ନୂଆଦିଲ୍ଲୀ: ନିର୍ବାଚନ ସମୟ ଯେତିକି ପାଖେଇଲାଣି, ଦିଲ୍ଲୀ ଦଙ୍ଗଲ ଆହୁରି ଜୋରଦାର ହେଲାଣି । ଆରୋପ-ପ୍ରତ୍ୟାରୋପ ରାଜନୀତି ସରଗରମ । ବିଜ୍ଞାପନ ହେଉ କି ନିର୍ବାଚନୀ ପ୍ରଚାର, ବିଜେପି ଓ ଆପ୍ ପରସ୍ପରକୁ ଟାର୍ଗେଟ କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଏସବୁ ଭିତରେ ଏବେ ନିର୍ବାଚନୀ ମୈଦାନରେ ‘ରାବଣ’ ଏଣ୍ଟ୍ରି ମଧ୍ୟ ହୋଇସାରିଲାଣି । କଥାଟା ଅଡ଼ୁଆ ଲାଗିଲେ ବି ଦିଲ୍ଲୀ ନିର୍ବାଚନରେ ଏମିତି କିଛି ସମୀକରଣ ସାମ୍ନାକୁ ଆସିଲାଣି । ପ୍ରଚାର ସମୟରେ ନିର୍ବାଚନୀ ମଞ୍ଚରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ କେଜରିଓ୍ବାଲ ରାବଣ ସମ୍ପର୍କରେ ଯେଉଁଭଳି ଉଦାହରଣ ଦେଲେ, ତାହାକୁ ନେଇ ବିଜେପି ଏବେ ଜୋରଦାର ପାଲଟା ଆକ୍ରମଣ କରିଛି । ଆଉ ଏସବୁ ଭିତରେ ରୋଚକ ହୋଇଗଲାଣି ଦିଲ୍ଳୀ ନିର୍ବାଚନ ।
ନିର୍ବାଚନୀ ମଞ୍ଚରେ ଆରୋପ-ପ୍ରତ୍ୟାରୋପ ହେବା ସ୍ବାଭାବିକ । ଗୋଟିଏ ଦଳ ଅନ୍ୟ ଦଳକୁ ଟାର୍ଗେଟ କରିବା କିଛି ନୂଆ ନୁହେଁ । କିଏ ବିକାଶ କଥା କହି ବିରୋଧୀଙ୍କ ଟାର୍ଗେଟ କରେ, ପୁଣି କିଏ ବିନାଶ କଥା କହି ବର୍ତ୍ତମାନର ସରକାରଙ୍କୁ ଘେରିଥାଏ । ନେତା ଓ ନିର୍ବାଚନକୁ ନେଇ ଏମିତି ଦୃଶ୍ୟ କିଛି ନୂଆ ନୁହେଁ । ହେଲେ ଦେଶର ରାଜଧାନୀ ଦିଲ୍ଳୀର କଥା ହିଁ ଅଲଗା । ଏଠି କେବଳ ନେତାଙ୍କ ମନ୍ତବ୍ୟ ନୁହେଁ, କିଛି ଉଦାହରଣକୁ ନେଇ ବି ଆରମ୍ଭ ହୋଇଯାଏ ପଲିଟିକ୍ସ । ଏଇ ଯେମିତି ନିର୍ବାଚନୀ ମୈଦାନରେ ବିଜେପିକୁ ଘେରିବାକୁ ଯାଇ, କେଜରିଓ୍ବାଲ ରାବଣର ଉଦାହରଣ ଦେଲେ । ହେଲେ ତାଙ୍କର ଉଦାହରଣ ହିଁ ତାଙ୍କୁ ବିବାଦକୁ ନେଇ ଆସିବ ବୋଲି ବୋଧହୁଏ ସେ ଜାଣିନଥିଲେ ।
ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହୁ କହୁ କ’ଣ କହିଦେଲେ । ତାଙ୍କ ଅନୁସାରେ, ଯେତେବେଳେ ପ୍ରଭୁ ଶ୍ରୀରାମ ଖାଦ୍ୟ ସଂଗ୍ରହ କରିବାକୁ ଜଙ୍ଗଲ ଯାଇଥିଲେ, ସେତେବଳେ ରାବଣ ସୁନା ହରିଣ ରୂପ ନେଇ ତାଙ୍କ ଅପହରଣ କରିବାକୁ ଆସିଥିଲା । ପ୍ରକୃତରେ ସେ ରାବଣ ନୁହେଁ ବରଂ ମାରିଚ ସେହି ସୁନା ହରିଣ ରୂପ ନେଇ ଆସିଥିଲା । ନିର୍ବାଚନୀ ମଞ୍ଚରେ କେଜରିଓ୍ବାଲଙ୍କ ଏହି ଭୁଲ୍କୁ ଧରିନେଲା ବିଜେପି । ବାସ୍ ତାପରେ କିଛି ବିଜେପି ନେତା ଟ୍ବିଟ୍ କଲେ, ପୁଣି କିଛି ନେତା କେଜରିଓ୍ବାଲଙ୍କ ରାମାୟଣ ଜ୍ଞାନକୁ ନେଇ ବର୍ଷିଲେ।
ବିଜେପି ନେତା ବିଜେନ୍ଦର ଗୁପ୍ତା, ଏକ୍ସରେ କେଜରିଓ୍ବାଲଙ୍କ ମନ୍ତବ୍ୟକୁ ଟ୍ବିଟ୍ କରି ପୋଷ୍ଟ କଲେ ଯେ, ଶୁଣନ୍ତୁ ନିର୍ବାଚନ ସମୟରେ ମନ୍ଦିର ମନ୍ଦିର ଯିବା ନେଇ ନାଟକ କରୁଥିବା କେଜ୍ରିଓ୍ବାଲଙ୍କ ରାମାୟଣକୁ ନେଇ ଅଜବ ଗଜବ ଜ୍ଞାନ । ଡକ୍ଟର ହର୍ଷବର୍ଦ୍ଧନ ରାଣେ ଲେଖିଲେ, ଇତିହାସ ମନେ ରଖିବ, ଗୋଟିଏ ରାମାୟଣ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଲେଖିଥିଲେ, ଯେଉଁଥିରେ ମାତା ସୀତାଙ୍କୁ ଅପହରଣ କରିବାକୁ ହରିଣ ରୂପ ମାରିଚ ନୁହେଁ ବରଂ ନିଜେ ରାବଣ ନେଇଥିଲେ ବୋଲି ଲେଖାଅଛି । କେଜରିଓ୍ବାଲ ନିର୍ବାଚନ ପାଇଁ ହିନ୍ଦୁ ହେବା ଅଭିନୟ କରୁଛନ୍ତି ବୋଲି ହର୍ଷବର୍ଦ୍ଧନ ଅଭିଯୋଗ କରିଛନ୍ତି । ସେହପରି ଅନ୍ୟ ବିଜେପି ନେତା ବି କେଜରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ।
Comments are closed.