ନୂଆଦିଲ୍ଲୀ: ଆପ୍ ବିଧାୟକ ନରେଶ ବାଲ୍ୟାନ ଗିରଫ ହେବାର ଦିନକ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ହେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି କେଜ୍ରିୱାଲ । ଆମେ କୌଣସି ମେଣ୍ଟ କରିବୁ ନାହିଁ । ଦିଲ୍ଲୀର ସମସ୍ତ ଆସନରେ ଆପ୍ ଏକା ନିର୍ବାଚନ ଲଢିବ ବୋଲି କହିଛନ୍ତି କେଜ୍ରିୱାଲ ।
କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମିଳିତ ମଞ୍ଚର ଆପ୍ ଏକ ସଦସ୍ୟ ଥିଲେ ମଧ୍ୟ ଦିଲ୍ଲୀରେ ଦଳ କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି। ସେହିପରି ଦିଲ୍ଲୀର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି କରିବାକୁ ଯାଉଥିବା ପରିବର୍ତ୍ତନା ଯାତ୍ରାକୁ ନେଇ କେଜ୍ରିୱାଲ କହିଛନ୍ତି, ସେମାନେ ବାହାରକୁ ଆସିବାକୁ ଦିଅନ୍ତୁ। ଗଣତନ୍ତ୍ରରେ ଏସବୁ ପାଇଁ ସମସ୍ତଙ୍କର ଅଧିକାର ଅଛି। ଗଣତନ୍ତ୍ରରେ କେହି କିଛି ବି କରିପାରିବ ।
ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତମ ନଗରରୁ ଆମ ଦଳର ବିଧାୟକ ନରେଶ ବାଲ୍ୟାନଙ୍କୁ ଗତ ୩୦ ନଭେମ୍ବର ୨୦୨୪ରେ ଗିରଫ କରାଯାଇଥିଲା। ସେ ଲଗାତାର ଭାବରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଅଭିଯୋଗ କରୁଥିଲେ । ବର୍ତ୍ତମାନ ତାଙ୍କ ପିଲାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ଦେଇଥିବା ଧମକକୁ ନେଇ ମଧ୍ୟ ପୋଲିସ ଆଗରେ ଅଭିଯୋଗ କରିଥିଲେ ସେ । କିନତୁ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୨୦୨୫ରେ ଦିଲ୍ଲୀର ମୋଟ ୭୦ ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ଆପ୍ ଚତୁର୍ଥ ଥର ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସର ନେତାମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିଜର ପ୍ରୟାସ ଜାରି ରଖିଛନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ଆପ୍ ୭୦ ଟି ବିଧାନସଭା ଆସନ ମଧ୍ୟରୁ ୬୦ ଟି ଆସନରେ ଜିତିଥିଲା। ସେହିପରି ଆଠଟି ଆସନରେ ବିଜେପି ବିଜୟ ଲାଭ କରିଥିଲା ।