Latest Odisha News

BREAKING NEWS

ନିର୍ବାଚନୀ ଅଙ୍କ କସିବେ ଅଭିନେତା ଠୁ ଶିଳ୍ପପତି, ମେରଠ ଆସନରେ ମଇଦାନକୁ ଓହ୍ଲାଇବେ ପ୍ରଭୁ ଶ୍ରୀରାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପରେ ବିଜେପି ତା’ର ପଞ୍ଚମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୧୧ଜଣଙ୍କ ନାମ ଘୋଷଣା କରାଯାଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଅଭିନେତା ଅରୁଣ ଗୋଭିଲ ଏବଂ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ବିଜେପି ଟିକେଟ ଦେଇଛି । ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ଟିକେଟ ମିଳିଥିବା ବେଳେ ଖ୍ୟାତନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମେରଠ ଲୋକସଭା ଆସନରୁ ଟିକେଟ ମିଳିଛି  । ସେହିପରି ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନ ପାଇଁ ଟିକେଟ ଦେଇଛି ବିଜେପି ।

ସୂଚନା ଅନୁସାରେ, ଦଳ ରାଜେନ୍ଦ୍ର ଅଗ୍ରୱାଲଙ୍କ ଟିକେଟ କାଟି ଅଭିନେତା ଅରୁଣ ଗୋଭିଲଙ୍କୁ ଟିକେଟ ଦେଇଛି । ଟିକେଟ ମିଳିବା ପରେ ଅଭିନେତା ଅରୁଣ ଗୋଭିଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗୋଭିଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ କଂଗ୍ରେସ ଅଭିନେତା ଅରୁଣ ଗୋଭିଲଙ୍କୁ ଆଲ୍ଲାହାବାଦ ଆସନରୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେବାକୁ ଚାହୁଁଥିଲା । କିନ୍ତୁ ସେତବେଳେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି ବୋଲି କହି ମନା କରିଦେଇଥିଲେ ଅଭିନେତା ଗୋଭିଲ । ଏନେଇ ଏକ ସାକ୍ଷାତକାରରେ ଗୋଭିଲ କହିଥିଲେ ଯେ, ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଲ୍ଲାହାବାଦ ଆସନରୁ ନିର୍ବାଚନ ଲଢିବାକୁ ଟିକେଟ ଦେବେ ବୋଲି କହିଥିଲେ । କିନ୍ତୁ ସେତେ ବେଳେ ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି । ବର୍ତ୍ତମାନ ସେ ବିଜେପି ତରଫରୁ ମେରଟ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

କହିରଖୁଛୁ ଯେ, ମେରଠ ବାସିନ୍ଧା ଅଭିନେତା ଅରୁଣ ଗୋଭିଲ ୧୯୫୮ ମସିହା ୧୨ ଜାନୁଆରୀରେ ଜନ୍ମ ଗ୍ରହଣ କରିଥିଲେ । ସେ ଇଞ୍ଜିନିୟର ପାଶ କରିବା ପରେ ତା’ଙ୍କ ପିତା ଚାହଁଥିଲେ ଯେ ସେ ଏକ ସରକାରୀ ଚାକିରି କରନ୍ତୁ । କିନ୍ତୁ ଅଭିନେତାଙ୍କ ସ୍ଵପ୍ନ ଥିଲା କିଛି ଅଲଗା । ସେ ଏପରି କିଛି କରିବାକୁ ଚାହୁଁଥିଲେ ଯେଉଁଥିପାଇଁ ତାଙ୍କୁ ସର୍ବଦା ସମସ୍ତେ ମନେରଖିବେ । ୯୦ ଦଶକର ରାମାନନ୍ଦ ସାଗରଙ୍କ ଆଇକନିକ ଟିଭି ଶୋ’ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିଲେ ଅରୁଣ । ଏହି ରାମାୟଣର ପ୍ରଭୁ ଶ୍ରୀରାମଙ୍କ ଚରିତ୍ରକୁ ଅତି ନିଖୁଣ ଭାବେ ପ୍ରତିପାଦନ କରିଥିଲେ ଅରୁଣ । ଯେଉଁ କାରଣରୁ ଆଜି ମଧ୍ୟ ଲୋକେ ଅରୁଣଙ୍କୁ ସ୍ବୟଂ ଭଗବାନ ଶ୍ରୀରାମଙ୍କ ରୂପରେ ପୂଜା କରନ୍ତି ।

Leave A Reply

Your email address will not be published.