ନୂଆଦିଲ୍ଲୀ: ଇତିହାସ ରଚିଲା ନାସା: ୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ। ଆର୍ଟେମିସ୍-୨ ମିଶନ ସଫଳ: ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍ର ସୁରକ୍ଷିତ ଲ୍ୟାଣ୍ଡିଂ ।
ଭାଙ୍ଗିଲା ସବୁ ରେକର୍ଡ: ପୃଥିବୀଠାରୁ ୪ ଲକ୍ଷ କିଲୋମିଟର ଦୂରକୁ ଯାଇ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ୪ ମହାକାଶଚାରୀ।
ମଙ୍ଗଳ ଅଭିଯାନ ପାଇଁ ବାଟ ପରିଷ୍କାର: ଚନ୍ଦ୍ର ପୃଷ୍ଠରେ ମଣିଷ ପହଞ୍ଚାଇବା ପାଇଁ ଆମେରିକାର ବଡ଼ ପଦକ୍ଷେପ।
ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ସୂର୍ଯ୍ୟୋଦୟ ହୋଇଛି। ପ୍ରାୟ ୫୦ ବର୍ଷର ଅପେକ୍ଷା ପରେ, ମଣିଷ ପୁଣିଥରେ ଚନ୍ଦ୍ରର ଦ୍ୱାର ଦେଶକୁ ଯାଇ ସୁରକ୍ଷିତ ଭାବେ ଫେରି ଆସିଛି। ନାସାର ‘ଆର୍ଟେମିସ୍-୨’ ମିଶନ ସଫଳତାର ସହ ସମ୍ପନ୍ନ ହୋଇଛି। ୧୦ ଦିନର ରୋମାଞ୍ଚକର ଯାତ୍ରା ଶେଷ କରି ପ୍ରଶାନ୍ତ ମହାସାଗରରେ ଓହ୍ଲାଇଛି ଓରିଅନ୍ କ୍ୟାପସୁଲ୍। ଆଉ ଏହି ସଫଳତା ସହ ବିଶ୍ୱ ମହାକାଶ ଇତିହାସରେ ଯୋଡ଼ି ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।
ଆକାଶରୁ ସମୁଦ୍ରକୁ… ଏକ ବିଜୟୀ ପ୍ରତ୍ୟାବର୍ତ୍ତନ। ଆମେରିକାର ଫ୍ଲୋରିଡାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶନିବାର ସଫଳତାର ସହ ଶେଷ ହୋଇଛି। ଆର୍ଟେମିସ୍-୨ ମିଶନରେ ଯାଇଥିବା ୪ ଜଣ ମହାକାଶଚାରୀ— ରିଡ୍ ୱାଇଜମ୍ୟାନ୍, ଭିକ୍ଟର ଗ୍ଲୋଭର, ଖ୍ରୀଷ୍ଟିନା କୋଚ୍ ଏବଂ ଜେରେମି ହାନସନ୍ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି।
ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଓରିଅନ୍ କ୍ୟାପସୁଲ୍ର ଗତି ଘଣ୍ଟା ପ୍ରତି ପ୍ରାୟ ୩୯,୦୦୦ କିଲୋମିଟର ଥିଲା। ବାୟୁମଣ୍ଡଳ ସହ ଘର୍ଷଣ ଯୋଗୁଁ କ୍ୟାପସୁଲ୍ ବାହାର ପାର୍ଶ୍ୱର ତାପମାତ୍ରା ୨୭୬୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି ପ୍ରଚଣ୍ଡ ଉତ୍ତାପକୁ ସହି ସୁରକ୍ଷିତ ଭାବେ ପାଣିରେ ଲ୍ୟାଣ୍ଡିଂ କରିଥିଲେ ମହାକାଶଚାରୀ।
ଏହି ମିଶନ ଅନେକ ଦୃଷ୍ଟିରୁ ଐତିହାସିକ। ଚନ୍ଦ୍ରର ‘ଫାର୍ ସାଇଡ୍’ ବା ଅନ୍ଧକାର ପାର୍ଶ୍ୱ ଦେଇ ଗତି କରିବା ସହ ଏହି ଯାତ୍ରୀମାନେ ପୃଥିବୀଠାରୁ ୪ ଲକ୍ଷ ୬ ହଜାର ୭୭୧ କିଲୋମିଟର ଦୂରକୁ ଯାଇଥିଲେ, ଯାହା ଅପୋଲୋ-୧୩ର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ପ୍ରଥମ ଥର ପାଇଁ କୌଣସି ଚନ୍ଦ୍ର ଅଭିଯାନରେ ଜଣେ ମହିଳା, ଜଣେ କୃଷ୍ଣକାୟ ବ୍ୟକ୍ତି ଏବଂ ଜଣେ ଅଣ-ଆମେରିକୀୟ ନାଗରିକ ସାମିଲ ହୋଇଥିଲେ।
ଆର୍ଟେମିସ୍-୨ର ସଫଳତା ପରେ ନାସାର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଛି। ଏବେ ପ୍ରସ୍ତୁତି ଚାଲିଛି ଆର୍ଟେମିସ୍-୩ ପାଇଁ, ଯାହାର ଲକ୍ଷ୍ୟ ହେଉଛି ୨୦୨୮ ସୁଦ୍ଧା ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା। କେବଳ ଚନ୍ଦ୍ର ନୁହେଁ, ଆଗାମୀ ଦିନରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଏହା ଏକ ଶକ୍ତ ମୂଳଦୁଆ ପାଲଟିଛି ମାନବ ଜାତିର ଅଦମ୍ୟ ସାହସ ଆଜି ଆକାଶର ସୀମାକୁ ଡେଇଁ ଯାଇଛି। ନାସାର ଏହି ସଫଳତା ପ୍ରମାଣ କରିଛି ଯେ, ମଣିଷ ପାଇଁ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।