Latest Odisha News

BREAKING NEWS

ସରିଲା ବିନା ୟୁନିଫର୍ମର ‘ବନବାସ’, ଖାକି ପିନ୍ଧିବେ ଆଇପିଏସ ବୋଥ୍ରା

ଭୁବନେଶ୍ୱର: ଦୁଇ ବର୍ଷରୁ ଅଧିକ ଦିନ ହେବ ଖାକି ବର୍ଦ୍ଦିରେ ନଥିଲେ ଆଇପିଏସ ଅରୁଣ ବୋଥ୍ରା । ଏବେ କିନ୍ତୁ ନୂଆ ନିଯୁକ୍ତି ସହ ଆଇପିଏସ ଅରୁଣ ବୋଥ୍ରାଙ୍କ ‘ବନବାସ’ ଶେଷ ହୋଇଛି । ସେ ପୁଣିଥରେ ଖାକି ବର୍ଦ୍ଦି ପିନ୍ଧିବେ, ଅପରାଧୀଙ୍କୁ ପାନେ ଦେବେ । ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ ତୁଲାଉଥିବା ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହା ପୂର୍ବରୁ ମେ ୩୦, ୨୦୨୦ରେ ତାଙ୍କୁ ଏହି ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଥିଲା। ଅରୁଣ ବୋଥ୍ରାଙ୍କ ସହ ସଞ୍ଜୟ ସିଂହ ଏବଂ ସୁନିତା କାକରନଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ଏହି ୩ ଜଣ ଆଇପିଏସ ଅଧିକାରୀ ୧୯୯୬ ମସିହାର । ଦୁଇ ବର୍ଷ ତଳେ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ଓଏସଆରଟିସି ସିଏମଡି ଭାବେ ନିଯୁକ୍ତ ହେବା ପୂର୍ବରୁ ବୋଥ୍ରା ସେସୁର ସିଇଓ ଥିଲେ । ୨୦୧୯ରେ କ୍ରାଇମବ୍ରାଞ୍ଚର ଅପରାଧ ଶାଖାର ଆଇଜି ପଦରେ ଥିବା ବେଳେ ହଠାତ ଅଗଷ୍ଟ ୮ ତାରିଖରେ ରାଜ୍ୟ ସରକାର ଏହି ଆଇପିଏସ ଅଫିସରଙ୍କୁ ସେସୁର ସିଇଓ ଭାବେ ନିଯୁକ୍ତ କରିଥିଲେ।

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ତଦନ୍ତ କରି ଅରୁଣ ବୋଥ୍ରା ଚର୍ଚ୍ଚାକୁ ଆସିଥିଲେ। ଏସଆଇଟି ମୁଖ୍ୟ ଭାବେ ତାଙ୍କୁ ନିୟୋଜିତ କରାଯାଇଥିଲା। ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିବା ପରେ ବିବାଦ ଘେରକୁ ଆସିଥିଲେ ଅରୁଣ ବୋଥ୍ରା।

ଦୀର୍ଘଦିନ ଧରି ପରୀ ହତ୍ୟାକାଣ୍ଡ ମାମଲାର ପରଦା ଉଠି ପାରି ନଥିଲା। ଶେଷରେ କ୍ରାଇମବ୍ରାଞ୍ଚ ଏକ ଏସ୍‌ଆଇଟି ଗଠନ କରିଥିଲା। ଯାହାର ନେତୃତ୍ୱ ନେଇଥିଲେ ଅରୁଣ ବୋଥ୍ରା। ଶେଷରେ ଅଭିଯୁକ୍ତ ଗିରଫ କରି ଅରୁଣ ବୋଥ୍ରା ନିଜର ଦକ୍ଷତା ପ୍ରମାଣ କରିଥିଲେ।

ସେହିପରି ବହୁ ଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଭାର ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା । ଦୀର୍ଘ ଦିନର ଛକାପଞ୍ଝା ପରେ ବୋଥ୍ରା ଅଭିଯୁକ୍ତ ପୁଞ୍ଜିଲାଲକୁ ଗିରଫ କରିବାରେ ସଫଳ ହୋଇଥିଲେ। ସେହିପରି ଭଣ୍ଡ ସାରଥୀ ବାବାଙ୍କ କଳା ସାମ୍ରାଜ୍ୟକୁ ଭେଦ କରି ସାରଥୀଙ୍କୁ ଗିରଫ କରିଥିଲେ ବୋଥ୍ରା ।

ବୋଥ୍ରାଙ୍କ ତଦନ୍ତ ଶୈଳୀକୁ ନେଇ ସବୁବେଳେ ବିବାଦ ଘେରରେ ଥାଏ । ପୁରୀ ହତ୍ୟା ମାମଲାରେ ଜାମକୋଳି ଥିଓରୀ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସାଉଁଟିଥିଲା। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଯଦିଓ ଏହାପରେ ତାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଥିଲା।

ଉପରୋକ୍ତ ତିନି ଘଟଣା ସେ ସମୟରେ ବହୁଚର୍ଚ୍ଚାରେ ଥିଲା । କାରଣ ପରୀ ନାବାଳିକାର ହତ୍ୟାକାରୀ କିଏ ତାହା ନୟାଗଡ ପୁଲିସ ଜାଣିପାରୁନଥିଲା । ହେଲେ ଫିଲ୍ନ ଷ୍ଟାଇଲରେ ବୋଥ୍ରାଙ୍କର ଏଂଟ୍ରି ହୋଇଥିଲା ପରେ ସେ ପୋଖରୀ ଭିତରୁ ଅଭିଯୁକ୍ତ ନଷ୍ଟ କରିଥିବା ପ୍ରମାଣ ପାଇଥିଲେ । ସେହିପରି ପାର୍ସଲ ବୋମା ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ଦୀର୍ଘ ଦିନ ଧରି ଫେରାର ରହିଥିଲେ । ହେଲେ ବୋଥ୍ରା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଅନ୍ୟତମ ଘଟଣା ଭଣ୍ଡ ସାରଥୀ ପ୍ରଶାସନ ଆଖିରେ ଧୂଳି ଦେଇ ଅମାପ ସମ୍ପତି ଅକ୍ତିଆର କରିଥିଲା । ହେଲେ ବୋଥ୍ରା ଏହି ମାମଲାରେ ତଦନ୍ତ କରି ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

Comments are closed.