କୋଲକାତା: ଟି୨୦ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ ଭାବେ ବିବେଚନା କରାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଛି । ଯୁବ ଟିମ ପାଇଁ ଏହି ସିରିଜ ବେଶ ଗୁରୁତ୍ୱ ବହନ କରୁଛି । ପ୍ରଥମ ମ୍ୟାଚ ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ । ୨୦୨୨ରେ ଏଠାରେ ଶେଷ ଥର ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳା ଯାଇଥିଲା । ଭାରତ ଏହି ମ୍ୟାଚରେ ୧୭ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ସେହିପରି ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଟି୨୦ ମ୍ୟାଚ ୨୦୨୪ ବିଶ୍ୱକପରେ ଖେଳା ଯାଇଥିଲା । ଭାରତ ୬୮ ରନରେ ସହଜ ବିଜୟ ହାସଲ କରିଥିଲା ।
ଉଭୟ ଦେଶ ମଧ୍ୟରେ ୨୪ଟି ଟି୨୦ ମ୍ୟାଚ ଖେଳାଯାଇଛି । ଭାରତ ୧୩ ଓ ଇଂଲଣ୍ଡ ୧୧ରେ ବିଜୟୀ ହୋଇଛି । ତେବେ ଇଡେନଗାର୍ଡେନରେ ଇଂଲଣ୍ଡ ବିପକ୍ଷରେ ଭାରତ ଟି୨୦ରେ ବିଜୟ ହାସଲ କରିପାରି ନାହିଁ । ଏଠାରେ ଖେଳାଯାଇଥିବା ୨ଟି ମୁକାବିଲାରେ ଇଂଲଣ୍ଡ ଜିତିଛି । ଉଭୟ ଦେଶ ମଧ୍ୟରେ ଓଭରାଲ ୮ଟି ଟି୨୦ ସିରିଜ ଖେଳାଯାଇଛି । ଭାରତ ୪, ଇଂଲଣ୍ଡ ୩ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା । ଇଡେଗାର୍ଡେନରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ ୫ ଥର ଏବଂ ଚେଜ କରିବା ଦଳ ୭ଥର ବିଜୟୀ ହୋଇଛନ୍ତି । ଥରେ ମାତ୍ର ଏଠାରେ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ହୋଇଛି । ବାଂଲାଦେଶ ବିପକ୍ଷରେ ପାକିସ୍ତାନ ୨୦୧ ରନ କରିଥିଲା ।
ଚୂଡାନ୍ତ ଏକାଦଶ ଚୟନ କରିବାରେ ଏବେ ବି ଭାରତ ସାମାନ୍ୟ ଦ୍ୱନ୍ଦ୍ୱରେ ରହିଛି । କେତେଜଣ ସ୍ପିନରଙ୍କୁ ଖେଳାଇବା ଏବଂ କେଉଁ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନ ଦରକାର ତାହା ଚୂଡାନ୍ତ ହୋଇପାରିନି । ଅର୍ଶଦୀପ ସିଂ, ମହମ୍ମଦ ସାମୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ପେସ ବିଭାଗ ଦାୟିତ୍ୱ ତୁଲାଇବେ । ବରୁଣ ଚକ୍ରବର୍ତି ଓ ଅକ୍ଷର ପଟେଲଙ୍କୁ ସ୍ପିନ ଦାୟିତ୍ୱ ପ୍ରଦାନ କରାଯିବା ସମ୍ଭାବନା ଅଧିକ । ହାର୍ଦ୍ଦିକ ଓ ଅକ୍ଷର ବ୍ୟାଟିଂରେ ମଧ୍ୟ ଆବଶ୍ୟକ ଯୋଗଦାନ ଦେଇପାରିବେ । ଇଂଲଣ୍ଡ ଦଳରେ ଅଧିକ ଡାହଣହାତୀ ବ୍ୟାଟ୍ସମ୍ୟାନ ଥିବାରୁ ରବି ବିଶ୍ନୋଇ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି ।
Comments are closed.