Latest Odisha News

BREAKING NEWS

ନୟାଗଡ଼ରେ ନୂଆ ସମୀକରଣ

ଭୁବନେଶ୍ଵର: ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ହେଲେ ଏଥର ନୟାଗଡ଼ରେ ବଦଳିଛି ସମୀକରଣ । ୨୦୧୯ରେ ଅରୁଣଙ୍କ ବିପକ୍ଷରେ ଲଢିଥିବା ବିଜେପି ନେତ୍ରୀ ଇରାନୀ ରାୟ ଏବେ ବିଜେଡିରେ । ଅରୁଣଙ୍କୁ ଟକ୍କର ଦେବାକୁ ମଇଦାନରେ ବିଜେପି ପ୍ରାର୍ଥୀ ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦଳର ଜିଲ୍ଲା ସଭାପତି ରଣଜିତ ଦାଶ ।

ବଦଳିଛି ନୟାଗଡ ଗଣିତ

ଅରୁଣ ସାହୁଙ୍କୁ ଗତ ନିର୍ବାଚନରେ ଭଲ ଫାଇଟ୍ ଦେଇଥିବା ଇରାନୀ ରାୟ ବିଜେଡିରେ ସାମିଲ ହୋଇଛନ୍ତି । ଗତ ନିର୍ବାଚନରେ ପ୍ରାୟ ୪୩ପ୍ରତିଶତ ଭୋଟ୍ ପାଇବା ସହ ବିଜେପି ଭୋଟ୍ ୩୭ପ୍ରତିଶତ ବଢାଇଥିଲେ ଇରାନୀ । ନୟାଗଡ ବିଜେପିର ଚେହେରା ରହିଥିବା ଇରାନୀ ବିଜେଡିରେ ସାମିଲ ହେବା ଅରୁଣଙ୍କୁ ଲାଭ ଦେଇପାରେ । ବିଜେପି ଭୋଟ୍ ବିଭାଜନ ହେଲେ ବିଜେଡି ପାଇଁ ବିଜୟ ସହଜ ହେବ । ତେବେ କଂଗ୍ରେସ ଯଦି ଅଧିକ ଭୋଟ୍ ପାଏ ଓ ବିଜେପି ଦଳୀୟ ଭୋଟ୍ ରଖିବାରେ ସଫଳ ହୁଏ ତେବେ ଜୋରଦାର ଟକ୍କର ହେବ ।

ଅରୁଣ Vs ରାଣୀ

ନୟାଗଡ ଗତ ୨ଦଶନ୍ଧି ଧରି ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି । ଛାତ୍ର ରାଜନୀତିରୁ ରାଜ୍ୟ ରାଜନୀତିକୁ ଆସିଥିବା ଅରୁଣ ଏଥର ନିର୍ବାଚନ ପୂର୍ବରୁ ହିଁ ଇରାନୀଙ୍କୁ ବିଜେଡିରେ ସାମିଲ କରାଇ ବଡ ଗୋଟି ଚଳାଇଛନ୍ତି । ତେବେ ଅରୁଣଙ୍କ ବିଜୟ ରଥ ରୋକିବାକୁ ମଇଦାନରେ ଆକ୍ଟିଭ୍ ରାଣୀ । ପ୍ରତ୍ୟୁଷା ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଥିଲେ ବି ସେ ରାଜନୀତିରେ ନୂଆ ନୁହନ୍ତି । ତାଙ୍କ ସ୍ବାମୀ ହେମେନ୍ଦ୍ର ସିଂ କନ୍ଧମାଳ ସାଂସଦ ନିର୍ବାଚିତ ହୋଇଥିଲେ । ହେମେନ୍ଦ୍ରଙ୍କ ଦେହାନ୍ତ ପରେ କନ୍ଧମାଳ ଲୋକସଭା ଆସନରୁ ପ୍ରତ୍ୟୁଷା ଉପନିର୍ବାଚନ ଜିତିଥିଲେ । ତେଣୁ ମୋଦି ଲହର ସହ ନୟାଗଡ ରାଜନୀତିର ମୋଡ ବଦଳାଇବାକୁ ଉଦ୍ୟମ କରୁଛନ୍ତି ପ୍ରତ୍ୟୁଷା ।

ବିକାଶ ବନାମ ପରିବର୍ତ୍ତନ

ନବୀନ ସରକାରଙ୍କ ବିକାଶମୂଳକ ଯୋଜନାକୁ ନେଇ ପଞ୍ଚମ ଥର ବିଜୟର ରଣନୀତି ପ୍ରସ୍ତୁତ କରୁଛନ୍ତି ଅରୁଣ ସାହୁ। ନିଜେ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରୁଛନ୍ତି ଅରୁଣ । ତାଙ୍କ ପାଇଁ ଭୋଟ୍ ମାଗିଛନ୍ତି ବିଜେଡିର ନମ୍ବର ଟୁ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଅରୁଣ କ୍ରମାଗତ ଭାବେ ଜିତି ଆସୁଥିବା ବେଳେ ଏଥର ନୟାଗଡରେ ପରିବର୍ତ୍ତନର ନାରା ଦେଇଛନ୍ତି ପ୍ରତ୍ୟୁଷା। ତାଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା। ରତ୍ନଭଣ୍ଡାର ଚାବିରୁ ଚିଟଫଣ୍ଡ ଲୁଟେରା, ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ଶାହା।

ପୁରୀ ଉପରେ ନୟାଗଡ଼ ପ୍ରଭାବ

ପୁରୀ ଲୋକସଭା କ୍ଷେତ୍ର ଅଧିନରେ ଆସୁଛି ନୟାଗଡ଼ ବିଧାନସଭା ଆସନ । ତେଣୁ ନୟାଗଡରେ ଭୋଟର କାହା ଆଡକୁ ଢଳିବେ ତାଉପରେ ପୁରୀ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରିପାରେ। ଅରୁଣ ସାହୁଙ୍କର ନୟାଗଡ଼ରେ ଭଲ ସଂଗଠନ ରହିଛି । ତେବେ ପରୀ ହତ୍ୟା ମାମଲାରେ ଅରୁଣଙ୍କୁ କାଠଗଡାକୁ ଟାଣିଥିଲେ ବିରୋଧୀ । ଯଦିଓ ପୋଲିସ ତଦନ୍ତରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇଛି, ତେବେ ଭୋଟରଙ୍କ ଉପରେ ଘଟଣାର କଣ ପ୍ରଭାବ ପଡୁଛି, ତାଉପରେ ନଜର ରହିଛି । ରାଜ୍ୟରେ ଶାସନ ବିରୋଧୀ ହାଓ୍ବାର ଫାଇଦା ନେଇପାରନ୍ତି ପ୍ରତ୍ୟୁଷା । ସେପଟେ ମାଟିର ପୁଅ ନାରା ଦେଇ ମଇଦାନରେ କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ । କ୍ରମାଗତ କଂଗ୍ରେସ ଭୋଟ୍ କମିଥିବା ବେଳେ ରଣଜିତ୍ କେତେ ଭୋଟ୍ ହାତେଇବେ ? ତାଉପରେ ନଜର ରହିଛି ।

Leave A Reply

Your email address will not be published.