ଘେରରେ। ଆଉ ସନ୍ଦେହର ଆଖି ଏବେ କମିଶନରେଟ ପୋଲିସ ଉପରେ ରହିଛି। ଯିଏକି ଲୁଚେଇ ନେଇ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଆଉ ରିମାଣ୍ଡରେ ଆଣି ଚୁପଚାପ ବସିଥିଲା। କୁଆଡେ ଅନେକ ନେତା, ବ୍ୟବସାୟୀ ଓ ଅଫିସର ଏହି ମାମଲାରେ ସାମିଲ ଥିବାରୁ ଖାକି ନିରବ ରହୁଥିବା କୁହାଯାଉଛି। ତେଣୁ ଏବେ ସିସିଟିଭି ଫୁଟେଜ ଡିଲିଟ୍ କିଏ କରିଛି ତାହା ଏବେ ରହସ୍ୟ ଘେରରେ?

Comments are closed.