ନୂଆଦିଲ୍ଲୀ: ପୁଣି ଥରେ ଚୀନର ବଦମାସୀ ସାମ୍ନାକୁ ଆସିଛି । ଭାରତର ଭୌତିକ ସମ୍ପତି ଉପରେ ଚୀନ୍ ସବୁବେଳେ ତାର ଚୋରାଦୃଷ୍ଟି ରଖିଛି । ଭାରତର ଭୁସମ୍ପତିକୁ ହଡ଼ପ କରିବା ପାଇଁ ସଡ଼ଯନ୍ତ୍ର କରିବା ଚୀନର ଏକ ପୁରୁଣା ଅଭ୍ୟାସ । ବର୍ତ୍ତମାନ ଗୋଟେ ପଟେ ଭାରତରେ ଜି–୨୦ ପାଇଁ ଭବ୍ୟ ପ୍ରସ୍ତୁତି ଚାଲିଛି ଓ ବିଶ୍ୱର ଅନେକ ବଡ଼ ବଡ଼ ନେତା ଦିଲ୍ଲୀ ଆସୁଥିବା ବେଳେ ଚୀନ୍ ତା’ର ଆଉ ଏକ ନୂଆ ପ୍ରୋପାଗେଣ୍ଡା ଚଳାଇଛି । ସଡ଼ଯନ୍ତ୍ରକାରୀ ଡ୍ରାଗନ୍ ପକ୍ଷରୁ ଏକ ନୂଆ ମାନଚିତ୍ର ଜାରି କରାଯାଇଛି । ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି ।
ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି । ଚୀନର ଏହି କାରିନାମାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । କୂଟନୈତିକ ସ୍ତରରେ ଚୀନର ଏହି ଦୁଶ୍କାର୍ଯ୍ୟକୁ ନେଇ କଡ଼ା ଆପତ୍ତି କରାଯାଇଛି ବୋଲି ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଚୀନର ଏଭଳି ଭିତ୍ତି ହୀନ ଦାବିର କୌଣସି ମୂଲ୍ୟ ନାହିଁ ଓ ଭାରତ ଏହାକୁ ଖଣ୍ଡନ କରୁଛି ।
ଚୀନର ଏଭଳି କାର୍ଯ୍ୟକଳାପ ଯୋଗୁଁ ସୀମା ବିବାଦର ସମାଧାନ ପାଇଁ ଚାଲିଥିବା ପ୍ରୟାସକୁ ଆହୁରି ଜଟିଳ କରିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଚୀନ୍ ଜାରି କରିଥିବା ନୂଆ ମ୍ୟାପ୍ ଅନୁଯାୟୀ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍ ସହିତ ତାଇୱାନ୍ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜ ଦେଶର ଅଂଶ ଭାବେ ଦେଖାଯାଇଛି । ଚୀନର ଏଭଳି କାର୍ଯ୍ୟକୁ ଭାରତ କଡ଼ା ନିନ୍ଦା କରିଛି ।
Comments are closed.